‌‌ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ଅଦାଲତ ସେନସର୍‌ ବୋର୍ଡ ଭାବେ କାର୍ଯ୍ୟ କରିପାରିବେ‌ ନାହିଁ: ସୁପ୍ରିମ୍‌ କୋର୍ଟ

Advertisment

ଆତ୍ମନିୟନ୍ତ୍ରଣ ବ୍ୟବସ୍ଥା ସୁଦୃଢ଼ ହେବା ଉଚିତ

ଆତ୍ମନିୟନ୍ତ୍ରଣ ବ୍ୟବସ୍ଥା ସୁଦୃଢ଼ ହେବା ଉଚିତ

ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Source: Zee News

ନୂଆଦିଲ୍ଲୀ : ଗୋଟିଏ ସଂପ୍ରଦାୟର ମର୍ଯ୍ୟାଦା ରକ୍ଷା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ସୁପ୍ରିମକୋର୍ଟର ଦାୟିତ୍ବ। ଏଥିସହ ମୁସଲମାନ ସଂପ୍ରଦାୟକୁ ବଦନାମ କରିବା ପାଇଁ ଉଦ୍ଦିଷ୍ଟ ପ୍ରସାରଣ ବନ୍ଦ କରାଯିବା ମଧ୍ୟ ସୁପ୍ରିମକୋର୍ଟର ଦାୟିତ୍ବ। କିନ୍ତୁ ଜନସ୍ବାର୍ଥ ମାମଲା ଆଧାରରେ ବୈଦ୍ୟୁତିକ ଗଣମାଧ୍ୟମ ପାଇଁ ସେନସର୍‌ ବୋର୍ଡ ଭାବେ ସୁପ୍ରିମକୋର୍ଟ କାର୍ଯ୍ୟ କରିପାରିବ ନାହିଁ। ସୁଦର୍ଶନ ଟିଭିର ‘ବିନ୍ଦାସ୍ ବୋଲ୍‌’ କାର୍ଯ୍ୟକ୍ରମର ପ୍ରସାରଣ ନିଷିଦ୍ଧ ପରିପ୍ରେକ୍ଷୀରେ ହୋଇଥିବା ମାମଲାର ଶୁଣାଣି ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ଟିପ୍ପଣୀ ଦେଇଛନ୍ତି।

ପ୍ରସାରଣ କଟକଣା ଲଗାଇବା ସୁପ୍ରିମ କୋର୍ଟଙ୍କ ପାଇଁ ଚରମ ପଦକ୍ଷେପ ବୋଲି ଆମେ ବିବେଚନା କରୁଛୁ। ଏହି କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଲେ ତଳସ୍ତରରେ ହାଇକୋର୍ଟର ୯୦୦ ବିଚାରପତି ଓ ବିଭିନ୍ନ ଅଦାଲତର ୨୦ ହଜାରରୁ ଅଧିକ ବିଚାର ବିଭାଗୀୟ ଅଧିକାରୀମାନେ ଏହାକୁ ଅନୁକରଣ କରିପାରନ୍ତି। ଫଳରେ ଦେଶବ୍ୟାପୀ ଟିଭି ଚ୍ୟାନେଲଗୁଡ଼ିକ ପ୍ରସାରଣ କରୁଥିବା କାର୍ଯ୍ୟକ୍ରମଗୁଡ଼ିକ ଉପରେ ରହିତାଦେଶ ଲାଗିପାରେ। ତେଣୁ ଏହି ପରିପ୍ରେକ୍ଷୀରେ ଆମେ କଠୋର ନୀତି ଅବଲମ୍ବନ କରିବାକୁ ନେଇ ଚିନ୍ତିତ ବୋଲି ସୁପ୍ରିମ କୋର୍ଟର ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ଇନ୍ଦୁ ମଲହୋତ୍ରା ଓ କେ.‌ଏମ୍‌ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି।

