The Weather Channel
‘ଅକ୍ସଫୋର୍ଡ’ ଟିକାକୁ ବିଶେଷଜ୍ଞ କମିଟିର ମଂଜୁରି
ଦେଶବ୍ୟାପୀ କୋଭିଡ୍ ଟିକାର ଡ୍ରାଏରନ୍ ଆଜି
ନୂଆଦିଲ୍ଲୀ : ନୂଆବର୍ଷରେ ଭାରତକୁ ପ୍ରଥମ କୋଭିଡ୍ ଟିକା ମିଳିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ ବିଶେଷଜ୍ଞ କମିଟି ବ୍ୟାପକ ବିଚାରବିମର୍ଶ ପରେ ଆଜି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଭେଷଜ କମ୍ପାନି ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ କୋଭିଡ୍ ଟିକା ‘କୋଭିସିଲ୍ଡ’କୁ ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି। ପୁଣେ ସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ଟିକାକୁ କୋଭିସିଲ୍ଡ ନାମରେ ପ୍ରସ୍ତୁତ କରୁଛି। ଦେଶର କୋଭିଡ୍ ବିରୋଧୀ ଲଢ଼େଇରେ ଏହି ଟିକା ନିର୍ଣ୍ଣାୟକ ସାବ୍ୟସ୍ତ ହେବ ଏବଂ ପରବର୍ତୀ ସମୟରେ ଭାରତ ବାୟୋଟେକ ଏବଂ ଆଇସିଏମ୍ଆର୍ ଦ୍ବାରା ପ୍ରସ୍ତୁତ ‘କୋଭାକ୍ସିନ୍’ ମଧ୍ୟ ଏଥିରେ ସାମିଲ ହେବ ବୋଲି ଯୋଜନା ରହିଛି। ଆଜି ବିଶେଷଜ୍ଞ କମିଟିର ମଂଜୁରି ପରେ ଏହି ଟିକାକୁ ଭାରତର ଔଷଧ ମହାନିୟନ୍ତ୍ରକଙ୍କ ମଂଜୁରି ପାଇଁ ପଠାଯିବ ବୋଲି ଜଣାପଡ଼ିଛି।
ଶୁକ୍ରବାର ବିଶେଷଜ୍ଞ କମିଟି ବୈଠକରେ ଅକ୍ସଫୋର୍ଡ ଟିକା ସମେତ ଭାରତ ବାୟୋଟେକ୍ ଏବଂ ଫାଇଜର ଟିକା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ତେବେ ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିବା ସହ ୯୫ ପ୍ରତିଶତ ଫଳପ୍ରଦତା ହାସଲ କରିଥିବା ଅକ୍ସଫୋର୍ଡ ଟିକା ଉପରେ ହିଁ କମିଟି ଚୂଡ଼ାନ୍ତ ମୋହର ଲଗାଇଥିଲେ। ଦୁଇ ଦିନ ତଳେ ବ୍ରିଟେନ୍ ସରକାର ମଧ୍ୟ ଅକ୍ସଫୋର୍ଡ ଟିକାର ବ୍ୟବହାରକୁ ମଂଜୁରି ଦେଇଥିଲେ ଏବଂ ଏହି ଟିକାର ବହୁଳ ପ୍ରୟୋଗ ଏବେ ଆରମ୍ଭ ହୋଇଯାଇଛି। ଭାରତ ପାଇଁ ପରିବହନ ଏବଂ ସଂରକ୍ଷଣ ଦୃଷ୍ଟିରୁ ମଧ୍ୟ ଅକ୍ସଫୋର୍ଡ ଟିକା କୋଭିସିଲ୍ଡ ଅନୁକୂଳ ଥିବାରୁ ସବୁ ଦୃଷ୍ଟିରୁ ଏହାକୁ ସର୍ବୋତ୍ତମ ଭାବେ ବିଶେଷଜ୍ଞ କମିଟି ବିବେଚନା କରିଛନ୍ତି। ଏବେ ଅକ୍ସଫୋର୍ଡ ଟିକାକୁ ଡିସିଜିଆଇ ବ୍ୟବହାର ଅନୁମତି ଦେବାମାତ୍ରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ କାର୍ଯ୍ୟକ୍ରମ ଆଗେଇ ନେବାକୁ ଯୋଜଜନା କରିଛନ୍ତି। ସିରମ୍ ସଂସ୍ଥା ଭାରତରେ ଜରୁରୀ ବ୍ୟବହାର ପାଇଁ ପ୍ରାୟ ୫ କୋଟି ଟିକା ପ୍ରସ୍ତୁତ କରି ରଖିଛି। ତେବେ ସରକାର ଏବଂ ସିରମ୍ ମଧ୍ୟରେ ଟିକା କ୍ରୟ ନେଇ ଆନୁଷ୍ଠାନିକ ଚୁକ୍ତି ହୋଇନଥିବା ଜଣାପଡ଼ିଛି। ତେବେ ବିଶ୍ବର ସବୁଠାରୁ ବଡ଼ ଟିକା ନିର୍ମାତା ସିରମ୍ ପକ୍ଷରୁ କୁହାଯାଇଛି ଯେ ଆଜି ସୁଦ୍ଧା ଭାରତରେ ଯେଉଁ ପରିମାଣରେ ‘କୋଭିସିଲ୍ଡ’ ଟିକା ପ୍ରସ୍ତୁତ ହୋଇ ରହିଛି ତାହାର ସିଂହଭାଗ ଭାରତରେ ହିଁ ବ୍ୟବହାର ପାଇଁ ଉଦ୍ଦିଷ୍ଟ।
ଆଜି ଦେଶର ସମସ୍ତ ରାଜ୍ୟରେ ଟିକାର ଡ୍ରାଏରନ୍ ହେବ। ପ୍ରକୃତ ଟିକାକରଣ ପୂର୍ବରୁ ଏହା ହେଉଛି ଡମି କାର୍ଯ୍ୟକ୍ରମ ଏବଂ ଏଥିରେ ଆଗକୁ ଆସୁଥିବା ଚ୍ୟାଲେଂଜଗୁଡ଼ିକୁ ଚିହ୍ନଟ କରି ତାହାର ତୁରନ୍ତ ସମାଧାନ କରାଯାଇପାରିବ। ଦେଶର ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସରକାର ୩୦ କୋଟି ଲୋକଙ୍କୁ ଟିକା ଦେବାପାଇଁ ଲକ୍ଷ୍ୟ ରଖିଛନ୍ତି। ବିଭିନ୍ନ ରାଜ୍ୟରେ ଟିକାକରଣ ପାଇଁ ପ୍ରସ୍ତୁତି ଜୋର୍ସୋର୍ରେ ଚାଲିଛି ଏବଂ ପ୍ରଥମ ପର୍ଯ୍ୟାୟରେ ସରକାର ୩୦ କୋଟି ଲୋକଙ୍କୁ ଟିକା ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ପୁଲିସ କର୍ମୀ, କରୋନା ଯୋଦ୍ଧା, ୫୦ ବର୍ଷରୁ ଅଧିକ ବୟସର ଅସୁସ୍ଥ ଲୋକଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯିବ। ରାଜଧାନୀ ଦିଲ୍ଲୀରେ ଟିକାର ଡ୍ରାଏରନ୍ କାର୍ଯ୍ୟକ୍ରମକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ତଦାରଖ କରିବେ।
Follow Us