World Economic Forum
ଇଂଲଣ୍ଡ, ଜର୍ମାନୀ, ବେଲଜିୟମ ଓ ଗ୍ରୀସ୍ରେ ପୁଣି ଲକ୍ଡାଉନ୍
ଫ୍ରାନ୍ସ ସ୍ଥିତି ଉଦ୍ବେଗଜନକ; କର୍ଫ୍ୟୁ କଡ଼ାକଡ଼ି
ଲଣ୍ଡନ : କିଛିଦିନ ପାଇଁ ସଂକ୍ରମଣ କମିଯିବା ପରେ ପୁଣି ଫେରିଛି ମହାମାରୀ କରୋନା। ୟୁରୋପରେ ଏବେ କୋଭିଡ୍ର ଦ୍ବିତୀୟ ଲହରି ଆରମ୍ଭ ହୋଇଛି। କୋଭିଡ୍ର ପ୍ରଥମ ଲହରିର ଭୟାବହତା ଭୋଗିଥିବା ୟୁରୋପ ଏବେ ପୁଣି ଏକ ଆତଙ୍କର ସାମ୍ନା କରିବାକୁ ଯାଉଛି। ୟୁରୋପର ବିଭିନ୍ନ ଦେଶରେ ଏବେ କୋଭିଡ୍ ସଂକ୍ରମଣ ଉଦ୍ବେଗଜନକ ବୃଦ୍ଧି ପାଉଛି। କେବଳ ଗତ ସପ୍ତାହରେ ୟୁରୋପରେ ୧୫ ଲକ୍ଷ ନୂଆ ସଂକ୍ରମଣ ହେବା ସାଙ୍ଗକୁ ମୃତ୍ୟୁହାର ୩୨ ପ୍ରତିଶତ ବୃଦ୍ଧି ପାଇଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୟୁରୋପ ନିର୍ଦ୍ଦେଶକ ହାନ୍ସ କ୍ଲୁଗେ ସୂଚନା ଦେଇଛନ୍ତି। ଏଭଳି ଦ୍ରୁତ ସଂକ୍ରମଣକୁ ଆଖିରେ ରଖି ଫ୍ରାନ୍ସରେ କର୍ଫ୍ୟୁ ଜାରି ହୋଇଥିବାବେଳେ ଜର୍ମାନୀ, ଇଂଲଣ୍ଡ, ବେଲଜିୟମ ଆଦି ଦେଶ ଖୁବ୍ଶୀଘ୍ର ଲମ୍ବା ଲକ୍ଡାଉନ୍ ଲାଗୁ କରିବାକୁ ଯାଉଛନ୍ତି।
ଜର୍ମାନୀରେ କୋଭିଡର ଦ୍ବିତୀୟ ଲହର ଅଧିକ ତୀବ୍ର ହୋଇଛି। ଗତ ୨୪ ଘଣ୍ଟାରେ ଜର୍ମାନୀରେ ୧୯,୦୫୯ ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ଆସନ୍ତାକାଲିଠାରୁ ଜର୍ମାନୀ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଲାଗୁ କରିବାକୁ ଯାଉଛି। ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନରେ ଜର୍ମାନୀର ସମସ୍ତ ବାର୍, ରେଷ୍ଟୁରାଣ୍ଟ, ହୋଟେଲ୍, ସିନେମା ହଲ୍, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯିବ। ଏହା ବ୍ୟତୀତ ଜର୍ମାନୀରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଆଦି ନିୟମକୁ ବାଧ୍ୟତାମୂଳକ କରାଯାଇଛି।
ସେହିପରି ଇଂଲଣ୍ଡରେ ମଧ୍ୟ କୋଭିଡର ଦ୍ବିତୀୟ ଲହରି ଭୟର ବାତାବରଣ ସୃଷ୍ଟି କରିଛି। ଏବେ ଦିନକୁ ୨୧ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଥିବାବେଳେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି।
ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଗୁରୁବାରଠାରୁ ସମଗ୍ର ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା କରାଯିବ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ସୂଚନା ଦେଇଛନ୍ତି। ଆସନ୍ତା ସପ୍ତାହରେ ସଂସଦୀୟ ଭୋଟ୍ ପରେ ଲକ୍ଡାଉନ୍ ଲାଗୁ ହେବ ଏବଂ ଡିସେମ୍ବର ୨ ତାରିଖ ଯାଏ ଏହା ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ଏହି ସମୟ ମଧ୍ୟରେ କେବଳ ସ୍କୁଲ, କଲେଜ ଓ ଖେଳ ପଡ଼ିଆ ଖୋଲା ରହିବ। କିନ୍ତୁ ହେେଟଲ, ରେସ୍ତୋରାଁ, ଉପାସନାସ୍ଥଳୀ ଆଦି ବନ୍ଦ ରହିବ।
The New York Timesଅନ୍ୟପକ୍ଷରେ ୟୁରୋପର ଅନ୍ୟ ଦେଶମାନଙ୍କ ତୁଳନାରେ ବେଲ୍ଜିୟମରେ କରୋନା ସଂକ୍ରମଣ ଅଧିକ ଜଟିଳ ସ୍ଥିତିରେ ରହିଛି। ତେଣୁ ଦ୍ରୁତ ସଂକ୍ରମଣ ରୋକିବାକୁ ବେଲଜିୟମ ପ୍ରଧାନମନ୍ତ୍ରୀ ଆଲେକ୍ଜାଣ୍ଡାର ଡି କ୍ରୁ ଆଜି ରାତିରୁ ଆସନ୍ତା ୬ ସପ୍ତାହ ପର୍ଯ୍ୟନ୍ତ ଲକ୍ଡାଉନ୍ ଘୋଷଣା କରିଛନ୍ତି। ବେଲ୍ଜିୟମରେ ଅଣ-ଅତ୍ୟାବଶକ ସାମଗ୍ରୀ ଦୋକାନ, ସେଲୁନ୍, ରେଷ୍ଟୁରାଣ୍ଟ, ସିନେମା ହଲ୍ ବନ୍ଦ କରାଯିବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ଡିସେମ୍ବର ୧୩ ଯାଏ ବେଲ୍ଜିୟମରେ ଲକ୍ଡାଉନ୍ ବଳବତ୍ତର ରହିବ। ତେବେ ନଭେମ୍ବର ୧୫ ପରେ ସ୍କୁଲ ଖୋଲିବ ବୋଲି ଜଣାପଡ଼ିଛି।
ଗ୍ରୀସ୍ ମଧ୍ୟ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା କରିଛି। ନଭେମ୍ବର ୩ରୁ ଗୋଟିଏ ମାସ ପାଇଁ ଗ୍ରୀସ୍ରେ ଲକ୍ଡାଉନ୍ କାର୍ଯ୍ୟକାରୀ ହେବ ବୋଲି ଗ୍ରୀସ୍ ପ୍ରଧାନମନ୍ତ୍ରୀ କିରିୟାକୋସ ମିତ୍ସୋଟକିସ ପ୍ରକାଶ କରିଛନ୍ତି। ଗ୍ରୀସ୍ରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ ଏବଂ ମାସ୍କ ବାଧ୍ୟତାମୂଳକ କରାଯାଇଛି।
ସେହିଭଳି କୋଭିଡର ଦ୍ବିତୀୟ ଲହରି ଯୋଗୁଁ ଫ୍ରାନ୍ସ ସ୍ଥିତି ଉଦ୍ବେଗଜନକ ରହିଛି। ଏହାକୁ ରୋକିବା ଉଦ୍ଦେଶ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଗୁରୁବାରଠାରୁ ୪ ସପ୍ତାହ ପାଇଁ ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଲକ୍ଡାଉନ୍ ଆରମ୍ଭ ପୂର୍ବରୁ ଗୁରୁବାର ପ୍ୟାରିସ୍ ସହର ଓ ଆଖପାଖ ଅଂଚଳରେ ୭୦୦ କିମି ବ୍ୟାପୀ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଥିଲା। ଏବେ ଲକ୍ଡାଉନ୍ କର୍ଫ୍ୟୁକୁ ସବୁ ଅଂଚଳରେ କଡ଼ାକଡ଼ି କରାଯାଇଛି। ତେବେ ଏହି ସମୟରେ ଲକ୍ଡାଉନ ସମୟରେ ସ୍କୁଲ୍ ଓ ଚାକିରି କ୍ଷେତ୍ର ଖୋଲା ରହିବ। ଲୋକମାନେ କେବଳ ଡାକ୍ତରଖାନା ଉଦ୍ଦେଶ୍ୟରେ ବାହାରକୁ ବାହାରି ପାରିବେ। ସେଲୁନ୍, ରେଷ୍ଟୁରାଣ୍ଟ ଓ ସିନେମା ହଲ୍ ବନ୍ଦ ରହିବ।
Follow Us