ଉଦୟପୁରରେ କର୍ଫ୍ୟୁ: ନୂପୁରଙ୍କୁ ସମର୍ଥନ କରିବାରୁ ହତ୍ୟା

Advertisment
ଉଦୟପୁରରେ କର୍ଫ୍ୟୁ: ନୂପୁରଙ୍କୁ ସମର୍ଥନ କରିବାରୁ ହତ୍ୟା

IndiaTV News

ଉଦୟପୁର: ରାଜସ୍ଥାନର ଉଦୟପୁରରେ ଜଣେ ଯୁବକ ନୂପୁର ଶର୍ମାଙ୍କୁ ସମର୍ଥନ କରି ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ତାଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ହେଉଛନ୍ତି ଜଣେ ଟେଲର ଏବଂ ତାଙ୍କ ନାଁ କହ୍ନେୟାଲାଲ୍‌। ‌ଟେଲର ଜଣଙ୍କ ନିଜ ଦୋକାନରେ ଥିବା ବେଳେ ଦୁଇ ଜଣ ଯୁବକ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଏହାର ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଅନ୍ୟ ଏକ ଭିଡିଓରେ ଉକ୍ତ ୨ ଆକ୍ରମଣକାରୀ ନିଜ ଦୋଷ ସ୍ବୀକାର କରିଛନ୍ତି। ସେମାନେ ହତ୍ୟା କରିଥିବା ସ୍ବୀକାର କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛନ୍ତି। ପୁଲିସ ଆକ୍ରମଣକାରୀଙ୍କୁ ଗିରଫ କରିସାରିଛି ବୋଲି ଉଦୟପୁର ଏସ୍‌ପି କହିଛନ୍ତି। ଏଭଳି ବର୍ବର କାଣ୍ଡ ପରେ ସହରରେ ଉତ୍ତେଜନା ପ୍ରକାଶ ପାଇଛି। ଉଦୟପୁରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ଏବଂ କର୍ଫ୍ୟୁ ଜାରି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶାନ୍ତି ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଲଜ୍ଜାଜନକ ଘଟଣା। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଉଦୟପୁରରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ଜୟପୁରର ୨ ଜଣ ଏଡିଜିପି ଏବଂ ଅନ୍ୟ ଜଣେ ଏସ୍‌ପିଙ୍କ ସମେତ ଅତିରିକ୍ତ ୬୦୦ ପୁଲିସ କର୍ମୀ ଉଦୟପୁର ଯାଇଛନ୍ତି। ସାରା ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି। ଉଦୟପୁର ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର କହିଛନ୍ତି। ଶାନ୍ତି ଏବଂ ସାମ୍ପ୍ରଦ‌ାୟିକ ସଦ୍‌ଭାବନା ବଜାୟ ରଖିବାପାଇଁ ସେ ଅନୁରୋଧ କରିଛନ୍ତି। ରାଜ୍ୟବ୍ୟାପି ସମସ୍ତ ଏସ୍‌ପି ଏବଂ ଆଇଜିମାନଙ୍କୁ ଯେକୌଣସି ଅପ୍ରୀତିକର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବିଜେପି ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛି। ବିଜେପି ନେତା ଗୁଲାବ ଚନ୍ଦ୍ର କାଟାରିଆ କହିଛନ୍ତି, ଆମେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛୁ। ଏଥିରେ ସଂଶ୍ଳିଷ୍ଟ ସମସ୍ତଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe