ନୂଆଦିଲ୍ଲୀ: ଭାରତରୁ ବାଂଲାଦେଶକୁ ବହୁ ସଂଖ୍ୟକ କଫ୍ ସିରପ୍ ଚୋରା ଚାଲାଣ କରାଯାଉଛି। ଭାରତ-ବାଂଲାଦେଶ ସୀମାରେ ଚୋରା ଚାଲାଣ କରିବାକୁ ଚେଷ୍ଟା କରୁଥିବାବେଳେ ଧରାପଡିଥିବା ବ୍ୟକ୍ତିମାନେ ବିଏସଏଫ ଅଧିକାରୀଙ୍କୁ କହିଛନ୍ତି ଯେ ବାଂଲାଦେଶରେ ଭାରତୀୟ କଫ୍ ସିରପ୍ ଅନେକ ଉପାୟରେ ବ୍ୟବହାର କରାଯାଉଛି। କେବଳ କାଶକୁ ଭଲ କରିବା ପାଇଁ ନୁହେଁ, କିଛି ଲୋକ ନିଶା କରିବା ପାଇଁ ଏହାକୁ ପିଉଛନ୍ତି। ଏହି କାରଣରୁ ପଶ୍ଚିମବଙ୍ଗ ଦେଇ ଭାରତରୁ ବାଂଲାଦେଶକୁ ବହୁ ସଂଖ୍ୟକ କଫ୍ ସିରପ୍ ଚୋରା ଚାଲାଣ କରାଯାଉଛି।
ପରିସ୍ଥିତି ଏପରି ଯେ ଦୁଇ ମାସ ମଧ୍ୟରେ ବିଏସ୍ଏଫ୍ ଯବାନମାନେ ଦେଢ଼ କୋଟିରୁ ଅଧିକ ମୂଲ୍ୟର କଫ୍ ସିରପ୍ ଜବତ କରିଛନ୍ତି। ଅପରପକ୍ଷରେ ଧରାଯାଇ ନ ଥିବା କଫ୍ ସିରପ୍ର ମୂଲ୍ୟ ଜବତ ହୋଇଥିବା ସିରପ୍ଠାରୁ ଅଧିକ ମୂଲ୍ୟର ହେବ ବୋଲି କୁହାଯାଉଛି। ଅକ୍ଟୋବର ୨୯ରେ, ଉତ୍ତର ୨୪ ପରଗଣା ଏବଂ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଭାରତ-ବାଂଲାଦେଶ ସୀମାରେ ନିୟୋଜିତ ବିଏସ୍ଏଫ୍ କର୍ମଚାରୀମାନେ ପୃଥକ ପୃଥକ ଅପରେସନରେ ତିନି ହଜାରରୁ ଅଧିକ କଫ୍ ସିରପ୍ ବୋତଲ ଜବତ କରିଥିଲେ।
ଅଧିକ ପଢ଼ନ୍ତୁ: ବାଂଲାଦେଶରେ ୩୦ ହଜାର ହିନ୍ଦୁଙ୍କ ବିରୋଧ ପ୍ରଦର୍ଶନ: ସୁରକ୍ଷା ଦାବି କଲେ
ବିଏସ୍ଏଫ୍ ଦକ୍ଷିଣ ବେଙ୍ଗାଲର ଡିଆଇଜି ଏନ.କେ. ପାଣ୍ଡେ କହିଛନ୍ତି ଯେ ଏଭଳି ଚୋରା ଚାଲାଣକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ସୀମା ତଥା ଏହାର ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ବିଏସ୍ଏଫ୍ ଯବାନମାନେ ସକ୍ରିୟ ଭାବରେ ଏହି ଅଞ୍ଚଳ ଉପରେ ନଜର ରଖିଛନ୍ତି।
ବାଂଲାଦେଶକୁ ଚୋରା ଚାଲାଣ ଯୋଗୁ କଫ୍ ସିରପ୍ ସାଧାରଣତଃ ବାଂଲାଦେଶ ସୀମାବର୍ତ୍ତୀ ଭାରତୀୟ ଅଞ୍ଚଳରେ ଥିବା ମେଡିକାଲ ଷ୍ଟୋର୍ଗୁଡିକରେ ପ୍ରାୟ ଷ୍ଟକ୍ ନ ଥାଏ। ବୃଦ୍ଧି ପାଉଥିବା ଚାହିଦାକୁ ଦୃଷ୍ଟିରେ ରଖି ଚୋରା ଚାଲାଣକାରୀମାନେ ମଧ୍ୟ ଏହାର ଏମ୍ଆର୍ପି ଅପେକ୍ଷା ମେଡିକାଲ ଷ୍ଟୋର୍ ମାଲିକ ଏବଂ ଯୋଗାଣକାରୀଙ୍କଠାରୁ ଚଢ଼ା ଦରରେ କିଣିଥାନ୍ତି ବୋଲି ଡିଆଇଜି ଏନ.କେ. ପାଣ୍ଡେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ଆତଙ୍କବାଦୀ ଆକ୍ରମଣ ପଛରେ ଗୁପ୍ତଚର ଏଜେନ୍ସି: ଫାରୁକ୍ ଅବଦୁଲ୍ଲା
ବିଏସ୍ଏଫ୍ ଦକ୍ଷିଣ ବେଙ୍ଗଲ ସୀମାନ୍ତର ଅଧିକାରୀମାନେ କହିଛନ୍ତି ଯେ ଭାରତ-ବାଂଲାଦେଶ ସୀମାରେ ବହୁ ପରିମାଣରେ ଡ୍ରଗ୍ସ ଚୋରା ଚାଲାଣ ପାଇଁ ଉଦ୍ୟମ କରାଯାଉଛି। ବାଂଲାଦେଶରେ ଭାରତୀୟ କପ୍ ସିରପ୍ର ଚାହିଦା ବଢ଼ିବାରେ ଲାଗିଛି। କିଛି ଦିନ ପୂର୍ବେ ମୁରୁଟିଆ ପୁଲିସ ସହିତ ବିଏସ୍ଏଫ୍ ମୁରସିଦାବାଦ ଜିଲ୍ଲାରେ ୧୩ ହଜାର ୬୦୨ ବୋତଲ କଫ୍ ସିରପ୍ ଜବତ କରିଥିଲା।