Image Courtesy of India Today
ବାରାଣସୀ: ଜ୍ଞାନବାପି ଏବଂ ଶୃଙ୍ଗାରଗୌରୀ ମାମଲାରେ ସଂଖ୍ୟାଲଘୁ ତରଫରୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଡ୍ଭୋକେଟ୍ ଅଭୟନାଥ ଯାଦବଙ୍କର ରବିବାର ରାତିରେ ହୃଦ୍ଘାତ ଯୋଗୁଁ ମୃତ୍ୟୁ ଘଟିଥିବା କଥା ‘ବନାରସ୍ ବାର୍ ଆସୋସିଏସନ୍’ର ବରିଷ୍ଠ ଆଡ୍ଭୋକେଟ୍ ନିତ୍ୟାନନ୍ଦ ରାୟ କହିଛନ୍ତି।
ହୃଦ୍ଘାତ ହେବାକ୍ଷଣି ତାଙ୍କୁ ତୁରନ୍ତ ବାରାଣସୀର ମକ୍ବୁଲ୍ ଆଲାମ୍ ରୋଡ୍ସ୍ଥିତ ଏକ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ।
Image Courtesy of India TVବରିଷ୍ଠ ଆଡ୍ଭୋକେଟ୍ ନିତ୍ୟାନନ୍ଦ ରାୟଙ୍କ କହିବା ଅନୁସାରେ, ରବିବାର ରାତି ପ୍ରାୟ ୧୦.୩୦ ବେଳକୁ ଯାଦବଙ୍କର ଭୀଷଣ ହୃଦ୍ଘାତ ହୋଇଥିଲା। ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ତ୍ରିମୂର୍ତ୍ତି ହସ୍ପିଟାଲ୍କୁ ନିଆଯାଇଥିଲା। ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ। ତା’ ସତ୍ତ୍ବେ ପରିବାରର ଲୋକମାନେ ତାଙ୍କୁ ଶୁଭମ୍ ହସ୍ପିଟାଲ୍କୁ ନେଇଥିଲେ। କିନ୍ତୁ, ସେ ମୃତ ବୋଲି ସେଠାକାର ଡାକ୍ତରମାନେ ସୁନିଶ୍ଚିତ କରି କହିଥିଲେ।
ଉଲ୍ଲେଖଯୋଗ୍ୟ, ଜ୍ଞାନବାପି ଓ ଶୃଙ୍ଗାରଗୌରୀ ରକ୍ଷଣାବେକ୍ଷଣ ମାମଲାରେ ସମସ୍ତ ପକ୍ଷ ସେମାନଙ୍କର ଯୁକ୍ତି ଉପସ୍ଥାପନ କରିସାରିଥିଲେ। ଅଗଷ୍ଟ ୪ ତାରିଖରେ ସଂଖ୍ୟାଲଘୁଙ୍କ ତରଫରୁ ଜବାବ ଦାଖଲ କରାଯିବାର ଥିଲା। ସେଥିରେ ସଂଖ୍ୟାଲଘୁଙ୍କ ଓକିଲ ଅଭୟନାଥ ଯାଦବ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଆନ୍ତେ।
Follow Us