New Indian Express ( Representational)
ନୂଆଦିଲ୍ଲୀ : ଲଗାତାର ୩ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୭୬ ହଜାରରୁ ଅଧିକ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୬ ହଜାର ୪୭୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୦୨୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୩୪ ଲକ୍ଷ ୬୩ ହଜାର ୯୭୨ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୬୨ ହଜାର ୬୩୫କୁ ବୃଦ୍ଧି ପାଇଛି। ତେବେ ଦେଶରେ ମୃତ୍ୟୁହାର ୧.୮୧%କୁ କମିଆସିଛି। କିନ୍ତୁ ଲଗାତାର ୪ ଦିନ ଧରି ଦେଶରେ କରୋନାରେ ୧ ହଜାରରୁ ଅଧିକଙ୍କ ମୃତ୍ୟୁ ହେଉଛି।
କରୋନା ମୃତ୍ୟୁ କ୍ଷେତ୍ରରେ ଭାରତ ଏବେ ମେକ୍ସିକୋକୁ ଟପି ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ମେକ୍ସିକୋରେ ୬୨ ହଜାର ୫୯୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ଭାରତରେ ୬୨ ହଜାର ୬୩୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଆମେରିକାରେ ସର୍ବାଧିକ ୧ ଲକ୍ଷ ୮୫ ହଜାରରୁ ଅଧିକଙ୍କର ମୃତ୍ୟୁ ହୋଇଥିବାବେଳେ ବ୍ରାଜିଲ୍ରେ ପ୍ରାୟ ୧ ଲକ୍ଷ ୧୯ ହଜାର ଜଣଙ୍କର ମୃତ୍ୟୁ ହୋଇଛି। ଲଗାତାର ୩ ଦିନ ଧରି ଦେଶରେ ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହେଉଛି। ଦେଶରେ କରୋନା ଟେଷ୍ଟିଂ ୪ କୋଟି ଟପିଯାଇଛି। ସେହିପରି ପ୍ରତି ୧୦ ଲକ୍ଷରେ ଟେଷ୍ଟ୍ ୨୯ ହଜାର ୨୮୦କୁ ବୃଦ୍ଧି ପାଇଛି। ଦେଶ ଟେଷ୍ଟିଂରେ ଏକ ନୂଆ ରେକର୍ଡ କରିଛି। ମୋଟ୍ ୪ କୋଟି ୪ ଲକ୍ଷ ୬ ହଜାର ୬୦୯ ନମୁନା ପରୀକ୍ଷା ହୋଇଛି। ସେହିପରି ଜାତୀୟ ପଜିଟିଭ୍ ହାର ମଧ୍ୟ ୮.୫୭ ପ୍ରତିଶତକୁ କମି ଆସିଛି। ଦେଶରେ ଏବେ ୭ ଲକ୍ଷ ୫୨ ହଜାର ୪୨୪ ସକ୍ରିୟ ମାମଲା ରହିଛି। ମୋଟ୍ ସଂକ୍ରମଣ ମାମଲାର ଏହା ୨୧.୭୨ ପ୍ରତିଶତ।
Follow Us