ବ୍ରାଜିଲରୁ ଚୀନ୍‌କୁ ଆସିଥିବା ଶୀତଳୀକୃତ କୁକୁଡ଼ା ମାଂସରେ କରୋନାଭୂତାଣୁ

ସଂକ୍ରମଣ ଆଶଙ୍କାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗୁରୁତ୍ବ ଦେଉନି

ବ୍ରାଜିଲରୁ ଚୀନ୍‌କୁ ଆସିଥିବା ଶୀତଳୀକୃତ କୁକୁଡ଼ା ମାଂସରେ  କରୋନାଭୂତାଣୁ

The Indian Express

ବେଜିଂ : ଦକ୍ଷିଣ ଚୀନ୍‌ର ସେନ୍‌ଝେନ୍‌ ସହରକୁ ବ୍ରାଜିଲରୁ ଆମଦାନି ହୋଇଥିବା କୁକୁଡ଼ା ମାଂସରେ କରୋନାଭୂତାଣୁ ଥିବା ଜଣାଯାଇଛି। ଶୀତଳୀକୃତ ହୋଇ ଆସିଥିବା କିଛି କୁକୁଡ଼ା ଡେଣାର ନମୁନା ପରୀକ୍ଷାରୁ କରୋନାଭୂତାଣୁ ପଜିଟିଭ୍‌ ବାହାରିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗୁରୁବାର ସ୍ପଷ୍ଟ କରାଯାଇଛି। ସେହିପରି ଚୀନ୍‌ର ଉତ୍ତରପଶ୍ଚିମ ଜିଆନ୍‌ ସହରକୁ ଇକ୍ବେଡରରୁ ଆମଦାନି ହେଉଥିବା ସାମୁଦ୍ରିକ ଖାଦ୍ୟ ପୁଡ଼ିଆରେ ମଧ୍ୟ କରୋନାଭୂତାଣୁ ବାହାରିଥିବା ଚୀନୀ କର୍ତ୍ତୃପକ୍ଷ ଗତ ବୁଧବାର ଅବଗତ କରାଇବା ସହ ସର୍ବସାଧାରଣ ଏଥିପ୍ରତି ସଚେତନ ରହିବାକୁ ସତର୍କ କରାଇଥିଲେ। ତେବେ ଏଭଳି ଖାଦ୍ୟ ପୁଡ଼ିଆରେ କରୋନାଭୂତାଣୁର ସଂକ୍ରମଣ ଆଶଙ୍କାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗୁରୁତ୍ବ ନଦେବା ଚୀନୀ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

publive-image iProcureSecurity

ସୂଚନା ଥାଉ କି, ବେଜିଂରେ ସଂଘଟିତ ସାନି ସଂକ୍ରମଣ ସହ ଚୀନ୍‌ର ଜିନ୍‌ଫାଦି ସହର ସ୍ଥିତ ସାମୁଦ୍ରିକ ଖାଦ୍ୟ ବଜାରର ସଂଯୋଗ ଥିବା ଜଣାପଡ଼ିବା ପରେ ସ୍ଥାନୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର(ସିଡିସି) ପକ୍ଷରୁ ଗତ ଜୁନ୍‌ରୁ ବିଦେଶରୁ ଆମଦାନି ହେଉଥିବା ବିଭିନ୍ନ ପ୍ରକାର ମାଂସ ଓ ସାମୁଦ୍ରିକ ଖାଦ୍ୟର ନିୟମିତ ନମୁନା ପରୀକ୍ଷା କରାଯାଉଛି। ଏହି କ୍ରମରେ ବ୍ରାଜିଲରୁ ଆସିଥିବା କୁକୁଡ଼ା ମାଂସର ନମୁନାରେ କରୋନାଭୂତାଣୁ ସାର୍ସ-କୋଭ୍-୨ ଥିବା ସ୍ପଷ୍ଟ ହୋଇଛି। ଯଦିଓ ଭୂତାଣୁଗୁଡ଼ିକ ବିଯୁକ୍ତ ୨୦ ଡିଗ୍ରି ସେଲସିଅସ୍‌ ତାପମାତ୍ରାରେ ଦୁଇ ବର୍ଷ ଯାଏ ତିଷ୍ଠିପାରିବାର କ୍ଷମତା ରଖିଛନ୍ତି, ତେବେ ଶୀତଳୀକୃତ ଖାଦ୍ୟ ଜରିଆରେ ସଂକ୍ରମିତ ହେବାର କୌଣସି ବଳିଷ୍ଠ ପ୍ରମାଣ ନାହିଁ। ତେବେ ଲୋକେ କରୋନାଭୂତାଣୁ ସଂକ୍ରମଣ ପାଇଁ କୌଣସି ଖାଦ୍ୟ, ଖାଦ୍ୟ ପୁଡ଼ିଆ କି ଖାଦ୍ୟ ଯୋଗାଣ ଉପରେ ଭୟଭୀତ ନହେବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ କାର୍ଯ୍ୟକ୍ରମ ମୁଖ୍ୟ ମାଇକ୍‌ ରିଆନ୍‌ ପରାମର୍ଶ କରିଛନ୍ତି। ସେହିପରି ଅଭିନବ କରୋନାଭୂତାଣୁ ସାର୍ସ-କୋଭ୍‌-୨ ଯଦିଓ ଖାଦ୍ୟ ଏବଂ ଖାଦ୍ୟ ପୁଡ଼ିଆ ଭେଦ କରିବାର ସାମର୍ଥ୍ୟ ରଖିଛି, ତେବେ ଏହା ସେଠାରେ ବହୁଗୁଣିତ ହୋଇପାରିବ ନାହିଁ କି ସାଧାରଣ ତାପମାତ୍ରାରେ ବେଶୀ ସମୟ ତିଷ୍ଠି ପାରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସୁତରାଂ ଖାଦ୍ୟ କିମ୍ବା ଖାଦ୍ୟ ପୁଡ଼ିଆ ମାଧ୍ୟମରେ ଲୋକେ ସଂକ୍ରମିତ ହେଉଥିବାର କୌଣସି ନଜିର ନାହିଁ ବୋଲି ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ ଏବଂ କୃଷି ବିଭାଗ ଭରସା ଦେଇଛି। ଅପରପକ୍ଷେ, ଶୀତଳଭଣ୍ଡାରରେ ରହୁଥିବା ଦୂଷିତ ଖାଦ୍ୟପଦାର୍ଥ ବି ଭୂତାଣୁ ସଂକ୍ରମଣର ଅନ୍ୟତମ ସଶକ୍ତ ଉତ୍ସ ଭାବେ କାମ କରିଥାଏ ବୋଲି ଚୀନ୍‌ର ପ୍ରମୁଖ ଅଣୁଜୀବ ବିଶେଷଜ୍ଞ ଲି ଫାଙ୍ଗକ୍ବିନ୍‌ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe