Image Courtesy of India Today
କୋଲ୍କାତା: ଝିଅ ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟ୍ରୁ ପ୍ରବର୍ତ୍ତନ ନିର୍ଦେଶାଳୟ ନଗଦ କୋଟି କୋଟି ଟଙ୍କା ଉଦ୍ଧାର କରୁଥିବା ବେଳେ ତାଙ୍କ ମାଆ ମିନତୀ ମୁଖାର୍ଜୀ କୋଲ୍କାତାର ବେଲଘରିଆ ଅଞ୍ଚଳରେ ଥିବା ଭଙ୍ଗାଦଦରା ପୈତୃକ ଘରେ ରହୁଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ୫୦ ବର୍ଷ ତଳେ ନିର୍ମିତ ଭଙ୍ଗାଦଦରା ଘରେ ମିନତୀ ମୁଖାର୍ଜୀ ଏକାକିନୀ ରହୁଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟଦ୍ବାରା ଗିରଫ ହୋଇଥିବା ଅର୍ପିତା ମୁଖାର୍ଜୀ ଆଗରୁ ବରାବର ତାଙ୍କ ଅସୁସ୍ଥ ମାଆଙ୍କୁ ଦେଖା କରିବାକୁ ଆସି ୨/୩ ଘଣ୍ଟା ରହନ୍ତି ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। ଏହାଛଡ଼ା, ଦୈନ୍ଦିନ ଘରକରଣା କାର୍ଯ୍ୟରେ ମାଆଙ୍କୁ ସାହାଯ୍ୟ କରିବା ଲାଗି ସେ ଅର୍ପିତା ୨ଜଣ ଲୋକଙ୍କୁ ନିଯୁକ୍ତ କରିଥିଲେ।
Image Courtesy of Jani Newsଝିଅ ଗିରଫ ହେବା ପରେ ଗଣମାଧ୍ୟମ ପ୍ରତିନିଧି ମିନତୀ ମୁଖାର୍ଜୀଙ୍କୁ ଭେଟିଥିଲେ। ସେ କହିଲେ, ସେ ଯଦି ମୋ କଥା ଶୁଣି ଥାଆନ୍ତା, ମୁଁ ତା’ର ବାହାଘର କରାଇ ଦେଇଥାଆନ୍ତି। ତା’ର ବାପା ସରକାରୀ ଚାକିରି କରୁଥିଲେ, ତେଣୁ ସେ ବି ବାପାଙ୍କ ଚାକିରି ପାଇ ପାରିଥାଆନ୍ତା। କିନ୍ତୁ, ଚାକିରି ପ୍ରତି ତା’ର ଆଗ୍ରହ ନ ଥିଲା। ବହୁ ଦିନ ହେଲା ସେ ଏ ଘର ଛାଡ଼ି ଚଳଚ୍ଚିତ୍ର ଏବଂ ଟେଲିଭିଜନ୍ ସୋ’ରେ କାମ କରିବାକୁ ଚାଲିଯାଇଛି।
ପ୍ରବର୍ତ୍ତନ ନିର୍ଦେଶାଳୟର ତଦନ୍ତ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ମିନତୀ କହିଛନ୍ତି, ଏ ବିଷୟରେ ମୁଁ ସମାଚାରରୁ ଶୁଣିଲି। ଟଙ୍କା ବିଷୟରେ ମୁଁ କିଛି ଜାଣେନି। ଏସବୁ ଆଇନକାନୁନ କଥା। ମୁଁ ତାକୁ ଏ ବିଷୟରେ ପଚାରିବି।
Follow Us