festo.com
୨୪ ଘଣ୍ଟାରେ ୧,୫୨,୭୩୪ ନୂତନ ସଂକ୍ରମିତ, ୩,୧୨୮ ମୃତ
ନୂଆଦିଲ୍ଲୀ : ଦେଶରେ କରୋନା କୋପ କମିବାରେ ଲାଗିଛି। ଗତ ସପ୍ତାହରେ ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ୨ ଲକ୍ଷ ପାଖାପାଖି ରହୁଥିବା ବେଳେ ଦୀର୍ଘ ଚାରି ଦିନ ହେଲା ତାହା ଲଗାତାର ଦୁଇ ଲକ୍ଷର ଯଥେଷ୍ଟ ତଳେ ରହିବା ସହ ମୃତକଙ୍କ ସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ହୋଇ ଚାଲିଛି। ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ବେ ସେହି ଅନୁସାରେ କମ୍ ସଂକ୍ରମିତ ଚିହ୍ନଟ ହେବା ମଧ୍ୟ ଆଶ୍ବସ୍ତିର ବିଷୟ ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସକାଳ ୮ଟା ସୁଦ୍ଧା ମିଳିଥିବା ସୂଚନାନୁଯାୟୀ ଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୫୨,୭୩୪ ଜଣ ନୂତନ ସଂକ୍ରମିତ ଠାବ ହୋଇଛନ୍ତି ଯାହା କି ଗତ ଏପ୍ରିଲ ୧୦ ତାରିଖ ପରଠାରୁ ଅର୍ଥାତ୍ ୫୨ ଦିନ ମଧ୍ୟରେ ସର୍ବନିମ୍ନ ବୋଲି ଜଣାଯାଇଛି। ଏହି ରବିବାରର ସଂଖ୍ୟାକୁ ମିଶାଇ ଅଦ୍ୟାବଧି ମୋଟ ୨,୮୦,୪୭,୫୩୪ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହି ନୂତନ ସଂକ୍ରମିତଙ୍କ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୨୮,୮୬୪ ଜଣ ଆକ୍ରାନ୍ତ ଠାବହୋଇଥିବା ବେଳେ ତାହା ପଛକୁ କର୍ଣ୍ଣାଟକରେ ୨୦,୩୭୮ ଜଣ, କେରଳରେ ୧୯,୮୯୪ ଜଣ, ମହାରାଷ୍ଟ୍ରରେ ୧୮,୬୦୦ ଜଣ ଓ ଆନ୍ଧ୍ରପ୍ରଦେଶରେ ୧୩,୪୦୦ ଜଣ ସଂକ୍ରମିତ ବାହାରିଛନ୍ତି। ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୩,୧୨୮ ଜଣ କୋଭିଡ୍ ପୀଡ଼ିତଙ୍କର ମୃତ୍ୟୁ ଘଟିଥିବା ବେଳେ ଗତ ତିନି ସପ୍ତାହରେ ଏହା ସର୍ବନିମ୍ନ ବୋଲି ଜଣାଯାଇଛି। ଏଥି ସହିତ ଦେଶରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୩,୨୯,୧୦୦ରେ ପହଞ୍ଚିଛି। ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୮୧୪ ଜଣ ହୋଇଥିବା ବେଳେ ତାହା ପଛକୁ ତାମିଲନାଡୁରେ ୪୯୩ ଜଣ, କର୍ଣ୍ଣାଟକର ୩୮୧ ଜଣ, କେରଳେର ୧୮୬ ଜଣ ଓ ପଶ୍ଚିମବଙ୍ଗରେ ୧୪୨ ଜଣ ରହିଛନ୍ତି।
ସେହିପରି ଲଗାତାର ୧୮ ଦିନ ପାଇଁ ରବିବାର ମଧ୍ୟ ନୂତନ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସଂଖ୍ୟକ ବ୍ୟକ୍ତି କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ୨୪ ଘଣ୍ଟା ଭିତରେ ଦେଶରେ ୨,୩୮,୦୨୨ ଜଣ ଆରୋଗ୍ୟଲାଭ କରିଥିବା ବେଳେ ଅଦ୍ୟାବଧି ମୋଟ ୨,୫୬,୯୨,୩୪୨ ଜଣ ସୁସ୍ଥ ହୋଇଛନ୍ତି ଯାହା କି ମୋଟ ସଂକ୍ରମିତଙ୍କର ୯୧.୬ ପ୍ରତିଶତ ପରି ଉଚ୍ଚ ସ୍ତରରେ ପହଞ୍ଚିଛି। ଏଥି ସହିତ ଦେଶରେ ସକ୍ରିୟ ମାମଲା ୨୦,୨୬,୦୯୨କୁ ଖସି ଆସିଛି ଯାହା ମୋଟ ସଂକ୍ରମିତଙ୍କର ମାତ୍ର ୭.୨୨ ପ୍ରତିଶତ ପରି ନିମ୍ନସ୍ତରରେ ପହଞ୍ଚିଛି। ଲଗାତାର ସପ୍ତମ ଦିନ ପାଇଁ ଏପରି ସକ୍ରିୟ ହାର ୧୦ ପ୍ରତିଶତର ଯଥେଷ୍ଟ ତଳେ ରହିଛି। ସେହିପରି ଅଦ୍ୟାବଧି ମୋଟ ୨୧,୨୨,୩୮,୬୫୨ ଜଣ ଦେଶବାସୀଙ୍କର ଟିକାକରଣ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି।
Follow Us