HuffPost India
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ ଲକ୍ଷ ଟପିଯାଇଛି। ସେପ୍ଟେମ୍ବର ମାସର ପ୍ରଥମ ଦିନରେ ଦେଶରେ ୭୮ ହଜାର ୩୫୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଆରୋଗ୍ୟଙ୍କ ସଂଖ୍ୟା ୨୯ ଲକ୍ଷ ଟପିବା ସହ ଆରୋଗ୍ୟ ହାର ୭୬.୯୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧.୦୪୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁସଂଖ୍ୟା ୬୬ ହଜାର ୩୩୩କୁ ବୃଦ୍ଧି ପାଇଛି। ତେବେ ଦେଶରେ ସକ୍ରିୟ ମାମଲା ଗତ କିଛି ସପ୍ତାହ ମଧ୍ୟରେ ବୃଦ୍ଧି ପାଇଛି। ସକ୍ରିୟ ମାମଲା ୮ ଲକ୍ଷ ଟପିଯାଇଛି। ସକ୍ରିୟ ମାମଲା ୭ ଲକ୍ଷରୁ ୮ ଲକ୍ଷ ହେବାପାଇଁ ୧୧ ଦିନ ଲାଗିଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ୬ ଲକ୍ଷରୁ ୭ ଲକ୍ଷ ହେବାପାଇଁ ୧୫ ଦିନ ଲାଗିଥିଲା। ଗତ ସପ୍ତାହରେ ଦେଶରେ ସକ୍ରିୟ ମାମଲା ବୃଦ୍ଧି ପାଇଛି।
ଆମେରିକା ପରେ ବିଶ୍ବରେ ସର୍ବାଧିକ ସକ୍ରିୟ ମାମଲା ଭାରତରେ ରହିଛି। କେବଳ ଆମେରିକା, ବ୍ରାଜିଲ୍ ଏବଂ ରୁଷ୍ର ମୋଟ୍ ସଂକ୍ରମଣ ମାମଲା ଭାରତର ସକ୍ରିୟ ମାମଲାଠାରୁ ଅଧିକ ରହିଛି। ଅନ୍ୟ ସମସ୍ତ ରାଷ୍ଟ୍ରର ମୋଟ୍ ସଂକ୍ରମଣ ମାମଲା ତୁଳନାରେ ଭାରତର ସକ୍ରିୟ ମାମଲା ଅଧିକ ରହିଛି। ଦେଶରେ ଏବେ ମୋଟ୍ ୩୭ ଲକ୍ଷ ୬୯ ହଜାର ୫୨୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ମୋଟ୍ ୨୯ ଲକ୍ଷ ୧ ହଜାର ୯୦୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୨୧.୨୬ ପ୍ରତିଶତ । ଅନ୍ୟପକ୍ଷେ ମୃତ୍ୟୁହାର ୧.୭୬ ପ୍ରତିଶତକୁ କମିଆସିଛି। ଆଇସିଏମ୍ଆର ଅନୁଯାୟୀ ସେପ୍ଟେମ୍ବର ୧ସୁଦ୍ଧା ୪ କୋଟି ୪୩ ଲକ୍ଷ ୩୭ ହଜାର ୨୦୧ ନମୁନା ପରୀକ୍ଷା କରାଯାଇଛି। ଏଥି ମଧ୍ୟରୁ ୧୦ ଲକ୍ଷ ୧୨ ହଜାର ୩୬୭ ନମୁନା ମଙ୍ଗଳବାର ପରୀକ୍ଷା କରାଯାଇଛି। ତେବେ ଭାରତର ଅଗଷ୍ଟ ମାସର ସଂକ୍ରମଣ ମାମଲା ବିଶ୍ବରେ ସର୍ବାଧିକ। ଗତ ସପ୍ତାହରେ ଲଗାତାର ୫ ଦିନ ଧରି ଦେଶରେ ୭୬ ହଜାରରୁ ଅଧିକ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି। ତେବେ ୫ଟି ରାଜ୍ୟ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଉତ୍ତରପ୍ରଦେଶରେ ଲଗାତାର ସଂକ୍ରମଣ ମାମଲା ବଢ଼ୁଛି। ଏହି ୫ଟି ରାଜ୍ୟରୁ ମଧ୍ୟ ଅଧିକାଂଶ ରୋଗୀ କରୋନାରୁ ସୁସ୍ଥ ହେଉଛନ୍ତି।
Follow Us