Image Courtesy of Business Upturn
ନୂଆଦିଲ୍ଲୀ: ବଙ୍ଗୋପସାଗର ଅନ୍ତର୍ଗତ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଆଖପାଖ ଅଞ୍ଚଳ ଉପରେ ଆଜି ଘୂର୍ଣ୍ଣିବଳୟ ସଙ୍ଘଠିତ ହେବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଭାରତୀୟ ପାଣିପାଗ ବିଭାଗର ‘ରିଜିଓନାଲ୍ ସ୍ପେସାଲାଇଜ୍ଡ୍ ମେଟେରୋଲୋଜିକାଲ୍ ସେଣ୍ଟର୍-ଟ୍ରପିକାଲ୍ ସାଇକ୍ଲୋନ୍ସ୍’ର ବିଶ୍ଳେଷଣ ଅନୁସାରେ, ଉକ୍ତ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଆଖପାଖ ଅଞ୍ଚଳ ଉପରେ ମେ ୬ ତାରିଖ ଆଡ଼କୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ତାହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।
ଏହା ବାତ୍ୟା ପାଲଟିବ କି, ନାହିଁ ଏବଂ ଯଦି ବାତ୍ୟା ପାଲଟେ ତାହାର ତୀବ୍ରତା କେତେ ରହିବ, ସେସବୁ କଥା ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ପରେ ଯାଇ ସ୍ପଷ୍ଟ ହେବ।
ଘୂର୍ଣ୍ଣିବଳୟ ଯୋଗୁଁ, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ଉପରେ ଅଧିକରୁ ଅଧିକ ଜଳୀୟ ବାଷ୍ପ ବହନକାରୀ ମେଘମାଳା ଭାସିବୁଲିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।
Follow Us