କରୋନାର ସଫଳ ମୁକାବିଲା କରୁଛି କେରଳ, ଭାଇରସ୍‌ ନିୟନ୍ତ୍ରଣ ଦିଗରେ ବଳିଷ୍ଠ ପଦ‌କ୍ଷେପ ଗ୍ରହଣ କରିଛି

Advertisment
କରୋନାର ସଫଳ ମୁକାବିଲା କରୁଛି କେରଳ, ଭାଇରସ୍‌ ନିୟନ୍ତ୍ରଣ ଦିଗରେ ବଳିଷ୍ଠ ପଦ‌କ୍ଷେପ ଗ୍ରହଣ କରିଛି

ଥିରୁବନନ୍ତପୁରମ୍‌: କେରଳରେ ଗତ କିଛି ଦିନ ମଧ୍ୟରେ ନୂଆ କରୋନା ମାମଲା ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ରହିଛି। କେରଳରେ ଜାନୁଆରି ୩୦ରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା ଏବଂ ଏପ୍ରିଲ ୧୩ ତାରିଖ ସୁଦ୍ଧା ଏହା ୩୭୮କୁ ବୃଦ୍ଧି ପାଇଛି। ଏଯାବତ୍‌ କେରଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୯୮ ଜଣ କରୋନାରୁ ସୁସ୍ଥ ‌ହୋଇଛନ୍ତି। ମାର୍ଚ୍ଚ ୨୭ରେ କେରଳରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଥିଲା ଏବଂ ମାର୍ଚ୍ଚ ୧୯ ତାରିଖରେ ସବୁଠୁ କମ୍‌ (୧) ଥିଲା। ଏପ୍ରିଲ ୧୨ ତାରିଖରେ କେରଳରେ ମାତ୍ର ୨ଟି ମାମଲା ରହିଛି। ତେବେ ଦେଶରେ ପ୍ରଥମ କରୋନା ମାମଲା କେରଳରେ ଚିହ୍ନଟ ହୋଇଥିଲେ ବି କେରଳ କରୋନାକୁ ଅତି ଭଲଭାବେ ମୁକାବିଲା କରିପାରିଛି। ଆଗୁଆ ଚିହ୍ନଟ, ବ୍ୟାପକ ଟେଷ୍ଟିଂ ଏବଂ କଣ୍ଟାକ୍ଟ ଟ୍ରେସିଂ ସହ ୧୪ ଦିନ କ୍ବାରାଣ୍ଟିନ୍‌ ବଦଳରେ ୨୮ ଦିନିଆ କ୍ବାରାଣ୍ଟିନ୍‌ ପାଇଁ କେରଳ କରୋନା ଭାଇରସ୍‌କୁ ସଠିକ୍‌ ଭାବେ ନିୟନ୍ତ୍ରଣ କରିପାରିଛି।

