Business Today
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆଜି ବିରୋଧୀ ଶିବିରରେ ବଡ଼ ଧରଣର ଫାଟ ସାମ୍ନାକୁ ଆଣିଛି । ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ବିପୁଳ ବିଜୟ ସହ ବିରୋଧୀ ଦଳ ସାଂସଦଙ୍କ ଦ୍ବାରା କ୍ରସ୍ ଭୋଟିଂ ମଧ୍ୟ ଚର୍ଚ୍ଚାରେ ରହିଛି । ବିଜେପି ଦାବି କରିଛି ଯେ ବିରୋଧୀ ଦଳର ୧୭ ଜଣ ସାଂସଦ ଏବଂ ୧୦୪ ବିଧାୟକ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ଭୋଟ୍ ଗଣତି ହୋଇଥିବା ବେଳେ ଏହି ପର୍ଯ୍ୟାୟର ପରିଣାମ ଆକଳନ ପରେ ବିଜେପି ଏଭଳି ବୟାନ ଜାରି କରିଛି ।
ମୁର୍ମୁ ସାଂସଦଙ୍କ ଭୋଟ୍ର ୭୨.୧୯ ପ୍ରତିଶତ ହାସଲ କରିଛନ୍ତି। ମୁର୍ମୁଙ୍କୁ ୫୪୦ ଜଣ ସାଂସଦ ଭୋଟ୍ ଦେଇଥିବା ବେଳେ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୋୱନ୍ତ ସିହ୍ନାଙ୍କୁ ୨୦୮ଟି ଭୋଟ୍ ମିଳିଥିଲା। ସାଂସଦଙ୍କ ଭୋଟ୍ ଫଳାଫଳରେ ମୁର୍ମୁଙ୍କ ଭୋଟ୍ ମୂଲ୍ୟ ୩, ୭୮,୦୦୦ ଥିବା ବେଳେ ସିହ୍ନାଙ୍କ ଭୋଟ୍ ମୂଲ୍ୟ ଥିଲା ୧,୪୫,୬୦୦। ସୂଚନାଯୋଗ୍ୟ, ବିଜେପି ଅଣବିଜେପି ରାଜ୍ୟର ଜଣେ ଆଦିବାସୀ ମହିଳାଙ୍କୁ ଠିଆ କରି ଅନେକ ଦଳକୁ ଅଡ଼ୁଆରେ ପକାଇ ଦେଇଥିଲା। ମୁର୍ମୁ ଯେତିକି ଭୋଟ୍ ପାଇବେ ବୋଲି ଆଶା କରାଯାଉଥିଲା ତା’ଠାରୁ ଯଥେଷ୍ଟ ଅଧିକ ଭୋଟ୍ ପାଇଛନ୍ତି। ଭାରତ ତା’ର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତିଙ୍କୁ ପାଇଥିବା ବେଳେ ଏହି ମର୍ମରେ ବିଜେପିର ବ୍ୟାପକ ପ୍ରଚାର ଭିନ୍ନ ଦଳର ଆଦିବାସୀ ଭୋଟଗୁଡ଼ିକୁ ଆକର୍ଷିତ କରିବାରେ ସାହାଯ୍ୟ କରିଥିଲା। ଆଦିବାସୀ ବହୁଳ ରାଜ୍ୟର ଅଣ-ବିଜେପି ଦଳଗୁଡ଼ିକ ଆଦିବାସୀ ଭୋଟକୁ ହାତଛଡ଼ା ନ କରିବା ପାଇଁ ଦ୍ରୌପଦୀଙ୍କୁ ସମର୍ଥନ ଘୋଷଣା କରିବା ମଧ୍ୟ ବେଶ୍ ଉଲ୍ଲେଖନୀୟ ଥିଲା।
ଯଶୋୱନ୍ତ ସିହ୍ନାଙ୍କୁ ମିଳିତ ବିରୋଧୀ ଦଳର ପ୍ରାର୍ଥୀ କରିବାକୁ ତୃଣମୂଳ କଂଗ୍ରେସ (ଟିଏମ୍ସି) ଓ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ପ୍ରସ୍ତାବ ଦେଇଥିଲେ। ଏହାକୁ ସମର୍ଥନ କରିଥିଲେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ନେତା ଶରଦ ପାୱାର। ନିଜ ପ୍ରାର୍ଥୀଙ୍କ ସପକ୍ଷରେ ବୃହତ୍ତର ବାର୍ତ୍ତା ଦେବା ପାଇଁ ମିଳିତ ବିରୋଧୀ ଦଳ ସମର୍ଥ ହୋଇପାରିଲା ନାହିଁ। ପ୍ରଚାର ସମୟରେ ଆଦିବାସୀ-ଅଧ୍ୟୁଷିତ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଦ୍ରୌପଦୀଙ୍କୁ ବିରୋଧ କରିବାକୁ ଶାସକ ଦଳ ସାହସ କରିପାରିଲା ନାହିଁ। ମୁର୍ମୁଙ୍କ ପ୍ରାର୍ଥିତ୍ବ କେବଳ ଅନେକ କଂଗ୍ରେସ ବିଧାୟକଙ୍କୁ ନୁହେଁ, ବରଂ ଆଦିବାସୀ-ବହୁଳ ରାଜ୍ୟ ଝାଡ଼ଖଣ୍ଡର ଶାସକ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍), ତୃଣମୂଳ କଂଗ୍ରେସ (ଟିଏମ୍ସି) ଓ ଶିରୋମଣି ଅକାଳୀ ଦଳ (ଏସ୍ଏଡି) ପ୍ରଭୃତିଙ୍କୁ ବି ଅଡ଼ୁଆରେ ପକାଇଥିଲା। ଜେଏମ୍ଏମ୍ ଓ ଏସ୍ଏଡି ମୁର୍ମୁଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରିବା ମଧ୍ୟ ବିଜେପିକୁ ବେଶ୍ ସୁହାଇଥିଲା।
Follow Us