ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ରେ ଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମେତ ଅନ୍ୟ ୧୫ ଜଣଙ୍କ ବିରୋଧରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆସନ୍ତାକାଲି ଦଣ୍ଡାଦେଶ ଘୋଷଣା କରିବେ। ସ୍ୱତନ୍ତ୍ର ବିଚାରପତି ଶିବପାଲ ସିଂହ ଆଜି ଦଣ୍ଡ ଘୋଷଣା କରିବାର ଥିଲା, କିନ୍ତୁ ଆଇନଜୀବୀ ବିନ୍ଧେଶ୍ୱରୀ ପ୍ରସାଦଙ୍କ ବିୟୋଗ ଯୋଗୁଁ ଆସନ୍ତାକାଲି ଦଣ୍ଡାଦେଶ ଘୋଷଣା ହେବ ବୋଲି ଧାର୍ଯ୍ୟ ହୋଇଛି । ଅନ୍ୟପକ୍ଷରେ କୋର୍ଟ ଆଜି ବରିଷ୍ଠ ଆରଜେଡି ନେତା ଏବଂ ଦଳର ଉପାଧ୍ୟକ୍ଷ ରଘୁବଂଶ ପ୍ରସାଦ, ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତଥା ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ, ବରିଷ୍ଠ ଦଳୀୟ ନେତା ଶିବାନନ୍ଦ ତିଓ୍ଵାରି ଏବଂ କଂଗ୍ରେସ ମୁଖପାତ୍ର ମନୀଶ ତିଓ୍ଵାରିଙ୍କୁ ଅଦାଲତ ଅବମାନନା ମାମଲାରେ ନୋଟିସ ଜାରି କରିଛନ୍ତି। ସେମାନେ ଡିସେମ୍ବର ୨୩ ତାରିଖରେ କୋର୍ଟ ରାୟ ବିରୋଧରେ ବୟାନ ଦେଇଥିବାରୁ ସେମାନଙ୍କ ବିରୋଧରେ ଅଦାଲତ ଅବମାନନା ନେଇ ନୋଟିସ ଜାରି ହୋଇଛି । ଅନ୍ୟପକ୍ଷରେ ଲାଲୁଙ୍କ ଓକିଲ ଏହି ମାମଲାରେ ଲାଲୁଙ୍କୁ ଖୁବ୍ କମ୍ ଦଣ୍ଡ ପାଇଁ ଅନୁରୋଧ କରିବେ ବୋଲି କହିଛନ୍ତି। ଲାଲୁଙ୍କୁ ୭୦ ବର୍ଷ ବୟସ ହେଲାଣି ଏବଂ ସେ ବିଭିନ୍ନ ରୋଗରେ ପୀଡ଼ିତ ଥିବା ହେତୁ ତାଙ୍କୁ କମ୍ ଦଣ୍ଡାଦେଶ ଦାଇଁ ସେ କୋର୍ଟଙ୍କୁ ଅନୁରୋଧ କରିବେ ବୋଲି କହିଛନ୍ତି। ଲାଲୁ ପୂର୍ବରୁ ୨୦୧୩ ମସିହାରେ ଅନ୍ୟ ଏକ ଗୋଖାଦ୍ୟ ଦୁର୍ନୀତି ମାମଲାରେ ୫ ବର୍ଷ ଜେଲ୍ଦଣ୍ଡ ଭୋଗିଥିଲେ। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଏବେ ରାଞ୍ଚିର ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲ୍ରେ ବନ୍ଦୀ ଅଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାର ବିଚାର ଡିସେମ୍ବର ୧୩ରେ ଶେଷ ହୋଇଥିଲା ଏବଂ ଏହାର ୧୦ ଦିନ ପରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ମାମଲାରେ ୩୪ ଜଣ ଅଭିଯୁକ୍ତ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କର ବିଚାର ସମୟରେ ମୃତ୍ୟୁ ହୋଇଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us