ଦେଶ ଜରୁରୀକାଳୀନ ଯୁଗଠାରୁ ବହୁ ଆଗକୁ ଆସିଲାଣି। ତେଣୁ ଏଭଳି ସ୍ଥିତିରେ ଅଦାଲତ ସେନସର୍‌ର ଭୂମିକା ଗ୍ରହଣ କରିବାକୁ ସୁପ୍ରିମ୍‌କୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ସେହିଭଳି ସାମ୍ବାଦିକମାନଙ୍କ ଚିନ୍ତାଧାରା ଲୋକଙ୍କ ନିକଟରେ ପହଞ୍ଚିବା କ୍ଷେତ୍ରରେ ମଧ୍ୟ କୋର୍ଟ ବାଧକ ହେବା ଉଚିତ ନୁହେଁ। କିନ୍ତୁ ଲୋକଙ୍କ ମର୍ଯ୍ୟାଦାକୁ ସୁରକ୍ଷା ଦେବା ମଧ୍ୟ ସୁପ୍ରିମ କୋର୍ଟଙ୍କ ଦାୟିତ୍ବ। ନାଗରିକଙ୍କ ବାକ୍ ସ୍ବାଧୀନତା ଅଧିକାର ଭଳି ଏହା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତେବେ ସଂସ୍କୃତି ମଧ୍ୟରେ ସମନ୍ବୟ ରକ୍ଷା କରିବା ଏବଂ ରୁଢ଼ିବାଦିତାକୁ ରୋକିବା ମଧ୍ୟ ଆମ କାମ ବୋଲି ଖଣ୍ଡପୀଠ ମନ୍ତବ୍ୟ ଦେଇଛନ୍ତି। ଆତ୍ମ ନିୟନ୍ତ୍ରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ହିଁ ଆଗାମୀ ଦିନର ପନ୍ଥା ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରସାରଣ ଶିଳ୍ପ ନିଜ ଆଡ଼ୁ କିଭଳି ଏହାର ଆତ୍ମ ନିୟନ୍ତ୍ରଣ ବ୍ୟବସ୍ଥା କରିପାରିବ, ତାହା ଆସନ୍ତା ସୋମବାର ସୁଦ୍ଧା ଜଣାଇବାକୁ ସଲିସିଟର୍‌ ଜେନେରାଲ ତୁଷାର ମେହେଟ୍ଟା ଓ ନ୍ୟାସନାଲ ବ୍ରଡକାଷ୍ଟିଂ ଆସୋସିଏସନ(ଏନବିଏ)ର ଆଇନଜୀବୀ ନିଶା ଭମ୍ବାନୀଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସୁଦର୍ଶନ ଟିଭି ଏନବିଏର ସଦସ୍ୟ ନାହିଁ। ତେଣୁ ଏହି ଚ୍ୟାନେଲ ବିରୋଧରେ ଏନବିଏ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ। ଏଥିସହ ଟିଭି ଚ୍ୟାନେଲ ବିରୋଧରେ ସର୍ବାଧିକ ୧ ଲକ୍ଷ ଟଙ୍କାର ଜରିମାନା ବ୍ୟବସ୍ଥା ରହିଛି। ଆଜିର ଯୁଗରେ ଏହି ରାଶି କିଛି ନୁହେଁ। ତେଣୁ ଏକ ପ୍ରଭାବୀ ଆତ୍ମ ନିୟନ୍ତ୍ରଣ ବ୍ୟବସ୍ଥା ବିକାଶ କରାଯିବାର ଆବଶ୍ୟକତା ରହିଛି ବୋଲି ଅଦାଲତ କହିଛନ୍ତି। ତେବେ ଚ୍ୟାନେଲଗୁଡ଼ିକ ବିରୋଧରେ ଜରିମାନା ଲାଗୁ ପାଇଁ ସରକାର ଏକ ନୂଆ ବିଲ୍‌ ଆଣିବାକୁ ଯୋଜନା ରଖିଛନ୍ତି ବୋଲି ଏହି ଅବସରରେ ତୁଷାର ମେହେଟ୍ଟା କହିଛନ୍ତି। ସୁଦର୍ଶନ ଟିଭିର ବିନ୍ଦାସ ବୋଲ୍ କାର୍ଯ୍ୟକ୍ରମ ମୁସଲିମ ସଂପ୍ରଦାୟର ସାମୂହିକ ନିନ୍ଦା କରୁଥିବାରୁ ଅଦାଲତ ଏହା ଉପରେ ରହି‌ତାଦେଶ ଜାରି କରିଥିବା କହିଛନ୍ତି। ସୁଦର୍ଶନ ଟିଭି ପକ୍ଷରୁ ପ୍ରସାରିତ କାର୍ଯ୍ୟକ୍ରମ ‘ବିନ୍ଦାସ ବୋଲ୍‌’ ‌ସୋ’ରେ ମୁସଲମାନ ସଂପ୍ରଦାୟଙ୍କୁ ଟାର୍ଗେଟ କରାଯାଇଛି। ସେମାନେ ୟୁପିଏସସି ପରୀକ୍ଷାରେ ଅନୁପ୍ରବେଶ କରୁଛନ୍ତି ବୋଲି କୁହାଯାଇଛି। ଏହି ମାମଲାର ଶୁଣାଣି ‌ବେଳେ ସୁପ୍ରିମ କୋର୍ଟ ଯେଉଁସବୁ ଟିପ୍ପଣୀ ଦେଇଛନ୍ତି ଦେଇଛନ୍ତି ସେଥିରେ ଗଣମାଧ୍ୟମ ପାଇଁ ମଧ୍ୟ ଅନେକ ବାର୍ତ୍ତା ରହିଛି। ଧାର୍ମିକ ସଂଖ୍ୟାଲଘୁଙ୍କୁ ଗଣମାଧ୍ୟମ ଟାର୍ଗେଟ କରି ଆକ୍ରମଣ କରିପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ସାମ୍ବାଦିକଙ୍କ ସ୍ବାଧୀନତା ଭଳି ଗୋଟିଏ ସଂପ୍ରଦାୟର ମର୍ଯ୍ୟାଦା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ସୁପ୍ରିମ କୋର୍ଟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe