ଭାରତରେ କରୋନା: ୨୪ ଘଣ୍ଟାରେ ୧୫୯୪ ନୂଆ ମାମଲା, ଆକ୍ରାନ୍ତ ସଂଖ୍ୟା ୨୯,୯୭୪ରେ ପହଞ୍ଚିଲା

Advertisment

ମହାମାରୀ ନେଲାଣି ୯୩୭ ଜୀବନ, ଅହମଦାବାଦ ଏଲ୍‌ଜି ହସ୍ପିଟାଲରେ ୧୭ ଡାକ୍ତର, ୫ ନର୍ସ କରୋନା ଆକ୍ରାନ୍ତ

ମହାମାରୀ ନେଲାଣି ୯୩୭ ଜୀବନ, ଅହମଦାବାଦ ଏଲ୍‌ଜି ହସ୍ପିଟାଲରେ ୧୭ ଡାକ୍ତର, ୫ ନର୍ସ କରୋନା ଆକ୍ରାନ୍ତ

ଭାରତରେ କରୋନା: ୨୪ ଘଣ୍ଟାରେ ୧୫୯୪ ନୂଆ ମାମଲା, ଆକ୍ରାନ୍ତ ସଂଖ୍ୟା ୨୯,୯୭୪ରେ ପହଞ୍ଚିଲା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଛୁଇଁବାକୁ ଯାଉଛି। ସ୍ବାସ୍ଥ୍ୟମନ୍ତ୍ରାଳୟର ସୂଚନା ମୁତାବକ ଆଜି ଦେଶବ୍ୟାପୀ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୯୭୪ରେ ପହଞ୍ଚିଛି। ଏଥିରୁ ୯୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୮୬୯ ଲୋକ ସଂପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଫେରିଛନ୍ତି। ଦେଶରେ ଏବେ ୨୨,୦୧୦ ସକ୍ରିୟ ମାମଲା ରହିଛି। କରୋନା ଭୂତାଣୁ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୦ରେ ପହଞ୍ଚିଛି। ଏଥିରୁ ୩୬୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୮୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୯୪ଟି ନୂଆ ମାମଲା ଠାବ ହୋଇଛି ଏବଂ ୫୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟ ପକ୍ଷରେ ଦିଲ୍ଲୀକୁ ପଛରେ ପକାଇ ଗୁଜରାଟ ଦ୍ବିତୀୟ ସ୍ଥାନକୁ ଆସିଯାଇଛି। ଗୁଜରାଟରେ ପ୍ରାୟ ୩୬୦୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୬୨ ଜଣଙ୍କ ମୃତ୍ୟୁ ଘଟିଲାଣି। ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି ଏବଂ ଆଜି ସୁଦ୍ଧା ଦିଲ୍ଲୀରେ ୩୧୦୮ ମାମଲା ଚିହ୍ନଟ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୪ ଜଣଙ୍କ ମୃତ୍ୟୁ ଘଟିଛି। ରାଜସ୍ଥାନ ତୃତୀୟ ସ୍ଥାନରେ ରହିଥିବା ବେଳେ ୨୨୬୨ ମାମଲା ସାମ୍ନାକୁ ଆସିଛି ଏବଂ ୪୬ ଜଣଙ୍କ ମୃତ୍ୟୁ ଘଟିଛି। ପଂଚମ ସ୍ଥାନରେ ଥିବା ମଧ୍ୟପ୍ରଦେଶରେ ୨୧୬୮ ମାମଲା ସାମ୍ନାକୁ ଆସିଛି ଏବଂ ୧୧୦ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଭୋପାଳ ଏବଂ ଇନ୍ଦୋର ସହର କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ଉତ୍ତର ପ୍ରଦେଶରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି ଏବଂ ଏଠାରେ ୧୯୫୫ ଜଣ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ ୩୧ ଜଣ କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ତାମିଲନାଡ଼ୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩୭ରେ ପହଞ୍ଚିଛି ଏବଂ ୨୪ ଜଣଙ୍କ ମୃତ୍ୟୁ ଘଟିଛି।

