ଭୋପାଳ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ଚାଷଜମିରେ କାମ କରୁଥିବା ବେଳେ ଜଣେ ମହିଳା ନିକଟସ୍ଥ ନଦୀକୁ ପାଣି ପିଇବାକୁ ଯାଇଥିଲେ। ଏହି ସମୟରେ ସେ ଏକ କୁମ୍ଭୀର ଆକ୍ରମଣର ଶିକାର ହୋଇ ସବୁଦିନ ପାଇଁ ନିଜର ବାମ ହାତ ହରାଇଛନ୍ତି।
ସୂଚନାଯୋଗ୍ୟ, ଶିବପୁରୀ ଜିଲ୍ଲାର ଅମୋଲା ଥାନା ଅଞ୍ଚଳରେ ଗତ ବୁଧବାର ଚାଷଜମିରେ କାମ କରୁଥିବା ସ୍ୱରୂପୀଙ୍କୁ ଶୋଷ ହୋଇଥିଲା। ସେ ପାଣି ପିଇବା ପାଇଁ ନିକଟସ୍ଥ ଏକ ନଦୀକୁ ଯାଇଥିଲେ। ଏହି ସମୟରେ କୂଳରେ ଶିକାର ପାଇଁ ଲୁଚି ରହିଥିବା ଏକ କୁମ୍ଭୀର ମହିଳାଙ୍କ ଉପରକୁ ହଠାତ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଦୁର୍ଭାଗ୍ୟବଶତଃ ମହିଳାଙ୍କ ହାତ କୁମ୍ଭୀର ପାଟିରେ ରହି ଯାଇଥିଲା। ଫଳରେ ମହିଳାଙ୍କ ବାମ ହାତର କହୁଣୀ ପର୍ଯ୍ୟନ୍ତ କୁମ୍ଭୀର ଛିଣ୍ଡାଇ ନେଇ ଖାଇ ଦେଇଥିଲା। ଏହି ସମୟରେ ଚାଷ ଜମିରେ କାମ କରୁଥିବା ଅନ୍ୟ ଲୋକମାନେ ସ୍ୱରୂପୀଙ୍କ ଚିତ୍କାର ଶୁଣି ନଦୀ ପାଖକୁ ଦୌଡ଼ି ଆସି କୁମ୍ଭୀରକୁ ମାଡ଼ ମାରିବା ସହିତ ପଥର ଫିଙ୍ଗି ଥିଲେ। ଏହାପରେ କୁମ୍ଭୀର ଲୋକଙ୍କ ମାଡ଼ ଭୟରେ ନଦୀ ଭିତରକୁ ଚାଲି ଯାଇଥିଲା। ମହିଳାଙ୍କୁ ସଙ୍ଗେସଙ୍ଗେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତ କରାଯାଇଥିଲା।
The Stateଉକ୍ତ ମହିଳାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁସାରେ, ମହିଳାଙ୍କ ହାତରୁ ଅଜସ୍ର ରକ୍ତସ୍ରାବ ହୋଇଥିଲା। କିନ୍ତୁ ଚିକିତ୍ସା ପରେ ମହିଳାଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ତାଙ୍କ ହାତଟିକୁ କହୁଣୀ ତଳକୁ କଟାଯାଇଛି।
Follow Us