କଡ଼ା କଟକଣା ସତ୍ତ୍ବେ ଚୀନରେ କରୋନା ସଂକ୍ରମଣ ବଢ଼ୁଛି

କଡ଼ା କଟକଣା ସତ୍ତ୍ବେ ଚୀନରେ କରୋନା ସଂକ୍ରମଣ ବଢ଼ୁଛି

The New York Times

ବେଜିଂ : ଚୀନ ସରକାର ଶୂନ୍ୟ କୋଭିଡ଼ ନୀତି ଆପଣାଇଛନ୍ତି। ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ କଡ଼ା କଟକଣା ଜାରି କରାଯାଇଛି। ଏହା ସତ୍ତ୍ବେ ଚୀନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମେ ମାସ ପ୍ରାରମ୍ଭରେ କରୋନା ସଂକ୍ରମଣ ହାର ଯାହା ଥିଲା ଏବେ ସଂକ୍ରମଣ ହାର ତାହାଠାରୁ ଅଧିକ ହେଲାଣି। ଲକଡାଉନ ଓ ସଟଡାଉନ ସତ୍ତ୍ବେ ଗୁରୁବାର ଦେଶରେ ନୂଆ କରୋନା ସଂକ୍ରମଣ ମାମଲା ୩୮୦୦ ରହିଛି। ବୁଧବାର ତୁଳନାରେ ଗୁରୁବାର ସଂକ୍ରମଣ ୨୨ ପ୍ରତିଶତ ବଢ଼ିଛି।

ଦେଶର ଉତ୍ପାଦନ କେନ୍ଦ୍ର ଭାବେ ପରିଚିତ ଗୁଆଙ୍ଗଝୁ ସହରରେ ମଧ୍ୟ ସଂକ୍ରମଣ ବଢ଼ିଛି। ଏଠାରେ ଅତିକମ୍‌ରେ ଗୋଟିଏ ଜିଲ୍ଲାରେ ବିଦ୍ୟାଳୟକୁ ପିଲା ଆସିବା ଏବଂ ଏକାଠି ଖାଇବାକୁ ବନ୍ଦ କରାଯାଇ ଥିବା ସତ୍ତ୍ବେ ଶୁକ୍ରବାର ୫୭୨ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୂନ୍ୟ କରୋନା ନୀତି ସପକ୍ଷରେ ରହିଛନ୍ତି। ତେଣୁ ନିକଟ ଭବିଷ୍ୟତରେ କଡ଼ା କଟକଣା ହଟିବାର ଯୋଜନା ନାହିଁ ବୋଲି ଜଣେ ଅଧିକାରୀ କହିଛନ୍ତି। ସୀମାରେ ଲୋକଙ୍କୁ ଅଟକାଇବା ସହିତ ବହୁଲୋକଙ୍କର ଟେଷ୍ଟିଂ ଏକସଙ୍ଗରେ କରିବା ଏବଂ ଯେଉଁଠି ସଂକ୍ରମଣ ବୃଦ୍ଧି ପାଉଛି ସେଠାରେ ଲକଡାଉନ୍ ଜାରି କରାଯାଉଛି। ଇନର୍‌ ମଙ୍ଗୋଲିଆରେ ୭୬୪ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଚୀନର ପ୍ରଦେଶ ଗୁଡ଼ିକ ତୁଳନାରେ ଏହା ସବୁଠୁ ଅଧିକ। ଜିଆନଜିଙ୍ଗର ଅଧିକାଂଶ ସ୍ଥାନକୁ ୮୦ ଦିନରୁ ଅଧିକ ଦିନ ହେଲା ଲକଡାଉନ ରଖାଯାଇଛି।

ଲୋକମାନେ ଦୀର୍ଘଦିନ ଘରେ କ୍ବାରାଣ୍ଟିନରେ ରହିବା ଫଳରେ ସେମାନଙ୍କ ମଧ୍ୟରେ ବିରକ୍ତି ଭାବ ବୃଦ୍ଧି ପାଇଲାଣି। ବିଶ୍ବର ସର୍ବବୃହତ୍ ଆଇଫୋନ ଉତ୍ପାଦନ କାରଖାନା ରହିଥିବା ଝେଙ୍ଗଝୁରେ ମଧ୍ୟ ପରିସ୍ଥିତି ଭଲ ନାହିଁ। ଆପଲ୍‌ ପାଇଁ ଏଠାରେ ଆଇଫୋନ ନିର୍ମାଣ କରୁଥିବା ଫକ୍ସକନ ଟେକ୍ନୋଲୋଜି ପରିସରରେ କରୋନା ସଂକ୍ରମଣ ଦେଖାଦେବାରୁ ଉକ୍ତ କାରଖାନା ନିକଟ ଅଞ୍ଚଳକୁ ଗତ ବୁଧବାର ଲକଡାଉନ ଘୋଷଣା କରାଯାଇଥିଲା। କାରଖାନା ଭିତରେ ରହିବାକୁ ଏଡ଼ାଇବା ପାଇଁ ଶତାଧିକ କର୍ମଚାରୀ ଚାଲି ଚାଲି ବାହାରକୁ ପଳାଉଥିବା ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ ଅଧିକାରୀଙ୍କ କହିବାନୁଯାୟୀ, ଗୁରୁବାର ଫକ୍ସକନ କାରଖାନାରେ ଉତ୍ପାଦନ ସ୍ବାଭାବିକ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe