reuters.com
ନୂଆଦିଲ୍ଲୀ : ଭାରତରେ କରୋନାଭାଇରସ୍ର ଦ୍ବିତୀୟ ଲହର ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପ୍ରତିଦିନ ଦେଶରେ ସଂକ୍ରମଣ ନୂଆ ରେକର୍ଡ ସୃଷ୍ଟି କରୁଛି। ବିଗତ ୨୪ ଘଣ୍ଟା ମଧ୍ୟରେ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ଏବଂ ୪,୧୪,୧୮୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୩୯୧୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ୁଥିବାରୁ ଭୟ ବଢ଼ିଛି। ଦେଶରେ ସକ୍ରିୟ ମାମଲା ମଧ୍ୟ ୩୬ ଲକ୍ଷ ପାର ହୋଇଯାଇଥିବା ବେଳେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ୟା ବଢ଼ିଛି।
ଦେଶବ୍ୟାପୀ ଆଜି ସୁଦ୍ଧା କରୋନାରୁ ୧ କୋଟି ୭୬ ଲକ୍ଷ ୧୨ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ ସୁସ୍ଥ ହେବା ହାର ହ୍ରାସ ପାଇବାରେ ଲାଗିଛି ଏବଂ ଏହା ୮୧.୯୯ ପ୍ରତିଶତରେ ପହଞ୍ଚିଛି। ଏହା ସହିତ ସକ୍ରିୟ ମାମଲା ଲଗାତାର ବଢ଼ିବାରେ ଲାଗିଛି। ଆଜି ଦେଶରେ ମୋଟ୍ ସକ୍ରିୟ ମାମଲା ୩୬ ଲକ୍ଷ ୪୫ ହଜାର ୧୬୪ ରହିଛି। ଏହା ମୋଟ ସଂକ୍ରମଣ ସଂଖ୍ୟାର ୧୬.୯୨ ପ୍ରତିଶତ।
ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକରେ କରୋନା ସଂକ୍ରମଣକୁ ନେଇ ସବୁଠାରୁ ଖରାପ ସ୍ଥିତି ରହିଛି। କର୍ଣ୍ଣାଟକ ସରକାର ମେ’ ୧୦ରୁ ୨୪ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ସପ୍ତାହେ ହେଲା ୬୦ ହଜାର ପାଖାପାଖି ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୨୧୯୪ ଜଣ ସଂକ୍ରମିତ ହୋଇଥିବା ବେଳେ ଆରୋଗ୍ୟ ହାର ୮୫.୮୪ ପ୍ରତିଶତ ରହିଛି। ମୁମ୍ବାଇରେ ପରିସ୍ଥିତି ବହୁତ ଖରାପ ରହିଛି ଏବଂ ଦିନକରେ ୩୦୫୬ ଜଣ ସଂକ୍ରମିତ ହୋଇଛନ୍ତି।
Follow Us