Image Courtesy of Zee News
ନୂଆଦିଲ୍ଲୀ: ଦ୍ରୁତ ସଂକ୍ରମଣ ଦମନ ଲାଗି ଭାରତରେ ଲାଗୁ କରାଯାଇଥିବା କୋଭିଡ୍-୧୯ କଟକଣା ବାତାବରଣରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଅବାଧ ଓ ଫଳପ୍ରଦ ଯୋଗାଣ ସୁନିଶ୍ଚିତ କରାଇବା ପାଇଁ ଗୁରୁବାର ଦିନ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ପରିମଳ ଉତ୍ପାଦ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ସବୁର ଯୋଗଣ ଅବ୍ୟାହତ ରଖିବା ସଂକ୍ରାନ୍ତରେ ସୁନିଶ୍ଚିତ ହେବାକୁ କଟକଣା ଜାରି ହୋଇଥିବା ଅଞ୍ଚଳ ବାହାରେ ଥିବା ତେଜରାତି, ରାସାୟନିକ, ଔଷଧପତ୍ର ଏବଂ ତେଜରାତି ଗୋଦାମଗୁଡ଼ିକୁ ବିନା ପାତର ଅନ୍ତରରେ କାର୍ଯ୍ୟକ୍ଷମ ରଖିବା ଲାଗି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷମାନଙ୍କୁ ପତ୍ର ଲେଖିଛନ୍ତି।
Image Courtesy of ET Govtସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରମୁଖ ସଚିବମାନଙ୍କୁ ଲେଖିଥିବା ଏକ ପତ୍ରରେ ଖାଉଟି ବ୍ୟାପାର ବିଭାଗର ଅତିରିକ୍ତ ସଚିବ, ନିଧି ଖାରେ କହିଛନ୍ତି ଯେ, କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ହଠାତ୍ ବୃଦ୍ଧି ପାଇବା କାରଣରୁ ଦେଶରେ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବା ଉପରେ ଚିନ୍ତା ଉଦ୍ରେକ ହୋଇଛି।
ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦର ଯେମିତି ନ ବଢ଼େ ସେଥି ପ୍ରତି ସୁନିଶ୍ଚିତ ହେବା ଉଚିତ। ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ ନିମନ୍ତେ ଦରକାର ହେଉଥିବା କଞ୍ଚାମାଲର ଦର ବୃଦ୍ଧି ଏବଂ ମୁଦ୍ରା ବିନିମୟ ମୂଲ୍ୟର ହ୍ରାସବୃଦ୍ଧିଜନିତ କାରଣ ଛଡ଼ା ସେସବୁ ସୁଲଭ ମୂଲ୍ୟରେ ଉପଲବ୍ଧ ହେବା ଆବଶ୍ୟକ।
ଏହା ବ୍ୟତିରେକେ, ବ୍ୟାକୁଳ ହୋଇ ଦରକାର ଠାରୁ ଅଧିକ ଅତ୍ୟାବଶ୍ୟକ ସାମଗ୍ରୀ ଖରିଦ କରି ନ ନେବା ପାଇଁ ସର୍ବସାଧାରଣଙ୍କୁ ସଚେତନ କରାଇବା ନିମନ୍ତେ ଆବଶ୍ୟକ ପ୍ରଚାର କରାଇବା ଲାଗି ମଧ୍ୟ ସେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦେଶ ଦେଇଛନ୍ତି।
Follow Us