ନୂଆ ୧୦୦ ଟଙ୍କିଆ: ଦେଶର ପ୍ରଥମ ‘ମେଡ୍‌ ଇନ୍‌ ଇଣ୍ଡିଆ’ ନୋଟ୍‌

Advertisment
ନୂଆ ୧୦୦ ଟଙ୍କିଆ: ଦେଶର ପ୍ରଥମ ‘ମେଡ୍‌ ଇନ୍‌ ଇଣ୍ଡିଆ’ ନୋଟ୍‌

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରିଲିଜ୍‌ କରିଛି ସ୍ୱଚ୍ଛ ଭାରତ ଲୋଗୋ ଥିବା ମହାତ୍ମା ଗାନ୍ଧୀ ସିରିଜ୍‌ର ଏକ ନୂତନ ୧୦୦ ଟଙ୍କିଆ ନୋଟ୍‌। ଲାଭେଣ୍ଡର୍‌ ବା ଈଷତ୍‌ ବାଇଗଣୀ ରଙ୍ଗର ଏହି ନୋଟ୍‌ଟି ସମ୍ପୂର୍ଣ୍ଣ ରୂପେ ଦେଶଜ ପଦାର୍ଥରେ ନିର୍ମିତ ହୋଇଛି।

କାଜା ସୁଧାକର ଯିଏ ନିକଟରେ ପରିଚାଳନା ନିର୍ଦେଶକ ଭାବେ ବ୍ୟାଙ୍କ୍‌ ନୋଟ୍‌ ମୁଦ୍ରଣ କରୁଥିବା ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ନୋଟ୍‌ ମୁଦ୍ରଣ’ରୁ ଅବସର ଗ୍ରହଣ କରିଛନ୍ତି, ସେ କହନ୍ତି: ଏହି ନୋଟ୍‌ର ନକ୍ସା ଭାରତରେ ହୋଇଛି। ଭାରତରେ ନିର୍ମିତ ନୋଟ୍‌ ଛାପା କାଗଜରେ ଏହା ଛାପା ଯାଇଛି। ଛାପା କାଳି ମଧ୍ୟ ଭାରତରେ ତିଆରି ହୋଇଛି। ଏଥିରେ ଥିବା ନିରାପତ୍ତା ବୈଶିଷ୍ଟ୍ୟ ମଧ୍ୟ ଗୋଟିଏ ଭାରତୀୟ କମ୍ପାନି ଦ୍ୱାରା ପ୍ରସ୍ତୁତ। ଜାଣ ସ୍ୱପ୍ନଟିଏ ସତ ହେଲା।

ଏହି ନୂତନ ୧୦୦ ଟଙ୍କିଆ ନୋଟ୍‌ର ନକ୍‌ସା ବା ଡିଜାଇନ୍‌ ମହୀଶୂରସ୍ଥିତ ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ନୋଟ୍‌ ମୁଦ୍ରଣ’ରେ କରାଯାଇଛି ବୋଲି ସୁଧାକର ପୁଣି କହିଛନ୍ତି।

ସମ୍ପ୍ରତି ପ୍ରଚଳିତ ୧୦୦ ଟଙ୍କିଆ ନୋଟ୍‌ ଠାରୁ ଏହା ଭିନ୍ନ। ଅର୍ଥାତ୍‌ ଏଟିଏମ୍‌ ମେସିନ୍‌ଗୁଡ଼ିକ ରିକାଲିବ୍ରେଟ୍‌ ନ ହେବା ଯାଏଁ ଏହା ଏଟିଏମ୍‌ରେ ମିଳିବ ନାହିଁ।

ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଉର୍ଜିତ ପଟେଲଙ୍କ ସ୍ୱାକ୍ଷର ବହନ କରିଥିବା ଏହି ନୂଆ ବ୍ୟାଙ୍କ୍‌ ନୋଟ୍‌ର ପଛରେ ମୋଟିଫ୍‌ ଭାବେ ରହିଛି ଗୁଜରାଟର ‘ରାଣୀ କି ବାବ୍‌’। ଏହା ଦେଶର ସାଂସ୍କୃତିକ ଐତିହ୍ୟ ବର୍ଣ୍ଣନା କରୁଛି।

ନୋଟ୍‌ର ପୃଷ୍ଠଭୂମିର ରଙ୍ଗ ଈଷତ୍‌ ବାଇଗଣୀ ବା ଲାଭେଣ୍ଡର୍‌। ଏହାର ଉଭୟ ପାର୍ଶ୍ୱରେ ରଙ୍ଗକୁ ମେଳ ଖାଇବା ଭଳି ଅନ୍ୟାନ୍ୟ ବହୁ ନକ୍ସା ଏବଂ ଜ୍ୟାମିତ୍ୟିକ ଆକୃତି ମୁଦ୍ରିତ।

ସୁଧାକରଙ୍କ କହିବା ଅନୁସାରେ, ସମୟାନୁସାରେ ପ୍ରଚଳନ କରାଯାଉଥିବା ନୋଟ୍‌ଗୁଡ଼ିକ ମଧ୍ୟରେ ଏହା ଅନ୍ୟତମ। ସମୟକ୍ରମେ ପୁରୁଣା ନୋଟ୍‌ ବା ଏବେ ଚଳୁଥିବା ୧୦୦ ଟଙ୍କିଆ ନୋଟ୍‌ ଆଉ ମିଳିବ ନାହିଁ। ଅର୍ଥାତ୍‌ ପୁରୁଣା ନୋଟ୍‌ ଆଉ ଛାପାଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe