ନୂଆଦିଲ୍ଲୀ: ଆମେରିକା ଓ ୟୁରୋପ ଆଦି ଦେଶରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ସେଠାରେ ଯେଉଁମାନେ ପରିଷ୍କାର ପରିଚ୍ଛନ୍ନତା ନିୟମରେ ଅବହେଳା କରନ୍ତି ସେମାନଙ୍କୁ କଡ଼ା ଦଣ୍ଡ ଦିଆଯାଇଥାଏ।
ଆମେରିକାର ଟେକ୍ସାସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାଟି ହେଉଛି ଏପରି... ଟେକ୍ସାସରେ ରହୁଥିବା ଭାରତୀୟ ପରିବାର ନିଜ ନୂତନ ଘରର ପ୍ରତିଷ୍ଠା କରୁଥିଲେ। ପ୍ରତିଷ୍ଠା ସମୟରେ ଘରେ ହୋମ ମଧ୍ୟ ହୋଇଥିଲା। ହୋମ ସମୟରେ ଘର ତଥା ଘରର ଆଖପାଖରେ ଧୁଆଁ ଭରି ଯାଇଥିଲା। ଯାହାକୁ ଦେଖି ଉକ୍ତ ଭାରତୀୟ ପରିବାରଲୋକଙ୍କ ପଡ଼ୋଶୀମାନେ ଏହାକୁ ବିପଦ ଭାବି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଅଗ୍ନିଶମ କର୍ମଚାରୀମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଭାରତୀୟ ପରିବାର ସହିତ କଥାବାର୍ତ୍ତା ହୋଇ ପରିସ୍ଥିତିର ତଦନ୍ତ କରିଥିଲେ। ଏହି ତଦନ୍ତରେ ଉକ୍ତ ଭାରତୀୟ ପରିବାର ଦୋଷୀ ଅଛି ନା ନାହିଁ ସେ ନେଇ ଖବର ଲେଖାହେଲା ପର୍ଯ୍ୟନ୍ତ କୌଣସି ପ୍ରକାରର ସ୍ପଷ୍ଟ ସୂଚନା ମିଳି ପାରିନାହିଁ।
ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ କିଛି ଲୋକ ଉକ୍ତ ପରିବାର ଲୋକଙ୍କୁ ସମାଲୋଚନା କରି କହିଛନ୍ତି, ‘ ଆମେରିକାରେ ଘର କାଠ/ପ୍ଲାଏରେ ତିଆରି ହୋଇଥାଏ। ଏପରି ପରିସ୍ଥିତିରେ ହୋମ କରିବା ବିପଜ୍ଜନକ ହୋଇପାରେ। ବିଦେଶରେ ଏହା କରିବା ଭୁଲ। ମୁଁ ଏହାକୁ ଏକ ସାଂସ୍କୃତିକର ପ୍ରଥା ବୋଲି ମାନିବି ନାହିଁ।ଆମେ ଯେଉଁ ଦେଶରେ ବସବାସ କରିବା ସେ ଦେଶର ନିୟମ ପାଳନ କରିବା ଉଚିତ। ଉକ୍ତ ପରିବାରଲୋକଙ୍କୁ ହୋମ ପାଇଁ ଅଗ୍ନିଶମ ବିଭାଗ ଠାରୁ ଅନୁମତି ନେବା ଉଚିତ ଥିଲା।"
Follow Us