ଆରଜି କର ଦୁଷ୍କର୍ମ ହତ୍ୟା ମାମଲା: ୧୭ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ନେବାକୁ ମନା କଲେ ପୀଡ଼ିତାଙ୍କ ପରିବାର

ଆରଜି କର ଦୁଷ୍କର୍ମ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏକୁ ମୃତ୍ୟୁଦଣ୍ଡ ପରିବର୍ତ୍ତେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଅନ୍ୟପକ୍ଷରେ ପୀଡ଼ିତାଙ୍କ ପରିବାରକୁ ୧୭ଲକ୍ଷ ଟଙ୍କା କ୍ଷତିପୂରଣ ଆକାରରେ ଦେବାକୁ କୋର୍ଟ ଘୋଷଣା କରିଥିଲେ ବି ନେବାକୁ ମନା କରିଛନ୍ତି ପରିବାର।

tbengalq

କୋଲକାତା: ସମଗ୍ର ଦେଶକୁ ଦୋହଲାଇ ଦେଇଥିବା କୋଲକାତା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ, କୋର୍ଟ ଆଜି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରଏକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପଶ୍ଚିମବଙ୍ଗର ସିଆଲଦା କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଏହା ସହିତ, କୋର୍ଟ ୫୦,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି। କୋର୍ଟ ରାୟ ଦେବା ପୂର୍ବରୁ ମୃତକଙ୍କ ବାପା ଦୋଷୀକୁ ସର୍ବାଧିକ ଦଣ୍ଡ ଦେବାକୁ ଦାବି କରିଥିଲେ।

ସିଆଲଦା କୋର୍ଟର ବିଚାରପତି ଜାନୁଆରୀ ୧୮ତାରିଖରେ ସ୍ପଷ୍ଟ କରିସାରିଥିଲେ ଯେ ଏହି ମାମଲାରେ ସର୍ବାଧିକ ଦଣ୍ଡ "ମୃତ୍ୟୁଦଣ୍ଡ" ଓ ସର୍ବନିମ୍ନ ଦଣ୍ଡ ଆଜୀବନ କାରାଦଣ୍ଡ ହେବ। ଏହା ପରେ ମୃତ ଡାକ୍ତରଙ୍କ ପରିବାର ସହିତ ସିବିଆଇ ମଧ୍ୟ ମୃତ୍ୟୁଦଣ୍ଡ ଦାବି କରିଥିଲା। କିନ୍ତୁ, ମୃତ୍ୟୁଦଣ୍ଡ ଦେବା ପରିବର୍ତ୍ତେ, କୋର୍ଟ ଆଜୀବନ କାରାଦଣ୍ଡ ଦେଇଛନ୍ତି। କୋର୍ଟ ଏହି ମାମଲାକୁ ବିରଳ ବୋଲି ବିବେଚନା କରୁନଥିବାରୁ ମୃତ୍ୟୁଦଣ୍ଡ ଦେଇନଥିବା ସାମ୍ନାକୁ ଆସିଛି।

ସଞ୍ଜୟକୁ ଆଜୀବନ କାରାଦଣ୍ଡ ଶୁଣାଇବା ପରେ ପୀଡ଼ିତାଙ୍କ ପରିବାରକୁ ୧୭ଲକ୍ଷ ଟଙ୍କା କ୍ଷତିପୂରଣ ଆକାରରେ ଦେବା ପାଇଁ ‌କହିଥିଲେ ବିଚାରପତି ଅନିର୍ବାଣ ଦାସ  ହେଲେ ପୀଡ଼ିତାଙ୍କ ପରିବାର ଏହାକୁ ଗ୍ରହଣ କରିବାକୁ ମନା କରିଥିବା ଜଣାପଡ଼ିଛି। ଆମକୁ ଟଙ୍କା ନୁହେଁ ନ୍ୟାୟ ଦରକାର ଥିଲା ବୋଲି ସେମାନେ କହିଛନ୍ତି।

ଉତ୍ତରରେ ବିଚାରପତି କହିଥିଲେ ଯେ, ପୂର୍ବରୁ ନିର୍ଦ୍ଦେଶ ଦିଆଯାଇସାରିଛି। ଆପଣମାନେ ଯେପରି ଇଚ୍ଛା ଟଙ୍କା ବ୍ୟବହାର କରିବାକୁ ସ୍ୱାଧୀନ। ଏହାକୁ ଦୁଷ୍କର୍ମ ଏବଂ ହତ୍ୟାର କ୍ଷତିପୂରଣ ଭାବରେ ନଦେଖି ଆଇନଗତ ବ୍ୟବସ୍ଥାର ଏକ ଅଂଶ ଭାବରେ ଦେଖିବାକୁ ଅନୁରୋଧ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe