ମିଥୁନ ପାଇବେ ଦାଦା ସାହେବ ଫାଲ୍‌କେ

Advertisment

୭୪ ବର୍ଷୀୟ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍‌‌କେ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ କୁମାର ବୈଷ୍ଣବ ଆଜି ଏହି ଘୋଷଣା କରିଛନ୍ତି।

୭୪ ବର୍ଷୀୟ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍‌‌କେ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ କୁମାର ବୈଷ୍ଣବ ଆଜି ଏହି ଘୋଷଣା କରିଛନ୍ତି।

mithun dada

NDTV

ନୂଆଦିଲ୍ଲୀ: ୭୪ ବର୍ଷୀୟ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲ୍‌‌କେ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ କୁମାର ବୈଷ୍ଣବ ଆଜି ଏହି ଘୋଷଣା କରିଛନ୍ତି। ମିଥୁନଙ୍କ ଚଳଚ୍ଚିତ୍ର ଯାତ୍ରା ଅନେକ ପିଢ଼ିକୁ ଅନୁପ୍ରାଣିତ କରିଛି। ତେଣୁ ଏହି କିଂବଦନ୍ତି ଅଭିନେତାଙ୍କୁ ଉକ୍ତ ସମ୍ମାନ ଦେବାଲାଗି ଦାଦା ସାହେବ ଫାଲ୍‌କେ ଆୱାର୍ଡ ବିଚାରକମଣ୍ଡଳୀ ନିଷ୍ପତ୍ତି ନେଇଛି। ଭାରତୀୟ ସିନେମାକୁ ତାଙ୍କର ବଳିଷ୍ଠ ଅବଦାନ ନିମିତ୍ତ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ଆସନ୍ତା ଅକ୍ଟୋବର ୮ ତାରିଖରେ ୭୦ତମ ଜାତୀୟ ସିନେମା ପୁରସ୍କାର ପ୍ରଦାନ ଉତ୍ସବରେ ମିଥୁନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି।

ମୃଣାଳ ସେନ୍‌ଙ୍କ ‘ମୃଗୟା’ ଚଳଚ୍ଚିତ୍ରରୁ ମିଥୁନ ତାଙ୍କ ସିନେମା ଯାତ୍ରା ୧୯୭୬ ମସିହାରେ ଆରମ୍ଭ କରିଥିଲେ। ଏହି ସିନେମା ପାଇଁ 
ସେ ଶ୍ରେଷ୍ଠ ଅଭିନେତା ଭାବେ ପ୍ରଥମ ଥର ଜାତୀୟ ସିନେମା ପୁରସ୍କାର ପାଇଥିଲେ। ୩ଟି ଜାତୀୟ ସିନେମା ପୁରସ୍କାର ସହିତ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ ମଧ୍ୟ ସେ ପାଇଛନ୍ତି। ୧୯୮୨ ମସିହାରେ ଡିସ୍‌କୋ ଡ୍ୟାନ୍ସର ପାଇଁ ସେ ବିଶେଷ ଲୋକପ୍ରିୟତା ପାଇଥିଲେ। ମିଥୁନ ଏହି ପୁରସ୍କାର ଗ୍ରହଣ କରି ୫୪ତମ ଦାଦା ସାହେବ ଫାଲ୍‌କେ ପୁରସ୍କାର ବିଜେତା ହେବେ। ଭାରତୀୟ ସିନେମା ଜଗତର ପିତା ଭାବେ ପରିଚିତ ଦାଦା ସାହେବଙ୍କ ନାମରେ ଏହି ପୁରସ୍କାର ୧୯୬୯ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ୧୯୧୩ ମସିହାରେ ଦାଦା ସାହେବ ଦେଶର ପ୍ରଥମ ଫିଚର ଫିଲ୍ମ ରାଜା ହରିଶ୍ଚନ୍ଦ୍ରର ନିର୍ଦ୍ଦେଶନା ଦେଇଥିଲେ। ପ୍ରତିବର୍ଷ ଜାତୀୟ ସିନେମା ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପୁରସ୍କାର ବାବଦରେ ପଦକ, ସାଲ୍‌ ଏବଂ ୧ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଉଛି। ପ୍ରଥମ ଦାଦାସାହେବ ପୁରସ୍କାର ଦେବିକା ରାଣୀଙ୍କୁ ପ୍ରଦାନ କରାଯାଇଥିଲା। ତୃଣମୂଳ କଂଗ୍ରେସର ପୂର୍ବତନ ରାଜ୍ୟସଭା ସାଂସଦ ମିଥୁନ ୨୦୨୧ ମସିହାରେ ବିଜେପିରେ ଯୋଗ‌ ଦେଇଥିଲେ।

ହିନ୍ଦୀ ସମେତ ବଙ୍ଗଳା, ଭୋଜପୁରୀ, ଓଡ଼ିଆ, ତେ‌ଲୁଗୁ ଓ ତାମିଲ ଆଦି ଭାଷାରେ ୩୫୦ରୁ ଅଧିକ ସିନେମାରେ ସେ ଅଭିନୟ କରିଛନ୍ତି। ବିଭିନ୍ନ ଚରିତ୍ରରେ ତାଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ବିମୁଗ୍ଧ କରିଥାଏ। ଡିସ୍କୋ ଡ୍ୟାନ୍ସର, ଅଗ୍ନିପଥ, ମୁ‌ଝେ ଇନସାଫ ଚାହିୟେ, ହମ୍‌ ସେ ହୈ ଜମାନା, ପସନ୍ଦ ଅପ୍‌ନି ଅପ୍‌ନି, ଘର୍‌ ଏକ୍‌ ମନ୍ଦିର, କସମ୍‌ ପୈଦା କର୍‌ନେ ୱାଲେ କି ଆଦି ଚର୍ଚ୍ଚିତ ସିନେମାରେ ସେ ଅଭିନୟ କରିଛନ୍ତି। ନିକଟରେ ‘ଓ ମାଇଁ ଗଡ୍‌’ ସିନେମାରେ ତାଙ୍କୁ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପରିପ୍ରେକ୍ଷୀରେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ଭାରତୀୟ ସିନେମା ପ୍ରତି ଅପ୍ରତିଦ୍ବନ୍ଦ୍ବୀ ଅବଦାନ ପାଇଁ ମିଥୁନଙ୍କୁ ସମ୍ମାନଜନକ ଦାଦାସାହେବ ଫାଲ୍‌କେ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରାଯାଇଥିବା ମୋତେ ଆନନ୍ଦିତ କରିଛି। ସେ ଜଣେ ସାଂସ୍କୃତିକ କିଂବଦନ୍ତି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୁରସ୍କାର ଘୋଷଣା ହେବା ପରେ ମିଥୁନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ମୋ ନିକଟରେ ଶବ୍ଦ ନାହିଁ। ଏହା ଏତେ ବଡ଼ ଜିନିଷ ଯେ ନା ମୁଁ ହସିପାରୁଛି ନା କାନ୍ଦି ପାରୁଛି। ଏହା ମୋତେ ମିଳିବ ବୋଲି ମୁଁ ଭାବି ନଥିଲି। ମୁଁ ଅତ୍ୟନ୍ତ ଆନନ୍ଦିତ। ଉକ୍ତ ପୁରସ୍କାର ମୁଁ ମୋ ପରିବାର ଏବଂ ସାରା ବିଶ୍ବରେ ଥିବା ପ୍ରଶଂସକମାନଙ୍କୁ ଉତ୍ସର୍ଗ କରୁଛି ବୋଲି ମିଥୁନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe