ପୁଣି ଚିନ୍ତା ବଢ଼ାଇଲା କରୋନା: ଦୈନିକ ସଂକ୍ରମଣ ୬ ହଜାର ଟପିଲା

ରାଜ୍ୟମାନଙ୍କ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ, ଏମର୍ଜେନ୍ସି ହଟସ୍ପଟ୍‌ ଚିହ୍ନଟ ଓ ଟିକାକରଣ ବୃଦ୍ଧି ପାଇଁ କେନ୍ଦ୍ରର ନିର୍ଦ୍ଦେଶ

ପୁଣି ଚିନ୍ତା ବଢ଼ାଇଲା କରୋନା: ଦୈନିକ ସଂକ୍ରମଣ ୬ ହଜାର ଟପିଲା

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଆଜି ୬ ହଜାର ଅତିକ୍ରମ କରିଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ କରୋନା ମୁକାବିଲା ରଣନୀତି ନେଇ ବୈଠକ କରିଛନ୍ତି। ରାଜ୍ୟମାନଙ୍କର ପ୍ରସ୍ତୁତି ଏବଂ କରୋନା ଟିକାକରଣର ସ୍ଥିତି ସମୀକ୍ଷା ପାଇଁ ମାଣ୍ଡଭୀୟ ଆଜି ଏହି ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି। ଏମର୍ଜେନ୍ସି ହଟସ୍ପଟ୍‌ ଚିହ୍ନଟ କରିବା ସହ ଟେଷ୍ଟିଂ ବୃଦ୍ଧି କରିବା ଏବଂ ହସ୍ପିଟାଲ ଗୁଡ଼ିକରେ ଭିତ୍ତିଭୂମି ପ୍ରସ୍ତୁତ ରଖିବାପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମଣ ନିୟନ୍ତ୍ରଣ ପାଇଁ ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାର ଯେମିତି ମିଳିତ ଭାବେ କାମ କରୁଥିଲେ ଏବେ ମଧ୍ୟ ଠିକ୍‌ ସେମିତି ରଣନୀତିରେ କାମ କରିବାପାଇଁ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। କରୋନା ମୁକାବିଲା ଦିଗରେ ୫ ଥାକିଆ ରଣନୀତି ତଥା ଟେଷ୍ଟ୍‌, ଟ୍ରାକ୍‌, ଟ୍ରିଟ୍‌, ଟିକାକରଣ ଏବଂ କରୋନା ନିୟମାବଳି ପାଳନ କରିବାପାଇଁ ସେ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟମାନେ ଟିକାକରଣ ବୃଦ୍ଧି କରିବା ସହ ଜେନୋମ ସିକ୍ବେନ୍ସିଂ ଏବଂ ଏମର୍ଜେନ୍ସି ହଟସ୍ପଟ୍‌ ଚିହ୍ନଟ କରିବାପାଇଁ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଜରୁରୀ ସ୍ଥିତିର ମୁକାବିଲା ପାଇଁ ହସ୍ପିଟାଲଗୁଡ଼ିକ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏପ୍ରିଲ ୮ ଏବଂ ୯ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀମାନେ ଜିଲ୍ଲା ପ୍ରଶାସନ ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ କରୋନା ପ୍ରସ୍ତୁତି ସମୀକ୍ଷା କରିବାପାଇଁ କହିଛନ୍ତି। ଏପ୍ରିଲ ୧୦ ଓ ୧୧ରେ ସମସ୍ତ ସ୍ବାସ୍ଥ୍ୟ ଅନୁଷ୍ଠାନରେ ମକଡ୍ରିଲ କରିବାପାଇଁ ରାଜ୍ୟମାନଙ୍କୁ କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନେ ହସ୍ପିଟାଲ୍‌ ଯାଇ ଏହି ମକଡ୍ରିଲ ସମୀକ୍ଷା କରିବାପାଇଁ ମାଣ୍ଡଭିୟ ପରାମର୍ଶ ଦେଇଛନ୍ତି।

ଦେଶରେ ଆଜି ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟାରେ ୬,୦୫୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଦେଶରେ ଦୈନିକ ସଂକ୍ରମଣ ମାମଲାରେ ୧୩ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ମୋଟ୍‌ ସକ୍ରିୟ ମାମଲା ୨୮,୩୦୩ ରହିଛି। ଦୈନିକ ପଜିଟିଭ ହାର ୩.୩୯ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୩.୦୨ ପ୍ରତିଶତ ରହିଛି। କେରଳରେ ଦେଶର ସର୍ବାଧିକ ସକ୍ରିୟ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe