ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବେ। ମୋଦୀଙ୍କ ନେତୃତ୍ବ ଉପରେ ଲୋକଙ୍କର ଦୃଢ଼ ବିଶ୍ବାସ ରହିଛି। ଉତ୍ତମ ଭବିଷ୍ୟତ ପାଇଁ ଲୋକେ ପୁଣିଥରେ ମୋଦୀଙ୍କୁ କ୍ଷମତାକୁ ଆଣିବେ ବୋଲି ଏକ ଅନଲାଇନ୍ ସର୍ଭେରୁ ଜଣାପଡ଼ିଛି। ନ୍ୟୁଜ୍ ପୋର୍ଟାଲ ‘ଡେଲି ହଣ୍ଟ୍’ ଏବଂ ନେଲସନ ଇଣ୍ଡିଆ ଦ୍ବାରା ହୋଇଥିବା ମିଳିତ ସର୍ଭେରେ ପ୍ରାୟ ୫୪ ଲକ୍ଷ ଲୋକ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬୨ ପ୍ରତିଶତରୁ ଊର୍ଦ୍ଧ୍ବ ଅଂଶଗ୍ରହଣକାରୀ ମୋଦୀଙ୍କ ଉପରେ ସଂପୂର୍ଣ୍ଣ ଭରସା ଥିବା ପ୍ରକାଶ କରିଛନ୍ତି। ଗତ ୪ ବର୍ଷ ମଧ୍ୟରେ ମୋଦୀଙ୍କ ନେତୃତ୍ବରେ ସେମାନେ ବେଶ୍ ସନ୍ତୁଷ୍ଟ ଥିବା କହିଛନ୍ତି। ସେହିପରି ୫୦ ପ୍ରତିଶତ ଲୋକ ବିଶ୍ବାସ କରନ୍ତି ଯେ, ମୋଦୀ କ୍ଷମତାକୁ ଆସିଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବ। ଆଗକୁ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଥିବାବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ଅଧିକାଂଶ ଲୋକଙ୍କ ମୋଦୀଙ୍କ ଉପରେ ଭରସା ଥିବା ସର୍ଭେରୁ ଜଣାପଡ଼ିଛି। ମୋଦୀ ହିଁ ଦେଶକୁ ସଠିକ୍ ନେତୃତ୍ବରେ ଆଗକୁ ନେଇପାରିବେ ବୋଲି ୬୨ ପ୍ରତିଶତ ବିଶ୍ବାସ କରୁଥିବାବେଳେ ଏହି କ୍ଷେତ୍ରରେ ରାହୁଲ ଗାନ୍ଧୀଙ୍କୁ ୧୭ ପ୍ରତିଶତ, ଅରବିନ୍ଦ କେଜ୍ରିୱାଲ୍ଙ୍କୁ ୮ ପ୍ରତିଶତ, ଅଖିଳେଶ ଯାଦବଙ୍କୁ ୩ ପ୍ରତିଶତ ଏବଂ ମାୟାବତୀଙ୍କୁ ୨ ପ୍ରତିଶତ ଲୋକ ସମର୍ଥନ କରିଥିବା ସର୍ଭେ ରିପୋର୍ଟରେ କୁହାଯାଇଛି। କଂଗ୍ରେସ ଏହି ସର୍ଭେକୁ ନକଲି ବୋଲି କହିଛି। ମୋଦୀ ସରକାର ଲୋକଙ୍କ ବିଶ୍ବାସ ହରାଇ ଏବେ ନକଲି ସର୍ଭେ ସହାୟତାରେ ପୁନର୍ବାର କ୍ଷମତାକୁ ଆସିବାକୁ ଚେଷ୍ଟା ଚଳାଇଛି ବୋଲି କଂଗ୍ରେସ କହିଛି।
ଡେଲି ହଣ୍ଟ-ନେଲସନ ଇଣ୍ଡିଆର ମିଳିତ ସର୍ଭେ, ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ
Advertisment
Follow Us