ଜାନୁଆରି ୧୮ ତାରିଖରୁ କେରଳ ସରକାର କୋଭିଡ୍‌-୧୯ ପାଇଁ ସଚେତନ ବାର୍ତ୍ତା ଜାରି କରିଥିଲେ ଏବଂ ବିଦେଶରୁ ଫେରିଥିବା ନାଗରିକଙ୍କୁ ସ୍କ୍ରିନିଂ ଆରମ୍ଭ କରିଥିଲେ। ବିଦେଶରୁ ଫେରିଥିବା ନାଗରିକଙ୍କୁ ହେଲ୍‌ଥ କାର୍ଡ ଦିଆଯାଇଥିଲା। ଏହି କାର୍ଡରେ ସେମାନେ ସେମାନଙ୍କ ବିସ୍ତୃତ ଯାତ୍ରା ବିବରଣୀ ଏବଂ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଲେଖିବାକୁ କୁହାଯାଇଥିଲା। ରାଜ୍ୟର ସମସ୍ତ ୫ଟି ବିମାନବନ୍ଦରକୁ ଜିଲ୍ଲା ହସ୍ପିଟାଲ୍‌ ସହ ସଂଯୋଗ କରାଯାଇଥିଲା। କୌଣସି ଯାତ୍ରୀଙ୍କୁ ଯଦି ଜ୍ବର କିମ୍ବା ଥଣ୍ଡା ହୋଇଥିବ ସେମାନଙ୍କୁ ସିଧା ବିମାନବନ୍ଦରରୁ ହସ୍ପିଟାଲ୍‌ ପଠାଇ ଦିଆଯାଉଥିଲା। କେରଳ ସରକାର ଯୁଦ୍ଧକାଳୀନ ଭିତ୍ତିରେ କଣ୍ଟ୍ରୋଲ୍‌ ରୁମ୍‌ ପ୍ରତିଷ୍ଠା କରିବା ସହ ମାସ୍କ , ଗ୍ଲୋଭ୍ ଏବଂସ ଅନ୍ୟ ପିପିଇ ବଣ୍ଟନ କରିଛନ୍ତି। ପ୍ରଥମ ମାମଲା ଚିହ୍ନଟ ହେବାର ମାତ୍ର ସପ୍ତାହକ ମାଧ୍ୟରେ ଫେବ୍ରୁଆରି ୪ ତାରିଖରେ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ। କରୋନା ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ କେଉଁମା‌ନେ ଆସିଛନ୍ତି ସେଥିପ୍ରତି ଗୁରୁତ୍ବ ଦିଆଯାଇଥିଲା। ଜାନୁଆରି ୩୦ରୁ ମାର୍ଚ୍ଚ ୮ ମଧ୍ୟରେ ପ୍ରଥମ ‌ରୋଗୀଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଯା‌ଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହ‌ାପରେ କଲ୍‌ ଡିଟେଲସ ଏବଂ ସିସିଟିଭି ଫୁଟେଜ୍‌ ଆଧାରରେ ପ୍ରତି ପ୍ରଭାବିତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ ହେଲା। ହୋମ୍‌ କ୍ବାରାଣ୍ଟିନ୍‌କୁ କେରଳରେ ସବୁଠୁ ଅଧିକ କଡ଼ାକଡ଼ି କରାଯାଇଛି। ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ୧୨,୪୭୦ ଜଣ ହୋମ୍‌ କ୍ବାରାଣ୍ଟିନ୍‌ରେ ଥିବାବେଳେ ଏହା ଏପ୍ରିଲ ୧୧ ବେଳକୁ ୧,୨୨,୬୭୬କୁ ବୃଦ୍ଧି ପାଇଥିଲା। ହୋମ୍‌ କ୍ବାରାଣ୍ଟିନ୍‌ରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୪ ଦିନ ବଦଳରେ ୨୮ ଦିନ କ୍ବାରାଣ୍ଟିନ୍‌ରେ ରହିବାକୁ ଦିଆଯାଇଛି ଏବଂ ଏମାନଙ୍କୁ ପ୍ରତିଦିନ ସରକାରୀ କର୍ତ୍ତୃପକ୍ଷ ୨ରୁ ୩ ଥର କଲ୍‌ କରନ୍ତି। ହୋମ୍‌ କ୍ବାରାଣ୍ଟିନ୍‌ରେ ଥିବା ଲୋକ ଘରେ ରହିଛନ୍ତି କି ନା' ତାହା ନିଶ୍ଚିତ ହେବାପାଇଁ ୧୬,୦୦୦ ସଦସ୍ୟ କାମ କରୁଛନ୍ତି। ଏପ୍ରିଲ ୧୨, ସୁଦ୍ଧା ୧୪,୯୮୯ ନମୁନା ଟେଷ୍ଟିଂ ପାଇଁ ପଠାଯାଇଥିବାବେଳେ ଏଥିରୁ ୧୩,୮୦୨ ଟି ନମୁନା ରିପୋର୍ଟ ନେଗେଟିଭ୍‌ ଆସିଛି। ଏପ୍ରିଲ ୧ରୁ ୧୩ ମଧ୍ୟରେ କେରଳ ଏହାର ୩.୪ କୋଟି ଜନସଂଖ୍ୟା ପାଇଁ ପ୍ରତି ଏକ ନିୟୁତ ଲୋକରେ ୨୨୭ଟି ଟେଷ୍ଟ୍‌ କରିଛି। ତେବେ ମାର୍ଚ୍ଚ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଘୋଷଣା କରି କହିଥିଲେ ଯେ, ରାଜ୍ୟ ଏବେ ରୢାପିଡ୍‌ ଟେଷ୍ଟିଂ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe