ବେଜିଂ/ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଏବେ ପୂରା ବିଶ୍ବ ସଙ୍କଟଗ୍ରସ୍ତ ହୋଇଛି। ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ୩ ହଜାରରେ ପହଞ୍ଚି ସାରିଛି ଏବଂ ବିଶ୍ବବ୍ୟାପୀ ପ୍ରାୟ ୯୦ ହଜାର ଲୋକ ଆକ୍ରାନ୍ତ ହୋଇଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ପକ୍ଷରୁ ଆଜି କରୋନାକୁ ‘ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସଙ୍କଟ’ ଭାବେ ଘୋଷଣା କରାଯାଇଛି। ସମସ୍ତ ରାଷ୍ଟ୍ର ଯୁଦ୍ଧକାଳୀନ ଭିତ୍ତିରେ କରୋନା ମୁକାବିଲା ପାଇଁ ଉପାୟ ଗ୍ରହଣ କରିବାକୁ ଡବ୍ଲୁଏଚ୍ଓ ସତର୍କ କରାଇ ଦେଇଛି। ଭାରତ ସରକାର ମଧ୍ୟ କରୋନା ମୁକାବିଲା ପାଇଁ ଏବେ ଅନେକ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି। ଦିଲ୍ଲୀ ଏବଂ ହରିୟାଣାରେ କରୋନା ସନ୍ଦିଗ୍ଧଙ୍କ ପାଇଁ ସେନା ପରିଚାଳନାରେ ଚାଲିଥିବା ସ୍ବତନ୍ତ୍ର ଶିବିରକୁ ଅଧିକ ଉନ୍ନତ ଓ ସଂପ୍ରସାରିତ କରାଯାଉଛି। ଇରାନ୍ରେ କରୋନାକୁ ନେଇ ଉଦ୍ବେଗଜନକ ସ୍ଥିତି ଜାରି ରହିଥିବା ବେଳେ କେରଳର ୧୭ ଜଣ ମତ୍ସ୍ୟଜୀବୀ ସେଠାରେ ଫସିଛନ୍ତି। ଇରାନ୍ ସରକାରଙ୍କ କଠୋର କଟକଣା ଯୋଗୁଁ ସେମାନେ ଦେଶକୁ ଫେରିପାରୁନଥିବାରୁ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଇରାନ୍ରେ ଭାରତୀୟ ଦୂତାବାସ ଏ ଦିଗରେ ତତ୍କାଳ ପଦକ୍ଷେପ ଗ୍ରହଣ କରି ଇରାନ୍ କର୍ତ୍ତୃପକ୍ଷଙ୍କ ସହ ଲଗାତାର ସଂପର୍କରେ ଅଛନ୍ତି। ନିକଟରେ ମାଲେସିଆରୁ କେରଳକୁ ଫେରିଥିବା କନ୍ନୁରର ଜଣେ ବାସିନ୍ଦା ଶୁକ୍ରବାର ରାତିରେ ନିମୋନିଆରେ ପ୍ରାଣ ହରାଇଛନ୍ତି। ତାଙ୍କର କରୋନା ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଥିଲା।
କରୋନା ଭାଇରସକୁ ‘ସବୁଠାରୁ ବଡ଼ ସ୍ବାସ୍ଥ୍ୟ ସଙ୍କଟ’ ଘୋଷଣା କଲା ଡବ୍ଲୁଏଚ୍ଓ, ଇରାନ୍ରେ ଫସିଛନ୍ତି କେରଳର ୧୭ ମତ୍ସ୍ୟଜୀବୀ
Advertisment
Follow Us