ନୂଆଦିଲ୍ଲୀ: ଜନୈକା ମହିଳାଙ୍କୁ ଅସଦାଚରଣ କରିବା ଘଟଣା ଜନୈକ ବ୍ୟକ୍ତି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ଯୁବକକୁ ୧ ଲକ୍ଷ ଟଙ୍କାର ଆର୍ଥିକ ଦଣ୍ଡାଦେଶ ସହ କରିଥିବା ପାପର ପ୍ରାୟଶ୍ଚିତ କରିବାକୁ ଏକ ମାସ ପାଇଁ ଏକ ନିଶା ନିବାରଣ କେନ୍ଦ୍ରରେ ସଫେଇ କାମ (ଝାଡ଼ୁ) କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଦିଲ୍ଲୀ ହାଇକୋର୍ଟଙ୍କ ଏହି ଆଦେଶ ପରେ ମହିଳା ଜଣକ ତାଙ୍କ ଅଭିଯୋଗକୁ ଆଉ ଆଗକୁ ବଢ଼ାଇବାକୁ ଚାହୁଁନାହାଁନ୍ତି ବୋଲି ସୂଚନା ଦେବା ପରେ ଅଭିଯୁକ୍ତଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାକୁ ରଦ୍ଦ କରିବାକୁ ହାଇକୋର୍ଟ ରାଜି ହୋଇଛନ୍ତି। ଅଦାଲତ କହିଛନ୍ତି ଯେ ଏହି ମାମଲାରେ ପୀଡିତା ହିଁ ଚରମ ପୀଡିତ। ସେ ଅଭିଯୁକ୍ତ ଦ୍ୱାରା ହଇରାଣ ହୋଇଛନ୍ତି। ଏବଂ ଅଭିଯୁକ୍ତଙ୍କ ବିରୋଧରେ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ତାଙ୍କୁ ହିଁ ଅଧିକ ହଇରାଣ କରାଯାଉଛି।
ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୁବ୍ରମଣ୍ୟମ୍ ଭବିଷ୍ୟତରେ ଏପରି ଅପରାଧର ପୁନରାବୃତ୍ତି ନକରିବାକୁ ଅଭିଯୁକ୍ତକୁ ଚେତାବନୀ ଦେବା ସହ ତିନି ସପ୍ତାହ ମଧ୍ୟରେ ଆର୍ଥିକ ଦଣ୍ଡାଦେଶ ବାବଦରେ ୧ ଲକ୍ଷ ଟଙ୍କାର ଦେୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୁକ୍ତ କରିଥିବା ଅପରାଧ ପାଇଁ ୧ ଲକ୍ଷ ଟଙ୍କାର ଆର୍ଥିକ ଦଣ୍ଡାଦେଶକୁ ଭରଣା କରିବା ସହ
କରିଥିବା ପାପର ପ୍ରାୟଶ୍ଚିତ କରିବାକୁ ସୋସାଇଟି ଫର ପ୍ରମୋସନ୍ ଅଫ୍ ୟୁଥ୍ ଆଣ୍ଡ୍ ମାସେସ୍ ସେଣ୍ଟର୍ ଦ୍ୱାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ ଏକ ମାସର ଗୋଷ୍ଠୀ ସେବା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଷ୍ଠୀ ସେବା ବାବଦରେ ଅପ୍ରେଲ ୧ରୁ ଅପ୍ରେଲ ୩୦ ତାରିଖ ପର୍ଯ୍ୟନ୍ତ ଅଭିଯୁକ୍ତ ଜଣକ ସଂପୃକ୍ତ ନିଶା ନିବାରଣ କେନ୍ଦ୍ରରେ ଝାଡ଼ୁ ମାରିବେ।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଜୁଲାଇ ୧୫ ତାରିଖରେ ରାଜଧାନୀ ଦିଲ୍ଲୀର ବିକାଶପୁରୀ ପୁଲିସ ଥାନା ଅଞ୍ଚଳରେ ଅଭିଯୁକ୍ତ ଜଣକ ଆବେଦନକାରୀ ମହିଳାଙ୍କ ସହ ଅସଦାଚରଣ କରିଥିଲା। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିଲା।
Follow Us