Image Courtesy of India Today
ମୁମ୍ବାଇ: ଜବରଦଖଲ କରାଯାଇଥିବା ଜମିରେ ନିର୍ମାଣ କରାଯାଉଛି ବୋଲି ‘ମହାରାଷ୍ଟ୍ର ନବନିର୍ମାଣ ସେନା’ର ମୁଖ୍ୟ ଦାବି କରିବାରୁ ଆଜି ମୁମ୍ବାଇର ମାହିମ୍ ଅଞ୍ଚଳର ଗୋଟାଏ ଦରଘାକୁ ‘ବୃହନମୁମ୍ବାଇ ମହାନଗର ନିଗମ’ ଭାଙ୍ଗି ପକାଇଛି।
ଆଜି ସକାଳେ ବ୍ୟାପକ ପୁଲିସ ଉପସ୍ଥିତିରେ ଗୋଟାଏ ବୁଲ୍ଡୋଜର୍ ଲଗାଇ ମାହିମ୍ ଉପସାଗର ବା ‘କ୍ରିକ୍’ରେ ନିର୍ମାଣାଧୀନ ଉକ୍ତ ଦରଘାଟିକୁ ଭାଙ୍ଗି ଦିଆଯାଇଛି। ଏହାଛଡ଼ା, ଦରଘାର ଭଗ୍ନାଂଶ ସବୁକୁ ଟ୍ରକ୍ ଯୋଗେ ସେଠାରୁ ଉଠାଇ ନିଆଯାଇଛି।
ସଂଗୃହୀତ ସୂଚନା ଅନୁସାରେ, ମାହିମ ଉପକୂଳରେ ଟାପୁ ସଦୃଶ ଦିଶୁଥିବା ଏକ ସ୍ଥାନରେ ଜଣେ ଅଜ୍ଞାତ ସିଦ୍ଧପୁରୁଷଙ୍କ ‘ମଜାର’ (ସମାଧି) ନିର୍ମାଣ ଚାଲିଥିଲା। ଘଟଣାସ୍ଥଳରେ ‘ବିଏମ୍ସି’ ଓ ପୁଲିସ ପହଞ୍ଚି ଚାଲିଥିବା ନିର୍ମାଣ କାର୍ଯ୍ୟ ଦେଖିବା ପରେ ତାହାକୁ ବୁଲ୍ଡୋଜର୍ ଲଗାଇ ଭାଙ୍ଗି ପକାଇଥିଲେ।
Image Courtesy of Zee Newsବୁଧବାର ଦିନ ମରାଠୀ ନବବର୍ଷ ‘ଗୁଡ଼ି ପଡ୍ୱା’ ଉଦ୍ବୋଧନ ଦେବା ବେଳେ ଠାକ୍ରେ ଗୋଟାଏ ଭିଡିଓ କ୍ଲିପ୍ ପ୍ରଦର୍ଶନ କରାଇ କହିଥିଲେ ଯେ, ମୁମ୍ବାଇର ମାହିମ ଉପକୂଳରେ ବେଆଇନ ଭାବେ ଦରଘା ନିର୍ମିତ ହୋଇଛି।
ସେ କହିଥିଲେ, ଏ ଦରଘା କାହାର? ଏଇଟା କ’ଣ ଗୋଟାଏ ମାଛଙ୍କର? ଦୁଇ ବର୍ଷ ପୂର୍ବେ ତ ତାହା ସେଠାରେ ନ ଥିଲା। ତୁରନ୍ତ ବେଆଇନ ନିର୍ମାଣ ଭଙ୍ଗା ନ ଗଲେ ସେହି ସ୍ଥାନରେ ଆମେ ଗୋଟାଏ ପ୍ରକାଣ୍ଡ ଗଣପତି ମନ୍ଦିର ନିର୍ମାଣ କରିବୁ।
Follow Us