କରୋନା ଟିକା‌ ଲୋକଙ୍କୁ ଗୁରୁତର ହେବାରୁ ରକ୍ଷା କରିବ, ସଂକ୍ରମଣରୁ ନୁହେଁ: ରଣଦୀପ ଗୁଲେରିଆ

କରୋନା ଟିକା‌ ଲୋକଙ୍କୁ ଗୁରୁତର ହେବାରୁ ରକ୍ଷା କରିବ, ସଂକ୍ରମଣରୁ ନୁହେଁ: ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଉପରେ ଆଜି ଦୁଇ ଜଣ ବରିଷ୍ଠ ଡାକ୍ତର ନାରାୟଣ ହେଲଥର ଅଧ୍ୟକ୍ଷ ଡାକ୍ତର ଦେବୀ ସେଟ୍ଟୀ ଏବଂ ମେଦାନ୍ତର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନଙ୍କ ସହ ଆଲୋଚନା କରିଥିଲେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ।  ଏହି ଆଲୋଚନାରେ ଦେଶରେ ଟିକାର ଅଭାବ, ଅମ୍ଲଜାନର ଅଭାବ ଏବଂ ଟିକାର ପ୍ରକୃତ କାମ କଣ ସେ ବିଷୟରେ ଜଣାଇଥିଲେ।

କରୋନା ଟିକାର ପ୍ରକୃତ କାମ ବିଷୟରେ ଜଣାଇ ରଣଦୀପ ଗୁଲେରିଆ କହିଥିଲେ ଯେ, କରୋନା ଟିକା ଆପଣଙ୍କୁ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବା ପରେ ଗୁରୁତର ହେବାରୁ ରକ୍ଷା କରିବ। ଏହା ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରିପାରିବ ନାହିଁ। ବୁଝିବା ଜରୁରୀ ଯେ, ଟିକା ନେବା ପରେ ମଧ୍ୟ ଆମେ କରୋନା ଆକ୍ରାନ୍ତ ହୋଇ ପାରିବା। ଆମର ଆରଟି-ପିସିଆର ରିପୋର୍ଟ ପଜିଟିଭ ଆସିପାରେ। କିନ୍ତୁ ଆମେ ଗୁରୁତର ବା ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ସ୍ଥିତିକୁ ଯିବା ନାହିଁ। ଟିକା ନେବା ପରେ ମଧ୍ୟ ଆମକୁ ମାସ୍କ ପିନ୍ଧିବାକୁ ହେବ। କାରଣ ଯଦି ଆମ ସଂସ୍ପର୍ଶରେ ଆସୁଥିବା ଲୋକେ ଟିକା ନେଇନଥିବେ, ତେବେ‌ ସେମାନେ କରୋନା ଆକ୍ରାନ୍ତ ହୋଇ ଗୁରୁତର ହେବାର ଆଶଙ୍କା ରହିଛି।

publive-image ani

ଅମ୍ଲଜାନ ଅଭାବ ଉପରେ ଆଲୋଚନା କରି ମେଦାନ୍ତର ଅଧ୍ୟକ୍ଷ ଡାକ୍ତର ତ୍ରେହାନ କହିଥିଲେ ଯେ, ଅମ୍ଳଜାନ ହେଉଛି ଏକ ଚିକିତ୍ସା, ଏହା ଏକ ଔଷଧ ପରି। ଅମ୍ଲଜାନର ଆବଶ୍ୟକତା ନଥାଇ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ। ଯଦି ଆମେ ସମସ୍ତେ ଏକ ହୋଇ ଦରକାର ଅନୁଯାୟୀ ଅମ୍ଲଜାନ ବ୍ୟବହାର କରିବା ତେବେ ଏହାର ଅଭାବ ଦେଖାଯିବ ନାହିଁ। ଅମ୍ଳଜାନର ଅପଚୟ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଅମ୍ଲଜାନ ପାଇବାରୁ ବଞ୍ଚିତ କରିବ।  ଏହା ସହ ସେ କହିଥିଲେ ଯେ, କରୋନା ଆକ୍ରାନ୍ତ ହୋଇଥିବା ସମସ୍ତଙ୍କୁ ରେମଡେସିଭିର ଦିଆଯିବାର କୌଣସି ଆବଶ୍ୟକତା ନାହିଁ। ଜଣେ ଯଦି କରୋନା ପଜିଟିଭ ହେଉଛି, ତେବେ ଆକ୍ରାନ୍ତର ସ୍ଥିତି ଦେଖି ଏବଂ ସେ କେତେ ଗୁରୁତର ତାହା ଦେଖି ଡାକ୍ତର ସେମାନଙ୍କୁ ରେମଡେସିଭିର ନେବା ପାଇଁ କହିବେ। ସମସ୍ତ ଆକ୍ରାନ୍ତ ଯେ ରେମଡେସିଭିର ନେବା ଜରୁରୀ ତାହା ଭୁଲଧାରଣା।

ଅନ୍ୟପକ୍ଷରେ, ନାରାୟଣ ହେଲଥର ଡାକ୍ତର ସେଟ୍ଟୀ କହିଥିଲେ, ଯଦି ଆପଣଙ୍କର ଅମ୍ଲଜାନ ୯୪% ରୁ ଅଧିକ ରହୁଛି ତେବେ କୌଣସି ଅସୁବିଧା ନାହିଁ। କିନ୍ତୁ ଯଦି ବ୍ୟାୟାମ ପରେ ଏହା କମିବାକୁ ଲାଗୁଛି, ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ଆପଣ ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ପାଇବା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ କରୋନା ଆକ୍ରାନ୍ତ ହେଉଛନ୍ତି, ତେବେ ଡାକ୍ତରଙ୍କୁ ଦେଖାନ୍ତୁ ଏବଂ ତାଙ୍କ ମତାମତ ନିଅନ୍ତୁ। ଭୟ କରନ୍ତୁ ନାହିଁ, କ‌ରୋନା ବର୍ତ୍ତମାନ ସାଧାରଣ ଅଟେ। ଏହା ଏକ ଏମିତି ସମସ୍ୟା ଯାହାର ସମାଧାନ ହୋଇପାରିବ ଯଦି ଆପଣ ପ୍ରାଥମିକ ପର୍ଯ୍ୟାୟରେ ଡାକ୍ତରଙ୍କୁ ଦେଖାଇବେ ଏବଂ ଡାକ୍ତରଙ୍କ ନିର୍ଦ୍ଦେଶ ପାଳନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe