୩୭୦୦ ଯାତ୍ରୀ ଥିବା ଜାପାନୀ ଜାହାଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଫସି ରହିଛନ୍ତି ୧୩୮ ଭାରତୀୟ

୩୭୦୦ ଯାତ୍ରୀ ଥିବା ଜାପାନୀ ଜାହାଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଫସି ରହିଛନ୍ତି ୧୩୮ ଭାରତୀୟ

ନୂଆଦିଳ୍ଲୀ:  କୋରାନା ଭାଇରସ୍‌ ଆକ୍ରାନ୍ତ ଥିବା ହେତୁ ବିଳାସମୟ ଜାହାଜ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’କୁ ଜାପାନର ୟୋକୋହମା ବନ୍ଦରରେ ପୃଥକ୍‌ କରି ରଖାଯାଇଛି। ଏଥିରେ ଥିବା ୩୭୦୦ଜଣ ଯାତ୍ରୀଙ୍କ ମଧ୍ୟରେ ୧୩୮ ଜଣ ଭାରତୀୟ ଥିବା ସୂଚନା ମିଳିଛି। ସେ ମଧ୍ୟରୁ ୧୩୨ ଜଣ ଜାହାଜର କ୍ରିୟୁ ସଦସ୍ୟ ହୋଇଥିବା ବେଳେ ଅନ୍ୟ ୬ ଭାରତୀୟ ଯାତ୍ରୀ ବୋଲି ଅନୁମାନ କରାଯାଉଛି।

ଜାହାଜରେ ଥିବା ୩୭୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମଧ୍ୟରୁ ୬୧ ଜଣଙ୍କଠାରେ କରୋନା ଭାଇରସ୍‌ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି।  ଶୁକ୍ରବାର  ଜାପାନ ସରକାର ସେମାନଙ୍କୁ ବିଭିନ୍ନ ଡାକ୍ତରଖାନକୁ ପଠାଇଛନ୍ତି। ଆଉ ୪୧ ଜଣ ଯାତ୍ରୀ ମଧ୍ୟ କରୋନା ଭାଇରସ୍‌ ସଂକ୍ରମଣ ଆସିଥିବା କଥା ଜଣାପଡ଼ିଛି। ଏଯାଏଁ ଜାପାନୀ କର୍ତ୍ତୃପକ୍ଷ ୨୭୩ ଜଣ ଯାତ୍ରୀଙ୍କ ରକ୍ତ ନମୂନା ପରୀକ୍ଷା କରି ସାରିଲେଣି। ତେବେ ଏ ଯାବତ୍ ମିଳିଥିବା ରିପୋର୍ଟ ଅନୁସାର ଆକ୍ରାନ୍ତଙ୍କ ମଧ୍ୟରେ କୌଣସି ଭାରତୀୟ ନ ଥିବା କୁହାଯାଉଛି।

ଏ ନେଇ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌ ଜୈଶଙ୍କର ଟ୍ବିଟ୍‌ କରି କହିଛନ୍ତିି, ‘କରୋନା ଭାଇରସ୍‌ ହେତୁ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ ଜାହାଜରେ ଅନେକ ଭାରତୀୟ କ୍ରିୟୁ ଓ ଯାତ୍ରୀମାନଙ୍କୁ ଅଟକ ରଖାଯାଇଛି। ଦୂତବାସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସେମାନଙ୍କ ମଧ୍ୟରୁ କାହା ଭିତରେ ବି ଏଯାବତ୍‌ କରୋନା ଭାଇରସ୍‌ ଦେଖିବାକୁ ମିଳିନାହିଁ। ଆମେ ଏହା ଉପରେ ନଜର ରଖିଛୁ।’

ଗତ ମାସରେ ‘ଡାଇମଣ୍ଡ୍‌ ପ୍ରିନ୍‌ସେସ୍‌’ ଜାହାଜରୁ ହଂକଂଠାରେ ଓହ୍ଲାଇଥିବା ଜଣେ ୮୦ ବର୍ଷିୟ ବ୍ୟକ୍ତିଙ୍କ ଠାରେ କରୋନା ଭାଇରସ୍‌ ଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା। ସେଥିପାଇଁ ଜାନୁଆରି ୨୫ ତାରିଖରେ ହଂକଂ ବନ୍ଦର ଛାଡ଼ିଥିବା ସେ ଜାହାଜକୁ ୧୪ ଦିନ ଲାଗି ପୃଥକ୍‌ ରଖାଯିବାକୁ ଆଦେଶ ଦିଆଯାଇଥିଲା। ଗତକାଲି ସଂକ୍ରମିତ ଯାତ୍ରୀମାନଙ୍କୁ ଡାକ୍ତରଖାନା ପଠାଯାଇଥିବା କଥା ଜାପାନର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତିରୁ ଜଣାପଡ଼ିଛି। ସଂକ୍ରମିତ ୬୧ଜଣଙ୍କ ମଧ୍ୟରେ ୨୧ଜଣ ଜାପାନୀ, ଆମେରିକୀୟ, କାନଡୀୟ, ଅଷ୍ଟ୍ରେଲୀୟ, ଜଣେ ଅର୍ଜେଣ୍ଟିନୀୟ ଏବଂ ଜଣେ ବ୍ରିଟୋନ୍‌ବାସୀ ଅଛନ୍ତି । ସଂପ୍ରତି ଚୀନ୍‌ ବାହାରେ ସବୁଠୁ ଅଧିକ କରୋନା ଭାଇରସ୍‌ ଆକ୍ରାନ୍ତ ବ୍ୟକ୍ତି ଏହି ଜାହାଜରେ ଥିବା କଥା ବିଶ୍ୱାସ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe