ଦେଶରେ କରୋନା ସଂକ୍ରମଣ ୫୦ ଲକ୍ଷ ଟପିଲା; ୧୧ ଦିନରେ ୧୦ ଲକ୍ଷ, ଚିନ୍ତା ବଢ଼ାଉଛି ୪ଟି ରାଜ୍ୟ

Advertisment
ଦେଶରେ କରୋନା ସଂକ୍ରମଣ ୫୦ ଲକ୍ଷ ଟପିଲା; ୧୧ ଦିନରେ ୧୦ ଲକ୍ଷ, ଚିନ୍ତା ବଢ଼ାଉଛି ୪ଟି ରାଜ୍ୟ

Outlook India

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଗୁରୁତର ହୋଇଚାଲିଛି। ଗତ ୨୪ ଘଣ୍ଟାରେ ଆଉ ୯୦ ହଜାର ଲୋକ ପଜିଟିଭ୍ ଚିହ୍ନଟ ହେବାପରେ ମୋଟ ସଂକ୍ରମଣ ମାମଲା ୫୦ ଲକ୍ଷ ଟପିଯାଇଛି। ଯେଉଁ ହାରରେ ସଂକ୍ରମଣ ବଢ଼ୁଛି ସେଥିରୁ ଜଣାପଡ଼ୁଛି ଆଉ ଗୋଟିଏ ମାସରେ ବିଶ୍ବରେ ଭାରତ ଏକ ନମ୍ବର ସ୍ଥାନକୁ ଚାଲିଯିବ। ଆମେରିକା ଏବେ ଏକ ନମ୍ବର ସ୍ଥାନରେ ରହିଛି। ଆମେରିକାରେ ସଂକ୍ରମଣ ସଂଖ୍ୟା ହେଉଛି ୬୮ ଲକ୍ଷ ୭୭ ହଜାର।

ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୯୦ ହଜାର ୧୨୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହାସହିତ ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୫୦ ଲକ୍ଷ ୨୦ ହଜାର ୩୬୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୧୨୯୦ ଜଣଙ୍କର କରୋନାରେ ମୃତ୍ୟୁ ମଧ୍ୟ ହୋଇଛି। ଫଳରେ ମୃତ୍ୟୁସଂଖ୍ୟା ୮୨ ହଜାର ୬୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୯୫୪ ହଜାର ୯୩୩ ସକ୍ରିୟ ମାମଲା ରହିଥିବା ବେଳେ ୩୯ ଲକ୍ଷ ୪୨ ହଜାର ୩୬୧ ଜଣ ସୁସ୍ଥ ହୋଇଛନ୍ତି।

ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ଦିଲ୍ଲୀ ଏବଂ କର୍ଣ୍ଣାଟକ ଯୋଗୁଁ ଏବେ ଦେଶରେ ସଂକ୍ରମଣ ହାର ଦ୍ରୁତ ହାରରେ ବଢ଼ି ଚାଲିଛି। ଏହି ସବୁ ରାଜ୍ୟମାନଙ୍କରେ ଜାତୀୟ ହାର ଠାରୁ ପଜିଟିଭ୍‌ ହାର ଅଧିକ ରହୁଥିବାରୁ ଉପରୋକ୍ତ ରାଜ୍ୟମାନଙ୍କରେ ଟେଷ୍ଟିଂ ବଢ଼ାଇବାପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ୪ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ୫୦ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି। ୧୮ ରାଜ୍ୟରେ ୫ ହଜାରରୁ ୫୦ ହଜାର ସକ୍ରିୟ ମାମଲା ଥିବା ବେଳେ ୧୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୫ ହଜ‌ାରରୁ କମ୍‌ ସକ୍ରିୟ ମାମଲା ରହିଛି। ସେହିପରି ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶରେ ମଧ୍ୟ ଦୈନିକ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଛି।

ପ୍ରଥମ ୧୦ ଲକ୍ଷ ପାଇଁ ୧୩୫ ଦିନ ଲାଗିଥିଲା। କିନ୍ତୁ ଏହାପରେ ଖୁବ କମ ଦିନରେ ସଂଖ୍ୟା ବଢ଼ି ଚାଲିଛି। ୧୬ ଜୁଲାଇ ସୁଦ୍ଧା ୧୦ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ବେଳେ ୬ ଅଗଷ୍ଟରେ ୨୦ ଲକ୍ଷ (୨୧ ଦିନ), ୨୨ ଅଗଷ୍ଟରେ ୩୦ ଲକ୍ଷ (୧୬ ଦିନ), ୪ ‌‌ସେପଟେମ୍ବରରେ ୪୦ ଲକ୍ଷ (୧୩ ଦିନ) ଏବଂ ୧୫ ସେପଟେମ୍ବର ସୁଦ୍ଧା ୫୦ ଲକ୍ଷ (୧୧ ଦିନ) ରୋଗୀ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe