ଦୁଇ ଦିନ ବଢ଼ିଲା ହେପାଜତ ଅବଧି, ଅଗଷ୍ଟ ୫ପର୍ଯ୍ୟନ୍ତ ଇଡି ହେପାଜତକୁ ଗଲେ ପାର୍ଥ ଓ ଅର୍ପିତା

Advertisment
ଦୁଇ ଦିନ ବଢ଼ିଲା ହେପାଜତ ଅବଧି, ଅଗଷ୍ଟ ୫ପର୍ଯ୍ୟନ୍ତ ଇଡି ହେପାଜତକୁ ଗଲେ ପାର୍ଥ ଓ ଅର୍ପିତା

indiatoday

କୋଲକାତା: ଆହୁରି ଦୁଇ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ହେପାଜତକୁ ଗଲେ ପାର୍ଥ ଚାଟାର୍ଜୀ। କୋଲକାତାର ଏକ ସ୍ୱତନ୍ତ୍ର ଅଦାଲତ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୫ପର୍ଯ୍ୟନ୍ତ ଇଡି ପଠାଇ ଦେଇଛନ୍ତି। ପୂର୍ବରୁ ପାର୍ଥ ଓ ଅର୍ପିତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଇଡି ଅଧୀନରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ଏହି ଅବଧି ଆଉ ଦୁଇ ଦିନ ବଢ଼ାଇ ଦିଆଯାଇଛି। ଇଡି ବୁଧବାର ଦିନ ଦୁହିଁଙ୍କୁ ୪ଦିନ ପାଇଁ ହେପାଜତକୁ ନେବାକୁ କୋର୍ଟରେ ଅବେଦନ କରିଥିବା ବେଳେ କୋର୍ଟ ଇଡିକୁ ମାତ୍ର ଦୁଇ ଦିନ ଦେଇଛନ୍ତି।

ଅନ୍ୟପକ୍ଷ‌ରେ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ବିଭିନ୍ନ ଫ୍ଲାଟ୍‌ରୁ ୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ କଲା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଦୃଷ୍ଟି ଏବେ ପଡ଼ିଛି ପାର୍ଥ-ଅର୍ପିତାଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟ ଉପରେ। ଏଥିରୁ ୩ଟି ଆକାଉଣ୍ଟ ହେଉଛି ପାର୍ଥଙ୍କର ଏବଂ ୮ଟି ଅର୍ପିତାଙ୍କର। ଏହି ଆକାଉଣ୍ଟଗୁଡ଼ିକରେ ପ୍ରାୟ ୮ କୋଟି ଟଙ୍କା ରହିଥିବା ବେଳେ ସେଥିରୁ ୨.୫ କୋଟି ଟଙ୍କାକୁ ଫ୍ରିଜ୍ (ଅଚଳ) କରିଦିଆଯାଇଛି। ଇଡିର କହିବା ଅନୁସାରେ ପାର୍ଥଙ୍କର ୫ଟି ଆକାଉଣ୍ଟ ଅଛି। ସେଥିରୁ ଦୁଇଟି ଅଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଏବଂ ଗୋଟିଏ ଅଛି ଘରୋଇ ବ୍ୟାଙ୍କରେ। ସେ ୨୦୨୧ରେ ନିର୍ବାଚନ କମିସନ ନିକଟରେ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କ ବ୍ୟାଙ୍କ ଖାତାଗୁଡ଼ିକରେ ପ୍ରାୟ ୬୦ ଲକ୍ଷ ଟଙ୍କା ଥିଲା। ଅର୍ପିତାଙ୍କ ସହ ତାଙ୍କର ୧୦ ବର୍ଷରୁ ଅଧିକ କାଳ ହେଲା ସମ୍ପର୍କ ରହିଛି ବୋଲି ଇଡି କେତେକ କାଗଜପତ୍ରରୁ ଜାଣିବାକୁ ପାଇଛି। କାରଣ ଅନେକ ବୀମା ପଲିସିରେ ପାର୍ଥ ଅର୍ପିତାଙ୍କୁ ନୋମିନି କରିଛନ୍ତି। ୨୦୧୨ ଜାନୁଆରିରେ ଦୁହେଁ ବୋଲପୁରରେ ଜମି କିଣିଥିଲେ।

ଏହି ତଥ୍ୟ ମିଳିବା ପରେ ଅଧିକ ପଚରାଉଚରା ପାଇଁ ଇଡି କୋର୍ଟଙ୍କୁ ୪ଦିନ ସମୟ ମାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe