ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଜଣେ ଯୁବକଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି। ଦେଢ଼ମାସ ଧରି ଜଣେ ଯୁବକଙ୍କ ଯକୃତରେ ୨୦ସେଣ୍ଟିମିଟରର ଛୁରୀ ଫସି ରହିଥିବା ବେଳେ ଏବେ ୩ଘଣ୍ଟାର ସଫଳ ଅସ୍ତ୍ରୋପଚାର କରି ଏମ୍ସର ଡାକ୍ତରୀ ଟିମ୍ ଛୁରୀକୁ ବାହାର କରିଛନ୍ତି। ଅସ୍ତ୍ରୋପଚାର ପରେ ଏଭଳି ଘଟଣା ପ୍ରଥମ ବୋଲି କହିଛନ୍ତି ଅସ୍ତ୍ରୋପଚାର କରୁଥିବା ଡାକ୍ତର। ପୂର୍ବରୁ ଛୁଞ୍ଚି, ସେପ୍ଟିପିନ୍ ବା ମାଛ ଫେଟ ଭିତରେ ପଶିଯିବା ଘଟଣା ଆମେ ଦେଖିଥିଲୁ। କିନ୍ତୁ ରୋଷେଇ କାର୍ଯ୍ୟରେ ବ୍ୟବହାର ହେଉଥିବା ଛୁରୀ ଦେଢ଼ ମାସ ପର୍ଯ୍ୟନ୍ତ ଯକୃତରେ ଫସି ରହିବା ଘଟଣା ପ୍ରଥମ। ଏକ୍ସ-ରେ ପରେ ପେଟ ବିନ୍ଧାର ପ୍ରକୃତ କାରଣ ଜାଣିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇଥିଲୁ ବୋଲି କହିଛନ୍ତି ଏମ୍ସ ଡାକ୍ତର। ବର୍ତ୍ତମାନ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତରମାନେ କହିଛନ୍ତି।
ndtvଖବର ଅନୁଯାୟୀ, ହରିୟାଣାର ଏହି ୨୮ବର୍ଷ ବୟସ୍କ ବ୍ୟକ୍ତି ନିଶା ସେବନ କରନ୍ତି। ଘଟଣା ଦିନ କୌଣସି ଗଞ୍ଜେଇ ନ ପାଇବା ପରେ ସେ ଛୁରୀକୁ ଗିଳି ଦେଇଥିଲା। ପରେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରମାନେ ଏକ୍ସ-ରେ ସ୍କାନ ନକରିବା ପର୍ଯ୍ୟନ୍ତ ସେ କଣ କରିଛନ୍ତି ତାହା ତାଙ୍କ ପରିବାର ଜାଣି ନଥିଲେ। ଏକ୍ସ-ରେ ପରେ ଯକୃତରେ ଛୁରୀ ଥିବା ଜାଣି ଡାକ୍ତର ଆଶ୍ଚର୍ଯ୍ୟ ହୋଇଥିଲେ। ପରେ ଯକୃତରୁ ସଂପୂର୍ଣ୍ଣ ଭାବେ ଛୁରୀକୁ ବାହାର କରିବା ପାଇଁ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ସର୍ଜନ ଡାକ୍ତର ଏନଆର ଦାସଙ୍କ ତତ୍ତ୍ୱାବଧାନରେ ତିନି ଘଣ୍ଟା ଧରି ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର କରାଯାଇଥିଲା।
Follow Us