ସମୁଦ୍ର ଉଦ୍‌ଗାରୁଛି ସୁନା ! ବର୍ଷା ସତ୍ତ୍ବେ ସୁନା ଖୋଜିବାକୁ କାକିନାଡ଼ା ବେଳାଭୂମିରେ ନାହିଁ ନ ଥିବା ଜନଗହଳି

Advertisment
ସମୁଦ୍ର ଉଦ୍‌ଗାରୁଛି ସୁନା ! ବର୍ଷା ସତ୍ତ୍ବେ ସୁନା ଖୋଜିବାକୁ କାକିନାଡ଼ା ବେଳାଭୂମିରେ ନାହିଁ ନ ଥିବା ଜନଗହଳି

Image Courtesy of Hindustan Times

ହାଇଦ୍ରାବାଦ: ଗତ ଦୁଇ ଦିନ ହେବ ମହିଳା ଓ ପିଲାଙ୍କ ସମତେ ଶହ ଶହ ମତ୍ସ୍ୟଜୀବୀ ସୁନା ସଂଗ୍ରହ କରିବାକୁ ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା ଅନ୍ତର୍ଗତ କାକିନାଡ଼ା ବେଳାଭୂମିକୁ ଧାଇଁଛନ୍ତି।

ୟୁ କୋତାପଲ୍ଲୀ ବ୍ଲକ୍‌ ଅନ୍ତର୍ଗତ ଉପ୍ପଡ଼ା ଏବଂ ସୁରଡ଼ାପେଟା ଗାଁରୁ ଆସିଥିବା ଅଧିକାଂଶ ଲୋକ ପ୍ରବଳ ବର୍ଷା ଓ କୋହଲା ପାଗକୁ ଖାତର ନ କରି ସୁନାରେଣୁ ଓ ସୁନା ଟୁକୁରା ପାଇବା ଆଶାରେ ବେଳାଭୂମିର ବାଲିକୁ ଘଣ୍ଟାଚକଟା କରୁଛନ୍ତି। ସାମୁଦ୍ରିକ ବତାସ ‘ନିଭାର’ଜନିତ ଉତ୍ତାଳ ଢେଉରେ ସୁନା ସମୁଦ୍ର ତଟକୁ ଚାଲି ଆସିଥିବ ବୋଲି ସେମାନଙ୍କ ମନରେ ଧାରଣା ଜନ୍ମିଛି।

ୟୁ କୋତାପଲ୍ଲୀ ପୁଲିସ ସବ୍‌-ଇନ୍‌ସପେକ୍ଟର୍‌ ବି. ଲୋଭା ରାଜୁ କହନ୍ତି, ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ସକାଳେ ସମୁଦ୍ରକୂଳକୁ ଆସିଥିବା ଚାରିପାଞ୍ଚଜଣ ମତ୍ସ୍ୟଜୀବୀ ବାଲିରୁ କିଛି ସୁନା ଟୁକୁରା ପାଇଥିଲେ। ସେଗୁଡ଼ିକୁ ବିକ୍ରି କରି ସେମାନେ କିଛି ଟଙ୍କା ଉପାର୍ଜନ କରିଥିଲେ। ଏ ଖବର ବନାଗ୍ନି ଭଳି ଚରିଗଲା ଏବଂ ସୁନା ଟୁକୁରା ଓ ରେଣୁ ପାଇବା ଆଶାରେ ଗ୍ରାମବାସୀମାନେ ସମୁଦ୍ରକୂଳରେ ଗହଳି ଲଗାଇଲେ।

publive-image Image Courtesy of The Times of India

ଛତା ଧରି ଗ୍ରାମବାସୀମାନେ ଉପ୍ପଡ଼ା ବେଳଭୂମି ସାରା ଖୋଜାଖୋଜି କରିବା ସହ ମାଛଧରା ଜାଲ, ପାନିଆ ଏବଂ ‌ଲୁଗା ଆଦିରେ ବାଲି ଚଲାଇଥିଲେ। ମାତ୍ର ଅଳ୍ପ କେଇଜଣଙ୍କ ଭାଗ୍ୟରେ ସୁନା ଜୁଟିଥିଲା। ତଥାପି ଗ୍ରାମବାସୀମାନେ ଆଶା ଛାଡ଼ି ନାହାନ୍ତି।

ବେଳାଭୂମିକୁ କିପରି ସୁନା ରେଣୁ ଓ ସୁନା ଟୁକୁରା ଆସିଲା ବୋଲି ପଚରାଯିବାରୁ ରାଜୁ କହନ୍ତି, ଗତ ମାସରେ ହୋଇଥିବା ପ୍ରବଳ ବର୍ଷା କାରଣରୁ ଉପକୂଳରେ ଥିବା ‌ଅଳ୍ପ କେତୋଟି ଘର ଏବଂ ଦୁଇଟା ପ୍ରାଚୀନ ମନ୍ଦିର ଭାସି ଯାଇଥିଲା। ବୋଧହୁଏ ସେଥିରେ ଥିବା ସୁନା ଟୁକୁରା ମଧ୍ୟ ଭାସିଯାଇଥିବ। ଏହା ବ୍ୟତିରେକେ, ଆଖପାଖ ଅଞ୍ଚଳରେ ଥିବା ତୀର୍ଥସ୍ଥାନ ଆସୁଥିବା ଲୋକେ ମଧ୍ୟ ବୁଡ଼ ପକାଇବା ପରେ ସମୁଦ୍ର ମଧ୍ୟକୁ ସୁନା ଟୁକୁରା ପକାଉଥିବା ସାଧାରଣ କଥା।

ବଡ଼ ସୁନାଖଣ୍ଡ ମିଳୁଥିଲେ ରାଜସ୍ବ କର୍ତ୍ତୃପକ୍ଷମାନେ ବିହିତ ପଦକ୍ଷେପ ନେଇ ସାରନ୍ତେଣି। ପ୍ରକୃତରେ ସମୁଦ୍ର ସୁନା ଉଦ୍‌ଗାରୁ ନାହିଁ। ଏଇ ଟିକିନିଖି ସୁନା ସଂଗ୍ରହ କରି ଲୋକେ ମାତ୍ର ହଜାର ଦୁଇ ହଜାର ଟଙ୍କା ପାଉଥିବେ। ତଥାପି ପୁଲିସ ଜାଗ୍ରତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe