Image Courtesy of NDTV
ହରିଦ୍ବାର: ବନ୍ୟାଜଳରେ ଉଛୁଳି ଉଠିଥିବା ଗଙ୍ଗା ଏବଂ ତା’ର ଶାଖା ନଦୀମାନଙ୍କରୁ କୁମ୍ଭୀର ସବୁ ଉଠିଆସି ଜନବସତି ଅଞ୍ଚଳରେ ପ୍ରବେଶ କରିବାରୁ ଉତ୍ତରାଖଣ୍ଡର ହରିଦ୍ବାର ଜିଲ୍ଲା ଅନ୍ତର୍ଗତ ଲକ୍ସର୍ ଏବଂ ଖାନପୁର ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି।
ବନ୍ୟାଜଳରେ ଗଙ୍ଗା ଏବଂ ତା’ର ଶାଖାନଦୀ ବନଗଙ୍ଗା ଏବଂ ସୋନାଲୀ ନଦୀରୁ ଉଠିଆସିଥିବା କୁମ୍ଭୀରମାନଙ୍କୁ ବନବିଭାଗ କର୍ମଚାରୀମାନେ ଧରିନେଇ ପୁଣି ନଦୀରେ ଛାଡ଼ି ଦେଉଛନ୍ତି।
ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ମୁଖ୍ୟ ନଦୀ ପ୍ରବାହିତ ହେଉଥିବା ଆଖପାଖ ଜନଗହଳି ଅଞ୍ଚଳରୁ ଏପର୍ଯ୍ୟନ୍ତ ପ୍ରାୟ ୧୨ଟି କୁମ୍ଭୀରଙ୍କୁ ଧରାଯାଇଛି। ଏହାଛଡ଼ା, କୁମ୍ଭୀରମାନଙ୍କୁ ଧରିବା ଲାଗି ବନ ବିଭାଗ ଲକ୍ସର୍ ଓ ଖାନପୁର ଅଞ୍ଚଳରେ ୨୫ଜଣିଆ କର୍ମଚାରୀ ଟିମ୍ ମୁତୟନ କରିଛି। କୁମ୍ଭୀର ଧରିବାକୁ ସେମାନେ ଦିନରାତି ଜାଗ୍ରତ ରହିଛନ୍ତି।
Image Courtesy of Times of Indiaଅମିତ ଗିରି ନାମରେ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ଖାନପୁରର ଖେଦିକଲାନ୍ ଗ୍ରାମରେ ଗୋଟାଏ ବାଥ୍ରୁମ୍ରେ ବଡ଼ କୁମ୍ଭୀର ପଶିଥିଲା। ବନ ବିଭାଗ କର୍ମଚାରୀମାନେ ତାକୁ ଧରି ନଈରେ ଛାଡ଼ି ଦେଇଛନ୍ତି।
ହରିଦ୍ବାରର ଉପଖଣ୍ଡ ବନ ଅଧିକାରୀ ନୀରଜ ଶର୍ମା କହିଛନ୍ତି ଯେ, ବନଗଙ୍ଗା ଓ ସୋନାଲୀ ନଦୀରେ ଥିବା ବହୁସଂଖ୍ୟକ କୁମ୍ଭୀର ବନ୍ୟାଜଳରେ ଜନବସତି ଅଞ୍ଚଳକୁ ଚାଲି ଆସିଛନ୍ତି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ପ୍ରବଳ ବର୍ଷା ହେବାରୁ ଗଙ୍ଗାନଦୀରେ ଜଳସ୍ତର ବୃଦ୍ଧି ପାଇ ଲସ୍କର୍ ଓ ଖାନପୁର ଅଞ୍ଚଳକୁ ଜଳପ୍ଳାବିତ କରିଥିବା ବେଳେ ସୋନାଲୀ ନଦୀର ଜଳଭଣ୍ଡାର ବନ୍ଧରେ ଘାଇ ହେବା ଯୋଗୁଁ ବନ୍ୟା ପରିସ୍ଥିତି ଆହୁରି ବିଗିଡ଼ି ଯାଇଛି।
ଗତ ସପ୍ତାହରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଯାଇଥିଲେ। ସୋମବାର ଦିନ ଲସ୍କର୍ ଅଞ୍ଚଳରେ ପାଣି କମିଥିଲା କିନ୍ତୁ, ମଙ୍ଗଳବାର ଦିନ ପ୍ରବଳ ବର୍ଷା ହେବାରୁ ପୁଣି ପାଣି ବଢ଼ିଲା।
Follow Us