ନୂଆଦିଲ୍ଲୀ/ କୋଲକାତା: ସାମୁଦ୍ରିକ ମହାବାତ୍ୟା ‘ଅମ୍ଫାନ’ ପ୍ରଳୟର ତାଣ୍ଡବ ରଚିଛି ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ମହାନଗରୀରେ। ଅମ୍ଫାନର ମାଡ଼ରେ ସମଗ୍ର କୋଲକାତା ମହାନଗରୀ ଧରାଶାୟୀ ହେବା ସହ କୋଲକାତାର ଦମ୍ଦମ୍ ବିମାନ ବନ୍ଦର ମଧ୍ୟ ଏକ ରକମର ଭୁଶୁଡ଼ି ପଡ଼ିଛି।
Wionewsଘଣ୍ଟାପ୍ରତି ୧୨୦ କିଲୋମିଟରରୁ ଅଧିକ ବେଗରେ ପ୍ରବାହିତ ହୋଇଥିବା ଅମ୍ଫାନର ବାତ୍ୟା ପବନ ଦମଦମ ବିମାନ ବନ୍ଦରର କଣ୍ଟ୍ରୋଲ ଟାଓ୍ଵାରକୁ ଦୋହଲାଇ ରଖିଦେଇଥିବା ବେଳେ ବିମାନ ବନ୍ଦରର ଛାତ ସବୁକୁ ଉଡ଼ାଇ ନେଇଛି। ଖାଲି ଏତିକି ନୁହେଁ, ଅମ୍ଫାନ ସହ ଆସିଥିବା ବାଦଲ ପ୍ରବଳରୁ ଅତିପ୍ରବଳ ବର୍ଷା କରାଇ ଦମଦମ ବିମାନ ବନ୍ଦରକୁ ଜଳର୍ଣ୍ଣବ କରିପାକାଇବା ସହ ବିମାନ ବନ୍ଦରର ହାଙ୍ଗର ଠାରୁ ଆରମ୍ଭ କରି ବିମାନ ଠାରୁ ରନ୍ୱେ ପର୍ଯ୍ୟନ୍ତ ସବୁକିଛିକୁ ବର୍ଷାଜଳ ମଧ୍ୟରେ ବୁଡ଼ାଇ ରଖିଦେଇଛି। ଦୂରରୁ ଦେଖିଲେ ଲାଗୁଛି ବିମାନଗୁଡ଼ିକ ସତେ ଯେମିତି ପାଣିରେ ପହଁରୁଛନ୍ତି। ହାଙ୍ଗରରେ ଥିବା ଅନେକ ବିମାନ ମଧ୍ୟ ପବନ ମାଡ଼ ସମ୍ଭାଳି ନ ପାରି ଭାଙ୍ଗିରୁଜି ଯାଇଛନ୍ତି।
ଲକ୍ଡାଉନ୍ ପରେ ଆସନ୍ତା ୨୫ ତାରିଖ ଠାରୁ ଦେଶରେ ବେସାମରିକ ବିମାନ ଚଳାଚଳ ସେବା ଆରମ୍ଭ କରିବା ପାଇଁ ଗତକାଲି କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ସାଂପ୍ରତିକ ପରିସ୍ଥିତିରେ କୋଲକାତାରୁ ବିମାନ ସେବା ଆରମ୍ଭ ହୋଇପାରିବ କି ନାହିଁ, ସେଥିନେଇ ସନ୍ଦେହ ଓ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅମ୍ଫାନ ଘଟାଇଥିବା କ୍ଷୟକ୍ଷତିର ପରିମାଣ ଏତେ ବ୍ୟାପକ ଓ ବିସ୍ତୃତ ଯେ ଏହାର ବର୍ଣ୍ଣନା ଦେବା ପାଇଁ ପାଖରେ ଭାଷା ଅଛି ନା ଲିପିବଦ୍ଧ କରିବାକୁ ଶବ୍ଦ ଅଛି। ସେଥିପାଇଁ ବୋଧହୁଏ ଅମ୍ଫାନ ଜନିତ କ୍ଷୟକ୍ଷତିକୁ ବର୍ଣ୍ଣନା କରିବାକୁ ଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାତ୍ର ଦୁଇଟି ଶବ୍ଦ ଉଚ୍ଚାରଣ କରିଛନ୍ତି, ‘ସର୍ବୋନାଶ ହୋଏଗାଲୋ’!
Indiatv(ଭିଡିଓ ସୌଜନ୍ୟ: ଏନ୍ଡିଟିଭି)
Follow Us