ଦୈନିକ ସଂକ୍ରମଣ ୨.୬ ଲକ୍ଷରୁ ତଳେ, ମୃତ୍ୟୁ ତଥାପି ୪,୦୦୦ ଉପରେ

୫ ରାଜ୍ୟ‌ରେ ୮୩% ମାମଲା: ଆରୋଗ୍ୟ ହାର ୯୭.୪୦%

New Indian Express

ନୂଆଦିଲ୍ଲୀ : ଦେଶରେ ଜାରି ରହିଥିବା ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣ ରୂପରେଖ ନେଇ ଦ୍ବନ୍ଦ୍ବ ଜାରି ଜାରି ରହିଛି। ସଂକ୍ରମଣର ଭୟାବହତା ବେଳେ ବେଳେ ଶୀର୍ଷ ଛୁଇଁଛି ବୋଲି ମନେ ହେଉଥିବା ବେଳେ ପୁଣି ସବୁ ଓଲଟା ପ୍ରମାଣିତ ହେଉଛି। ଯଦିଓ ନୂତନ ସଂକ୍ରମିତଙ୍କ ତୁଳନାରେ ଦୈନିକ ଆରୋଗ୍ୟଲାଭ କରୁଥିବା ପୀଡ଼ିତଙ୍କ ସଂଖ୍ୟା ଅଧିକା ରହିବା ସହ ଦିନକୁ ଦିନ ସକ୍ରିୟ ମାମଲା କମି ଆସୁଛି, ତେବେ ମୃତକଙ୍କ ସଂଖ୍ୟାରେ ସେପରି ଉଲ୍ଲେଖନୀୟ ହ୍ରାସ ନହେବା ଚିନ୍ତାର ବିଷୟ ହୋଇଛି।

ଦେଶରେ ଦୈନିକ କୋଭିଡ୍‌ ମୃତକଙ୍କ ସଂଖ୍ୟା ଗତ ସପ୍ତାହରେ ୪ ହଜାର ଉପରେ ରହିବା ସହ ମଙ୍ଗଳବାର ସମସ୍ତ ରେକର୍ଡ ଭାଙ୍ଗି ସାଢ଼େ ୪ ହାଜାର ଛୁଇଁବା ପରେ ବୁଧବାର ତାହା ୪ ହଜାର ଢେର୍‌ ତଳକୁ ଖସି ଆସିଥିଲା। ତେବେ ଗୁରୁବାର ପୁଣି ୪ ହଜାରରୁ ଅଧିକ ମୃତ୍ୟୁ ହେବା ଘଟଣା ପରିସ୍ଥିତିକୁ ଗମ୍ଭୀର କରିଦେଇଛି। ଶୁକ୍ରବାର ସକାଳ ୮ଟା ସୁଦ୍ଧା ଦେଶରେ ବିଗତ ୨୪ ଘଣ୍ଟା ଭିତରେ ୨,୫୯,୫୫୧ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପୂର୍ବ ଦିନ ତୁଳନାରେ ଏହା ପ୍ରାୟ ସାଢ଼େ ୧୬ ହଜାର କମ୍‌ ରହିଛି। ଏଥି ସହିତ ଦେଶରେ ଅଦ୍ୟାବଧି ମୋଟ ୨,୬୦,୩୧,୯୯୧ ଜଣ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ଜଣାଯାଇଛି।

ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୪,୨୦୯ ଜଣଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ୨,୯୧,୩୩୧ ଜଣ ଦେଶବାସୀ ଏହି ମହାମାରୀରେ ଆଖି ବୁଜିଥିବା ଜଣାଯାଇଛି। ଅପରପକ୍ଷେ, ଏହି ୨୪ ଘଣ୍ଟା ଭିତରେ ଦେଶରେ ୩,୬୧,୫୦୨ ଜଣ ଆରୋଗ୍ୟଲାଭ କରିଥିବା ବେଳେ ଅଦ୍ୟାବଧି ମୋଟ ୨,୨୭,୧୨,୭୩୫ ଜଣ ସୁସ୍ଥ ହୋଇଛନ୍ତି। ତଥାପି ଦେଶରେ ୩୦,୨୭,୯୨୫ଟି ସକ୍ରିୟ ମାମଲା ରହିଛି ଯାହା ମୋଟ ସଂକ୍ରମିତର ୧୧.୬୩ ପ୍ରତିଶତ ବୋଲି ଜଣାଯାଇଛି। ସେହିପରି ଗୁରୁବାର ଦେଶରେ ମୋଟ ୨୦,୬୧,୬୮୩ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ୩୨,୪୪,୧୭,୮୭୦ ଜଣଙ୍କର ନମୁନା ପରୀକ୍ଷଣ ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe