Image Courtesy of India.com
ନୂଆଦିଲ୍ଲୀ: ୟୁକ୍ରେନ ସଙ୍କଟର ବଡ଼ ଧରଣର ପ୍ରଭାବ ଅଶୋଧିତ ତେଲ ବଜାର ଉପରେ ପଡ଼ିଛି। ରୁଷିଆର ୟୁକ୍ରେନ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଆଗାମୀ ଦିନରେ ତେଲ ଯୋଗାଣ ବ୍ୟାହତ ହେବା ଆଶଙ୍କା ଦେଖାଦେଇଛି। ଏଥିପାଇଁ ଲଣ୍ଡନରେ ଆଜି ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୪.୧୮ ଡଲାର ବୃଦ୍ଧି ଘଟି ପାଖାପାଖି ୧୦୦ ଡଲାର (୯୯.୩୮) ଡଲାରରେ ପହଞ୍ଚିଛି। ପୂର୍ବରୁ ୨୦୧୪ ସେପ୍ଟେମ୍ବରରେ ଶେଷ ଥର ପାଇଁ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୯ ଡଲାର ଟପିଥିଲା। ଅଶୋଧିତ ତେଲ ଦର ବଢ଼ିଥିବାରୁ ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ଅନୁମାନ କରାଯାଉଛି।
ରୁଷିଆରୁ ଅଶୋଧିତ ତେଲ ଯୋଗାଣ ବ୍ୟାହତ ହେବା ଦ୍ବାରା ଅନ୍ତର୍ଜାତୀୟ ବଜାରରେ ଏହାର ପ୍ରଭାବ ପେଟ୍ରୋଲ ଏବଂ ଡିଜେଲ ଉପରେ ପଡ଼ିବ। ଭାରତରେ ବର୍ତ୍ତମାନ ସୁଦ୍ଧା ରେକର୍ଡ ୧୧୦ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦରରେ ସଂଶୋଧନ ହୋଇନାହିଁ। ସମ୍ଭବତଃ ୫ ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ସରକାରଙ୍କ ନିର୍ଦ୍ଦେଶରେ ତେଲ କମ୍ପାନି ଗୁଡ଼ିକ ପେଟ୍ରୋଲ, ଡିଜେଲ ଦର ବଢ଼ାଇ ନାହାନ୍ତି। କିନ୍ତୁ ଏହି ନିର୍ବାଚନ ଶେଷ ହେବା ମାତ୍ରେ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦରକୁ ଗ୍ରାହକଙ୍କ ଉପରେ ଲଦିପାରନ୍ତି। ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୮୨ରୁ ୮୩ ଡଲାର ଭିତରେ ରହିଲେ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଯେଉଁ ଦରରେ ବିକ୍ରି ହେଉଛି ସେଥିପାଇଁ ତେଲ କମ୍ପାନିଗୁଡ଼ିକ ପାଇଁ କୌଣସି ଚିନ୍ତା କରିବାକୁ ପଡ଼ିବ ନାହିଁ। କିନ୍ତୁ ଅଶୋଧିତ ତେଲ ଦର ଏହାଠାରୁ ବହୁ ଅଧିକ ସ୍ତରକୁ ବଢ଼ିଯାଇଥିବାରୁ ପେଟ୍ରୋଲ, ଡିଜେଲ ଦର ବଢ଼ିବା ଆଶଙ୍କା ଦେଖାଦେଇଛି।
ଦେଶରେ ୨୦୧୭ ଜୁନ ମାସରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପ୍ରତିଦିନ ସଂଶୋଧନ କରାଯିବାର ବ୍ୟବସ୍ଥା ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହିସାବରେ ପେଟ୍ରୋଲ, ଡିଜେଲର ହ୍ରାସବୃଦ୍ଧି କରାଯାଉଛି। କିନ୍ତୁ ନିର୍ବାଚନ ସମୟରେ କମ୍ପାନିଗୁଡ଼ିକ ପ୍ରାୟତଃ ପେଟ୍ରୋଲ, ଡିଜେଲ ଦର ବଢ଼ାଇ ନଥାନ୍ତି। ନିର୍ବାଚନ ସରିଲେ ଦର ବଢ଼ାଇଥାନ୍ତି। କିନ୍ତୁ ଦୈନିକ ସଂଶୋଧନ ହେବା ଦିନଠାରୁ ତେଲ କମ୍ପାନିଗୁଡ଼ିକ ବର୍ତ୍ତମାନ ଯେଉଁ ୧୧୦ ଦିନର ଦରବୃଦ୍ଧିକୁ ସ୍ଥଗିତ ରଖିଛନ୍ତି ତାହା ସର୍ବାଧିକ। ଏହାପୂର୍ବରୁ କରୋନା ମହାମାରୀ ବେଳେ ୨୦୨୦ ମାର୍ଚ୍ଚ ୧୭ରୁ ଜୁନ ୬ ତାରିଖ ପର୍ଯ୍ୟନ୍ତ ୮୨ ଦିନ ଧରି ପେଟ୍ରୋଲ ଏବଂ ଡିଜେଲ ଦରରେ ସଂଶୋଧନ କରାଯାଇ ନଥିଲା। ୨୦୧୮ ମେ’ରେ କର୍ଣ୍ଣାଟକ ନିର୍ବାଚନ ସମୟରେ ୧୯ ଦିନ ପାଇଁ ପେଟ୍ରୋଲ, ଡିଜେଲ ଦର ଅପରିବର୍ତ୍ତିତ ରଖାଯାଇଥିଲା। ତେବେ ସେହି ସମୟରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ପାଖାପାଖି ୫ ଡଲାର ବୃଦ୍ଧି ଘଟିଥିଲା। ୨୦୧୭ ଜାନୁଆରି ୧୬ରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ପେଟ୍ରୋଲ, ଡିଜେଲ ଦର ସଂଶୋଧନ କରାଯାଇ ନଥିଲା। ସେହିଭଳି ୨୦୧୭ ଡିସେମ୍ବରରେ ଗୁଜରାଟ ନିର୍ବାଚନ ସମୟରେ ୧୪ ଦିନ ପର୍ଯ୍ୟନ୍ତ ତେଲ ଦର ବଦଳି ନଥିଲା।
Follow Us