Hindustan
ପଟ୍ନା: ଦୁଇ ସପ୍ତାହ ପରେ ଆଉ ଜଣେ ରୋଗୀ ଠାବ ହୋଇଥିଲେ ସୁଦ୍ଧା ଏ କରୋନା ଭୂତାଣୁ ଲଢେଇରେ ବିହାର ଜମାରୁ ଚିନ୍ତାଜନକ ସ୍ଥିତିକୁ ଆସି ନାହିଁ। ମେଟ ୭୨ ଜଣ କୋଭିଡ୍-୧୯ ମାମଲା ମଧ୍ୟରୁ ୩୭ ଜଣ ସୁସ୍ଥ ହୋଇ ଘରକୁ ବାହୁଡ଼ିଛନ୍ତି। ସୁସ୍ଥ ହୋଇ ଘରକୁ ବାହୁଡ଼ିବାରେ ସର୍ବୋତ୍ତମ ସଫଳତା ବିହାର ପାଇଥିବା ବେଳେ ଏହାର ମୃତ୍ୟୁହାର ମଧ୍ୟ ସବୁଠୁ କମ୍। ୭୨ ମାମଲାରୁ ମାତ୍ର ଜଣକର ମୃତ୍ୟୁ ହୋଇଛି। ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବସଂଜୟ କୁମାର ଏ ସୂଚନା ଦେଇଛନ୍ତି। ସେ ଏକ ରୋଚକ ତଥ୍ୟ ଦେଇଛନ୍ତି ଯେ ଏହି ୭୨ଟି ଯାକ ମାମଲାରେ କାହାକୁ ବି ଭେଣ୍ଟିଲେଟର ଦରକାର ହୋଇନି। ୬୧ଟି ମାମଲାରେ ରୋଗୀଙ୍କ ବୟସ ୪୦ରୁ କମ୍। ବୋଧହୁଏ ଏଇଥିପାଇଁ ସୁସ୍ଥ ହେବାର ହାର ବେଶି।
ଡାକ୍ତରମାନେ କହିଛନ୍ତି ଯେ ଜଲ୍ଦି ନିଦାନ ହେବାରୁ ସବୁକିଛି ନିୟନ୍ତ୍ରଣରେ ରହିପାରିଛି ଏବଂ ସୁସ୍ଥହେବାର ହାର ଭଲ ଅଛି। ଡାକ୍ତରମାନେ ଉପଚାର କରିବାରେ ଆଜିଥ୍ରୋମାଇସିନ୍, ହାଇଡ୍ରୋକ୍ସିକ୍ଲୋରୋକୁଇନ୍, କଫ୍ ସିରପ୍ ଓ ବି-କଂପ୍ଲେକ୍ସ (ଭିଟାମିନ୍ ବି) ବ୍ୟବହାର କରିଛନ୍ତି। ମାର୍ଚ ୨୨ରେ ବିହାରରେ ପ୍ରଥମ କରୋନା ମୃତ୍ୟୁ ହୋଇଥିଲେ ସୁଦ୍ଧା ପରେ ଏ ଲଢେଇରେ ଜୟଲାଭ କରିଛି। ପ୍ରକୃତରେ ସେଇ ମୃତକ ଜଣକ କାତାରରେ ଡ୍ରାଇଭର ଥିଲେ। ମାର୍ଚ ୨୧ରେ ତାଙ୍କର ମୃତ୍ୟୁ ହେଲା ଏବଂ ଟେଷ୍ଟ ରିପୋର୍ଟରୁ କୋଭିଡ-୧୯ ବାହାରିଲା। ନଚେତ୍ ବିହାରର ୩୮ ଜିଲ୍ଲା ମଧ୍ୟରୁ ୨୪ ଜିଲ୍ଲାରେ ମାମଲା ଶୂନ ଥିବା ବେଳେ କେବଳ ମୁଙ୍ଗେର, ବେଗୁସରାଇ, ନାଲନ୍ଦା, ପଟନା, ଗୟା, ଗୋପାଲଗଂଜ, ନୱାଦା, ଲଖିସରାଇ, ସରନ୍, ଭାଗଲପୁର ଓ ବୈଶାଳୀରେ ଜଣେରୁ ୮ ଜଣ ପର୍ଯ୍ୟନ୍ତ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
Follow Us