Lord Venkateswara Temple: ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା: ୧୦ ମୃତ, ୩୫ ଆହତ, ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା କାଶୀବୁଗାସ୍ଥିତ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଆଜି କାର୍ତ୍ତିକ ଏକାଦଶୀରେ ଅସମ୍ଭାଳ ଭିଡ଼ କାରଣରୁ ଦଳାଚକଟା ହୋଇ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ଏବଂ ୩୫ ଜଣ ଆହତ ହୋଇଛନ୍ତି।

fshhfshfsxvbbvx

ପାରଳାଖେମୁଣ୍ଡି: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା କାଶୀବୁଗାସ୍ଥିତ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଆଜି କାର୍ତ୍ତିକ ଏକାଦଶୀରେ ଅସମ୍ଭାଳ ଭିଡ଼ କାରଣରୁ ଦଳାଚକଟା ହୋଇ ୧୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି ଏବଂ ୩୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଓଡ଼ିଶାର ଜଣେ ଯୁବତୀ ଅଛନ୍ତି। ଗୁରୁତର ଆହତଙ୍କୁ କାଶୀବୁଗା, ପଲାସା ଓ ଶ୍ରୀକାକୁଲମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିଛି ଶ୍ରଦ୍ଧାଳୁଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ଆଜି ଏକାଦଶୀ ପାଇଁ କାଶୀବୁଗା ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଉପରମହଲାରେ ଥିବା ମନ୍ଦିରକୁ ଯିବା ଲାଗି ସମସ୍ତେ ଧାଡ଼ିରେ ଛିଡ଼ା ହୋଇଥିଲେ। ସକାଳ ୮ଟାରୁ ଭିଡ଼ ଆରମ୍ଭ ହୋଇଥିବା‌ ବେଳେ ସାଢ଼େ ୧୧ଟା ବେଳକୁ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ପ୍ରବେଶ ଓ ପ୍ରସ୍ଥାନ ପଥ ଗୋଟିଏ ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ଓ ବଚସା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ଭିଡ଼ରୁ ମୁକୁଳିବାକୁ ରେଲିଂ ଉପାଡ଼ିବାକୁ କେତେକ ଚେଷ୍ଟା କରିଥିଲେ। ତେବେ ରେଲିଂ ଭୁଶୁଡ଼ି ପଡ଼ିବାରୁ କ୍ଷଣିକ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାହାଚ ଉପରୁ ତଳକୁ କିଛି ମହିଳା ଓ ପୁରୁଷ ପଡ଼ିଯାଇଥିବା ବେଳେ ଜୀବନ ବଞ୍ଚାଇବାକୁ ସମସ୍ତେ ଦୌଡ଼ିବାକୁ ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ ୯ ଜଣ ପ୍ରାଣ ହରାଇଥିବା ବେଳେ ପରେ ଅନ୍ୟଜଣଙ୍କର ମୃତ୍ୟୁ ଘଟିଥିଲା। 

ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଗୁଡ଼ିପଦର ଗ୍ରାମର ଆର.ଦିଲେଶଙ୍କ ଝିଅ ଆର୍‌.ରୂପା (୨୧) ରହିଛନ୍ତି। ସେହିପରି ଅନ୍ୟ ମୃତକମାନେ ହେଲେ, ଆନ୍ଧ୍ରପ୍ରଦେଶ ଟେକାଲିର ଇଦୁରୀ ଚିନ୍ନାମି (୫୦), ଆର୍‌.ବିଜୟ (୪୮), ବ୍ରଜପକଟୁରୁର ଏମ୍‌.ନିଲାମ୍ମା (୬୦), ମଣ୍ଡସାର ଡି.ରାଜେଶ୍ବରୀ (୬୦) ଓ ବି.ବୃନ୍ଦାବତୀ, ନନ୍ଦିଗାଁର ସି. ଯଶୋଦାମ୍ମା (୫୬), ସୋମପେଟାର ଏସ୍‌.ନିଖିଲ (୧୩), ପଲାସାର ଡି.ଆମୁଦମ୍ମା।  ଆହତମାନଙ୍କୁ ସ୍ଥାନୀୟ ପୁଲିସ ଓ ଯୁବକମାନେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ମନ୍ଦିର ଭିତରେ ମହିଳାମାନେ ଆତ୍ମୀୟଙ୍କ ଶବ ନିକଟରେ ଛାତି ପିଟି କାନ୍ଦୁଥିବା ଦୃଶ୍ୟ ହୃଦୟ ବିଦାରକ ଥିଲା। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାକୁ ଅତ୍ୟନ୍ତ ପୀଡ଼ାଦାୟକ ଓ ଦୁଃଖଦ ବୋଲି ବର୍ଣ୍ଣନା କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଘଟଣ ପାଇଁ ଆୟୋଜକମାନଙ୍କ ମଧ୍ୟରେ ସମନ୍ୱୟର ଅଭାବକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ‘ଯଦି ଆୟୋଜକମାନେ ପୂର୍ବରୁ ସୂଚନା ଦେଇଥାନ୍ତେ, ଏହାକୁ ରୋକାଯାଇ ପାରିଥାନ୍ତା।’ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ଆହତମାନଙ୍କ ପାଇଁ ଉଚ୍ଚମାନର ଚିକିତ୍ସା ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।    

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳାଚକଟା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ‘ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍‌ ପାଣ୍ଠି’ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ହରିମୁକୁନ୍ଦ ପଣ୍ଡା ନାମକ ଜଣେ ବ୍ୟକ୍ତି ୨୦ କୋଟି ଟଙ୍କା ଖର୍ଚ୍ଚ କରି ୧୨ ଏକର ଜାଗାରେ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି। ଏହି ମନ୍ଦିରଟି ଗତ ମେ’ ମାସରେ ଉଦ୍‌ଘାଟିତ ହୋଇଥିଲାବେଳେ ଏବେ ବି ନିର୍ମାଣାଧୀନ ରହିଛି। ଏହି ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ନଥିବା ଜଣାପଡ଼ିଛି। ଏହାସହ ଭିଡ଼ ନିୟନ୍ତ୍ରଣ କରିବା ଲାଗି ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୁଲିସ ଓ ପ୍ରଶାସନକୁ ଅବଗତ କରାଯାଇ ନଥିଲା ବୋଲି ଅଭିଯୋଗ ହୋଇଛି। ଅବ୍ୟବସ୍ଥା ଯୋଗୁଁ ଏତେବଡ଼ ଅଘଟଣ ଘଟିଲା ବୋଲି ଅଞ୍ଚଳବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe