Image Courtesy of The Times of India
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପୁଣି କୋଭିଡ୍ ମାସ୍କ୍ ପରିଧାନ ବାଧ୍ୟତାମୂଳକ କରାଯିବ ଏବଂ ମାସ୍କ୍ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଆଜି ଆୟୋଜିତ ବୈଠକରେ ‘ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ ନିଷ୍ପତ୍ତି ନେଇଛନ୍ତି।
ଜାତୀୟ ରାଜଧାନୀରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ପୁନର୍ବାର ବୃଦ୍ଧି ପାଇବାରୁ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପିଲାଏ ପ୍ରତ୍ୟକ୍ଷ ସ୍କୁଲ୍ ଆସି କ୍ଲାସ୍ କରିବେ ବୋଲି କର୍ତ୍ତୃପକ୍ଷମାନେ ନିଷ୍ପତ୍ତି ନେଇଛନ୍ତି କିନ୍ତୁ, କୋଭିଡ୍ ଆଚରଣ ପାଳନ ପାଇଁ ‘ଏସ୍ଓପି’ ଜାରି କରାଯିବ। ସାମାଜିକ ସମାବେଶ ଉପରେ ନିଷିଦ୍ଧାଦେଶ ଜାରି ହେବନାହିଁ ମାତ୍ର, ସମସ୍ତ ପ୍ରକାର ସମାବେଶ ଉପରେ ତୀବ୍ର ଦୃଷ୍ଟି ରଖାଯିବ।
ମଙ୍ଗଳବାର ଦିନ ଦିଲ୍ଲୀରେ ପଜିଟିଭିଟି ହାର ୪.୪୨% ଥାଇ ନୂଆ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୬୩୨ରେ ପହଞ୍ଚିଥିଲା। ସୋମବାର ଦିନ ପଜିଟିଭିଟି ହାର ୭.୭୨% ସହ ନୂଆ ସଂକ୍ରମଣ ସଂଖ୍ୟା ଥିଲା ୫୦୧।
Image Courtesy of The Times of Indiaଏପ୍ରିଲ୍ ୧୧ରୁ ୧୮ ମଧ୍ୟରେ ଦିଲ୍ଲୀରେ ଦୈନିକ କୋଭିଡ୍ ସଂକ୍ରମଣ ମାମଲା ପ୍ରାୟ ୩ଗୁଣ ହୋଇଯାଇଛି। ଏଭଳି ଅବସ୍ଥାରେ ଅନ୍ୟ କେତେ ରାଜ୍ୟମାନଙ୍କ ଭଳି ଦିଲ୍ଲୀ ମାସ୍କ୍ ପରିଧାନ ଉପରୁ କଟକଣା ହଟାଇ ଦେବା ଘଟଣାକୁ ନେଇ ଡାକ୍ତରମାନେ ଦୁଇ ପ୍ରକାର ମତପୋଷଣ କରିଥିଲେ। ସଂକ୍ରମିତ ହେବାର ଆଶଙ୍କା ଥିବା ବ୍ୟକ୍ତିମାନେ ମାସ୍କ ବାନ୍ଧିବା ଉଚିତ ବୋଲି ସେମାନେ ସତର୍କ କରାଇ ଦେଇଥିଲେ।
ସର୍ବସାଧାରଣ ସ୍ଥାନରେ ମାସ୍କ୍ ନ ପିନ୍ଧିଲେ ଜରିମାନା ପଡ଼ିବ ନାହିଁ ବୋଲି ମଙ୍ଗଳବାର ଦିନ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ‘ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ’ ୫୦୦ ଟଙ୍କା ଜରିମାନା କରାଯିବ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
Follow Us