The Scientist Magazine
ବ୍ରାସିଲିଆ(ବ୍ରାଜିଲ୍): ପୂର୍ବରୁ ବ୍ରାଜିଲରେ ସଂଘଟିତ ଡେଙ୍ଗୁ ଜ୍ବର ସଂକ୍ରମଣ ଓ ବର୍ତ୍ତମାନର କରୋନାଭୂତାଣୁ ସଂକ୍ରମଣ ମଧ୍ୟରେ ଏକ ନୁତନ ସମ୍ପର୍କ ଥିବା ଗବେଷକମାନେ ଅନୁଧ୍ୟାନ କରିଛନ୍ତି। ମଶାବାହିତ ଡେଙ୍ଗୁ ଆକ୍ରାନ୍ତଙ୍କ ଶରୀରରେ ବିକଶିତ ହୋଇଥିବା ରୋଗପ୍ରତିରୋଧକତା କୋଭିଡ୍-୧୯ର ସାର୍ସ-କୋଭ୍-୨କୁ କିଛିମାତ୍ରାରେ ପ୍ରତିରୋଧ କରିବାରେ ସକ୍ଷମ ବୋଲି ଡ୍ୟୁକ୍ ବିଶ୍ବବିଦ୍ୟାଳୟର ଗବେଷକ ମିଗୁଏଲ ନିକୋଲେଲିସ ଦାବି କରିଛନ୍ତି। ବିଶେଷ କରି ୨୦୧୯ ମସିହାରେ ଡେଙ୍ଗୁରେ ପ୍ରଭାବିତ ହୋଇଥିବା କିଛି ଅଞ୍ଚଳରେ ଚଳିତ ବର୍ଷର କୋଭିଡ୍ ସଂକ୍ରମଣ ହାରକୁ ତୁଳନା କରି ସେତାଙ୍କ ନେତୃତ୍ବରେ ପରିଚାଳିତ ଗବେଷକ ଦଳ ଏପରି ନିଷ୍କର୍ଷରେ ପହଞ୍ଚିପାରିଛନ୍ତି।
ବ୍ରାଜିଲର ଏ ବର୍ଷ ଅତି ଅଳ୍ପ କୋଭିଡ୍ ଉପଦ୍ରୁତ ତଥା କମ୍ ସଂକ୍ରମଣ ହାର ଥିବା ଇଲାକା ପୂର୍ବରୁ ଡେଙ୍ଗୁ ଦ୍ବାରା ଭୀଷଣ ମାତ୍ରାରେ ପ୍ରଭାବିତ ହୋଇଥିବା ସେମାନେ ଠଉରେଇପାରିଛନ୍ତି। ସୁତରାଂ ଏହି ଫଳାଫଳ ଡେଙ୍ଗୁଜ୍ବରର ଫ୍ଳାବିଭୂତାଣୁ ସିରୋଟାଇପ୍ସ ଓ କୋଭିଡ୍ର ସାର୍ସ-କୋଭ୍-୨ ମଧ୍ୟରେ କିଛି ରୋଗପ୍ରତିରୋଧକୀୟ ସମାନ୍ତରାଳ ପ୍ରତିକ୍ରିୟା ରହିଥିବା ଗବେଷକମାନେ ଅନୁମାନ କରୁଛନ୍ତି। ତେବେ ଏହି ଭୂତାଣୁ ଦ୍ବୟ ସଂପୂର୍ଣ୍ଣ ଭାବେ ପରସ୍ପର ଠାରୁ ପୃଥକ୍ ଥିବା ଭିନ୍ନ ପ୍ରଜାତିର ହୋଇଥିବାରୁ ଏ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।
Follow Us