ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହର ପ୍ରକୋପ ଟିକେ କମିବା ପରେ ଲୋକମାନେ ପୂର୍ବ ସ୍ଥିତିକୁ ପୂରାପୂରି ଭୁଲିଯାଇଛନ୍ତି। ଏପ୍ରିଲ ଏବଂ ମେ ମାସରେ ଦେଶରେ କରୋନା ସଂକ୍ରମଣ ବଢ଼ିବା ସମୟରେ ରୋଗୀମାନେ ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ସ୍ଥାନ ପାଇ ନଥିଲେ। ସେହିଭଳି ଶ୍ମଶାନରେ ଶବ ଦାହ କରିବା ପାଇଁ ଲୋକଙ୍କୁ ଜାଗା ମିଳି ନଥିଲା କି ଜୁଇ ମଧ୍ୟ ଲିଭି ନଥିଲା। ଦେଶରେ ଏବେ ବି କରୋନା ସଂକ୍ରମଣ ଓ ମୃତ୍ୟୁ ଲାଗି ରହିଥିଲେ ମଧ୍ୟ ଲୋକମାନେ ଏହାକୁ ଖାତିର ନକରି ବାହାରକୁ ବୁଲିଯିବାରେ ବାହାରି ପଡ଼ିଛନ୍ତି। ବିଶେଷକରି ଦେଶର ଶୈଳ ନିବାସଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ହିମାଚଳ ପ୍ରଦେଶର ମାନାଲି, ସିମ୍ଲା, ଉତ୍ତରାଖଣ୍ଡର ମସୁରିରେ ଲୋକମାନେ ଏଭଳି ଭିଡ଼ ଲଗାଇଛନ୍ତି ଯେ ତାହା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଲୋକଙ୍କ ଭିଡ଼ର ଫଟୋ ସାମାଜିକ ଗଣମାଧ୍ୟମରେ ଛାଇ ହୋଇଯାଇଛି।
ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏ ନେଇ ଲୋକଙ୍କୁ ସତର୍କ କରାଇ ଦେଇଛି। ଟ୍ବିଟ୍ କରି ଏକ ବାର୍ତ୍ତାରେ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ମନାଲି ଅପେକ୍ଷା କରିବ, କିନ୍ତୁ ଭୂତାଣୁ ଅପେକ୍ଷା କରିବ ନାହିଁ। ତେଣୁ ନିଜକୁ ଏବଂ ଅନ୍ୟମାନଙ୍କୁ ବିପଦରେ ନପକାଇବା ପାଇଁ ପରସ୍ପରଠାରୁ ଦୁଇ ଗଜ ଦୂରତା ରକ୍ଷା କରନ୍ତୁ। ଦାୟିତ୍ବବାନ ହୁଅନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ଟ୍ବିଟ୍ ବାର୍ତ୍ତାରେ କୁହାଯାଇଛି। ‘ଲକକାଉଡନ୍ ସାମାନ୍ୟ କୋହଳ କରାଯାଇଛି। ଆପଣମାନେ ପର୍ବତ ବା ଶୈଳ ନିବାସକୁ ପଳାଇ ଯାଇଛନ୍ତି। ହୋଟେଲରେ ଆଜି ଗହଳି ହେଲେ ଆସନ୍ତାକାଲି ତାହା ହସ୍ପିଟାଲର ଗହଳିକୁ ବଢ଼ାଇ ଦେବ।’ ବୋଲି କୁହାଯାଇଛି।
ଦେଶର ଦୈନନ୍ଦିନ କୋଭିଡ ସ୍ଥିତି ଉପରେ ଆଜି ସୂଚନା ଦେବାବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି, ଶୈଳ ନିବାସକୁ ଯାଉଥିବା ଲୋକମାନେ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଥିବା ବ୍ୟବହାର ପାଳନ କରୁନାହାନ୍ତି। କଟକଣା ଦ୍ବାରା ଯେଉଁ ଲାଭ ଆମେ ହାସଲ କରିବେ ଯଦି ଲୋକମାନେ ନିୟମ ପାଳନ ନକରିବେ ତାହା ନିଷ୍ଫଳ ହୋଇଯିବ ବୋଲି ଅଧିକାରୀ ଜଣକ କହିଛନ୍ତି। ସେହିଭଳି ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ ଆଜି କହିଛନ୍ତି ସବୁ ଶୈଳ ନିବାସରେ ଭୟଙ୍କର ଚିତ୍ର ଦେଖିବାକୁ ମିଳୁଛି। କରୋନାରୁ ସୁରକ୍ଷା ରହିବା ପାଇଁ ଲୋକମାନେ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବା ଉଚିତ ବୋଲି ଭାଗର୍ବ କହିଛନ୍ତି। ହିମାଚଳ ପ୍ରଦେଶର ବିଭିନ୍ନ ଶୈଳ ନିବାସଗୁଡ଼ିକୁ ଗତ ୧ ମାସରୁ କମ୍ ସମୟ ମଧ୍ୟରେ ୬ରୁ ୭ ଲକ୍ଷ ଯାତ୍ରୀ ଯାଇଛନ୍ତି। କରୋନା ସଂକ୍ରମଣ କମିବା ପରେ ଲୋକମାନେ ସିମ୍ଲା, ମାନାଲି, ଧର୍ମଶାଳା, ଡେଲହାଉସି, ନରକଣ୍ଡା ଏବଂ ଅନ୍ୟ ଶୈଳନିବାସଗୁଡ଼ିକୁ ବହୁସଂଖ୍ୟାରେ ଯାଉଛନ୍ତି। ସିମ୍ଲା, ମାନାଲି ଏବଂ ଧର୍ମଶାଳାରେ ବହୁସଂଖ୍ୟାରେ ଗାଡ଼ି ଯାତାୟାତ କରୁଛି।
Follow Us