ଦେଶର ସମସ୍ତ ହଟ୍‌ସ୍ପଟ୍‌ ‌ତଥା ରେଡ୍‌ ଏବଂ ଅରେଂଜ୍‌ ଜୋନ୍‌ ଉପରେ କେନ୍ଦ୍ର ସରକାରଙ୍କ ସତର୍କ ନଜର ରହିଛି। ହଟ୍‌ସ୍ପଟ ଅଂଚଳରେ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଉଥିବା ଲୋକଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ଼ କରିବାକୁ କୁହାଯାଇଛି। କର୍ଣ୍ଣାଟକର ଗ୍ରୀନ୍‌ ଜୋନ୍‌ରେ ଆସୁଥିବା ୧୪ଟି ଜିଲ୍ଲାରେ ଲକ୍‌ଡାଉନ୍‌ କୋହଳ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଦିଲ୍ଲୀର ପରିସ୍ଥିତି ସମୀକ୍ଷା କରିଛନ୍ତି ଏବଂ ପ୍ରତ୍ୟେକ ଜିଲ୍ଲାରେ ନିରୀକ୍ଷଣ ବ୍ୟବସ୍ଥା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନାକୁ ନେଇ ଦେଶବ୍ୟାପୀ ଲୋକଙ୍କ ମଧ୍ୟରେ ଭୟ ବଢ଼ୁଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ହସ୍ପିଟାଲଗୁଡ଼ିକରେ ସଂକ୍ରମଣ ଆଶଙ୍କା ଅଧିକ ରହୁଛି। ସୁପ୍ରିମ୍‌ କୋର୍ଟ ଆଜି ଅଣ କୋଭିଡ ଅଂଚଳର ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟ ତୁରନ୍ତ ପିପିଇ କିଟ୍‌ ‌ଯୋଗାଣ ସୁନିଶ୍ଚିତ କରିବାକୁ କହିଛନ୍ତି। ଅହମଦାବାଦର ଏଲ୍‌ଜି ହସ୍ପିଟାଲର ୧୭ ଜଣ ଡାକ୍ତର ଏବଂ ୫ ଜଣ ନର୍ସ କରୋନା ଆକ୍ରାନ୍ତ ହୋଇଛନ୍ତି। ହସ୍ପିଟାଲକୁ ସିଲ୍‌ କରି ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ମହାରାଷ୍ଟ୍ରରେ ମଧ୍ୟ ପୂର୍ବରୁ ୨ଟି ବଡ଼ ହସ୍ପିଟାଲ ସଂକ୍ରମଣ ଯୋଗୁଁ ସିଲ୍‌ ହୋଇଛି।

୮୦ଟି ଜିଲ୍ଲାରେ କରୋନାଭୂତାଣୁ ମାମଲା ଶୂନ, ଆରୋଗ୍ୟ ହାର ୨୩.୩ ପ୍ରତିଶତ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଧନ ସୂଚନା ଦେଇଛନ୍ତି ଯେ ଗତ ୭ ଦିନ ମଧ୍ୟରେ ଦେଶର ୮୦ଟି ଜିଲ୍ଲାରେ କୌଣସି କୋଭିଡ୍‌-୧୯ ସଂକ୍ରମିତ ହୋଇଥିବାର ମାମଲା ନାହିଁ। ଏହା ସହିତ ଦେଶରେ ମେ ୩୧ ସୁଦ୍ଧା ଦୈନିକ ୧ ଲକ୍ଷ କରୋନା ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ଗତ ୧୪ ଦିନ ମଧ୍ୟରେ ୪୭ଟି ଜିଲ୍ଲାରେ କୌଣସି ସଂକ୍ରମଣ ମାମଲା ନଥିବା ବେଳେ ଗତ ୨୧ ଦିନ ମଧ୍ୟରେ ୩୯ଟି ଜିଲ୍ଲାରେ ଏବଂ ଗତ ୨୮ ଦିନ ମଧ୍ୟରେ ୧୭ଟି ଜିଲ୍ଲାରେ କୌଣସି ସଂକ୍ରମଣ ମାମଲା ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଦେଶର ୩୦୦ଟି ଜିଲ୍ଲାରେ ହଟ୍‌ସ୍ପଟ୍ ଆଦୌ ନଥିବା ଆଶ୍ବସ୍ତିର କାରଣ ବୋଲି ସେ କହିଛନ୍ତି। ୧୨୯ଟି ଜିଲ୍ଲାରେ କୋଭିଡ୍‌-୧୯ ସଂକ୍ରମିତ ବ୍ୟକ୍ତି ଅଧିକ ଥିବାରୁ ହଟ୍‌ସ୍ପଟ୍‌ ଘୋଷଣା କରାଯାଇଛି। ଦେଶରେ କରୋନାରୁ ଆରୋଗ୍ୟ ହାର ୨୩ ପ୍ରତିଶତରୁ ଅଧିକ ରହିଛି। ଆଜି ଆରୋଗ୍ୟ ହାର ୨୩.୩ ପ୍ରତିଶତରେ ପହଞ୍ଚିଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe