କୋଭିସିଲ୍‌ଡ ଟିକା ବ୍ୟବଧାନ ବଢ଼ିଲା, ୧୨ରୁ ୧୬ ସପ୍ତାହ ମଧ୍ୟରେ ନେଇପାରିବେ ଦ୍ବିତୀୟ ଡୋଜ୍‌

Advertisment

ଆକ୍ରାନ୍ତ ସୁସ୍ଥ ହେବାର ୬ ମାସ ପରେ ହିଁ ନେଇପାରିବେ

ଆକ୍ରାନ୍ତ ସୁସ୍ଥ ହେବାର ୬ ମାସ ପରେ ହିଁ ନେଇପାରିବେ

ଯୁବ ବର୍ଗର ୫୦% ନେଲେଣି ପ୍ରଥମ ଡୋଜ୍

livemint.com

ନୂଆଦଲ୍ଲୀ : ପୁଣେସ୍ଥିତ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ କୋଭିସିଲ୍‌ଡ ଟିକାର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ଯାଏ ବଢ଼ାଇବାକୁ ନାସନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେସନ୍‌ (ଏନ୍‌ଟିଏଜିଆଇ) ସରକାରଙ୍କୁ ପରାମର୍ଶ କରିଛି। ଅପରପକ୍ଷେ, ସରକାର ଏହି ପରାମର୍ଶକୁ ତୁରନ୍ତ କାର୍ଯ୍ୟକାରୀ କରିଦେଇଥିବା ଜଣାଯାଇଛି। ଏହାଦ୍ବାରା ଉକ୍ତ ଟିକା ପାଇଁ ଦୁଇ ମାତ୍ରା ମଧ୍ୟରେ ବ୍ୟବଧାନ ଗତ ୩ ମାସ ଭିତରେ ଦୁଇଥର ବଦଳାଯାଇଥିବା ଜଣାଯାଇଛି। ପୂର୍ବରୁ ମୂଳ ଅବଧି ୨୮ ଦିନ ଥିବାବେଳେ ମାର୍ଚ୍ଚ ମାସରେ ତାହାକୁ ୬ରୁ ୮ ସପ୍ତାହ ଯାଏ ବଢ଼ାଯାଯାଇଥିଲା। ଫଳରେ ସମ୍ପ୍ରତି ଉକ୍ତ ଟିକା ପାଇଁ ଏହି ସମୟ ବ୍ୟବଧାନ ୪ରୁ ୮ ସପ୍ତାହ ରହିଥିଲା।

ସୂଚନା ଅନୁସାରେ, ୟୁକେରେ ଉକ୍ତ ଟିକା(ଆଷ୍ଟ୍ରାଜେନେକା)ର ବାସ୍ତବ ପ୍ରୟୋଗାତ୍ମକ ଫଳାଫଳକୁ ବିଶ୍ଳେଷଣ କରି ଏନ୍‌ଟିଏଜିଆଇ ଏପରି ପରାମର୍ଶ କରିଛି। ଅପରପକ୍ଷେ, ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନ୍‌ ଟିକାର ଦୁଇ ମାତ୍ରା ଭିତରେ ରହିଥିବା ଅନ୍ତରୀଣ ଅବଧି ୪ରୁ ୬ ସପ୍ତାହରେ କୌଣସି ପରିବର୍ତ୍ତନ ପାଇଁ ଏନ୍‌ଟିଏଜିଆଇ ପ୍ରସ୍ତାବ ଦେଇନାହିଁ। ସେହିପରି କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ଟିକା ନେବାକୁ ଅ‌ପେକ୍ଷା କରିଥିବା ପୀଡ଼ିତମାନେ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିବାର ୬ ମାସ ପରେ ହିଁ ଟିକା ନେଇପାରିବେ ବୋଲି କୁହାଯାଇଛି। ଅନ୍ୟ ଏକ ଘଟଣାକ୍ରମରେ ଗର୍ଭବତୀମାନଙ୍କୁ କୋଭିସିଲ୍‌ଡ ଓ କୋଭାକ୍ସିନ୍‌ ମଧ୍ୟରୁ ଯେ କୌଣସି ଗୋଟିଏ ନେବାର ପସନ୍ଦ ସୁବିଧା ରଖିବାକୁ ଏନ୍‌ଟିଏଜିଆଇ ମଧ୍ୟ ପ୍ରସ୍ତାବ ଦେଇଛି। ସେହିପରି ପ୍ରସୂତିମାନେ ପ୍ରସବ ପରେ ଯେକୌଣସି ସମୟରେ ଟିକା ନେଇପାରିବେ ବୋଲି କୁହାଯାଇଛି।

ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ଏହି ଦୁଇ ବର୍ଗର ହିତାଧିକାରୀମାନଙ୍କୁ ଟିକା ପାଇଁ ଯୋଗ୍ୟ ବିବେଚିତ କରାଯାଇନଥିଲା। ଏନ୍‌ଟିଏଜିଆଇ ଉପରୋକ୍ତ ପରାମର୍ଶଗୁଡ଼ିକ କାର୍ଯ୍ୟକାରୀ କରାଇବା ପାଇଁ ନାସନାଲ୍‌ ଏକ୍ସପର୍ଟ ଗ୍ରୁପ୍‌ ଅନ୍‌ ଭାକ୍ସିନ୍‌ ଆଡ୍‌ମିନିଷ୍ଟ୍ରେସନ୍‌କୁ ପଠାଯାଇଥିବାବେଳେ ସରକାର ମଧ୍ୟ କିଛି ପ୍ରସ୍ତାବ ଗ୍ରହଣ କରିଛନ୍ତି ଏବଂ ଅନ୍ୟଗୁଡ଼ିକର ତର୍ଜମା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe