ତିନିଟି କୋଭିଡ୍‌ ଟିକା ଚୂଡ଼ାନ୍ତ ପର୍ଯ୍ୟାୟରେ

Advertisment
୫୮ ସ୍ବାସ୍ଥ୍ୟ କେନ୍ଦ୍ରରେ ଆ‌ଜିଠୁ ଟିକାଦାନ

Technology Networks

ନୂଆଦିଲ୍ଲୀ : ମହାମାରୀ କୋଭିଡ୍‌-୧୯ ଦ୍ବାରା ସାରା ବିଶ୍ବରେ ଅଦ୍ୟାବଧି କୋଟିଏ ୯୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବା ସହ ପାଖାପାଖି ୭ ଲକ୍ଷ ୨୦ ହଜାର ଆଖି ବୁଜି ସାରିଥିବା ବେଳେ ଏହାର ପ୍ରାଦୁର୍ଭାବ ଥମିବାର ନାଁ ଧରୁନାହିଁ। ତେବେ ଘାତକ କରୋନାଭୂତାଣୁ ସାର୍ସ-କୋଭ୍-୨ର ମୁକାବିଲା ପାଇଁ ଏକ ଉପଯୁକ୍ତ ଟିକା ପ୍ରସ୍ତୁତି ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସୁପାରିସରେ ବିଶ୍ବ ତମାମ ବିଭିନ୍ନ ଔଷଧ ନିର୍ମାତା କମ୍ପାନି ଓ ଭେଷଜ ପ୍ରତିଷ୍ଠାନ ଅହରହ ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ପାଖାପାଖି ୧୬୦ ପ୍ରକାର କୋଭିଡ୍‌ ଟିକାର ବିକାଶ ବିଭିନ୍ନ ସ୍ତରରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରୁ ୨୬ଟି ନୈଦାନିକ ପରୀକ୍ଷଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେବେ ସେମାନଙ୍କ ଭିତରୁ ମାତ୍ର ତିନିଟି ଟିକା ହିଁ ମାନବ ଶରୀରରେ ତୃତୀୟ ପର୍ଯ୍ୟାୟ ବା ଗୁରୁତ୍ବପୂର୍ଣ୍ଣ ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସ୍ତରରେ ପହଞ୍ଚି ପାରିଛନ୍ତି। ସେଗୁଡ଼ିକ ହେଲା ଆମେରିକୀୟ କମ୍ପାନି ଫାଇଜର-ବାୟୋଏନ୍‌ଟେକ୍ ଦ୍ବାରା ବିକଶିତ 'ବିଏନ୍‌ଟି୧୬୨ବି୨' ନାମକ ଟିକା, ୟୁକେର ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ 'ସିଏଚ୍‌ଏଡିଓଏକ୍ସ୧' ନାମକ ଟିକା ଏବଂ ଅନ୍ୟତମ ଆମେରିକୀୟ କମ୍ପାନି ମଡର୍ଣ୍ଣା ଦ୍ବାରା ବିକଶିତ 'ଏମ୍‌ଆର୍‌ଏନ୍‌ଏ-୧୨୭୩' ନାମକ ଟିକା। ପ୍ରଥମ ଦୁଇ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଆଶାନୁରୂପ ରହିଥିବାରୁ ଚଳିତ ବର୍ଷ ଶେଷ ସୁଦ୍ଧା କୌଣସି ନା କୌଣସି ଗୋଟିଏ ଫଳପ୍ରଦ ଟିକା ସାର୍ବଜନୀନ ବ୍ୟବହାର ପାଇ ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି।

ସେହିପରି କିଛି ଟିକାର ମଧ୍ୟ ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରହିଛି। ସେଗୁଡ଼ିକ ମଧ୍ୟରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌-ନୋଭାଭାକ୍ସର 'ଏନ୍‌ଭିଏକ୍ସ-କୋଭ୍‌୨୩୭୩' ନାମକ ଟିକା, ଅକ୍ସଫୋର୍ଡ-ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର 'କୋଭିସିଲ୍‌ଡ' ନାମକ ଟିକା, ଭାରତ ବାୟୋଟେକ୍‌ ଦ୍ବାରା ବିକଶିତ 'କୋଭାକ୍ସିନ୍‌' ନାମକ ଭାରତର ପ୍ରଥମ କୋଭିଡ୍‌ ଟିକା ଏବଂ ଜାଇଡସ କାଡ଼ିଲା ଦ୍ବାରା ବିକଶିତ 'ଜାଇକୋଭ୍‌-ଡି' ନାମକ ଅନ୍ୟତମ ଭାରତୀୟ ଟିକା ଆଦି ରହିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲୁ ରଖିଥିବା ଏହି ଟିକାଗୁଡ଼ିକର ଫଳାଫଳ ଠିକ୍‌ ରହିଲେ ଆଗାମୀ ମାର୍ଚ୍ଚ ସୁଦ୍ଧା ସର୍ବସାଧାରଣ ବ୍ୟବହାର ଉପଯୋଗୀ ଟିକାଟିଏ ମଧ୍ୟ ବଜାରକୁ ଆସିପାରିବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe