ଓ୍ଵାସିଂଟନ: ୮କୋଟି ୭୦ ଲକ୍ଷ ଲୋକଙ୍କ ଫେସ୍ବୁକ୍ରୁ ତଥ୍ୟ ଲିକ୍ ହୋଇଥିବା ବେଳେ ତାହା ମଧ୍ୟରେ ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ତଥ୍ୟ ମଧ୍ୟ ରହିଥିବା ସେ ନିଜେ ଆଜି ଆମେରିକା ସଂସଦରେ କହିଛନ୍ତି। ଫେସ୍ବୁକ ତଥ୍ୟ ଚୋରି ଘଟଣାରେ ଆମେରିକା ସଂସଦର ବାଣିଜ୍ୟ ଓ ଆଇନ୍ ବିଭାଗରେ ଆଜି ଦ୍ୱିତୀୟ ଦିନ ପାଇଁ ଜୁକରବର୍ଗ ଉପସ୍ଥିତ ରହିଥିଲେ। ତେବେ ଫେସ୍ବୁକ୍ରୁ କିଭଳି ଭାବେ ତଥ୍ୟ ଚୋରି ହେଲା ଓ ସେଥିରେ ଫେସ୍ବୁକ୍ର ଭୂମିକା କ’ଣ ରହିଛି ବୋଲି ଆମେରିକୀୟ ସାଂସଦ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଜୁକରବର୍ଗ କହିଛନ୍ତି ଯେ, ତଥ୍ୟ ଚୋରି ମାମଲାରେ ତାଙ୍କ ନିଜର ତଥ୍ୟ ମଧ୍ୟ ବାଦ୍ ପଡ଼ିନାହିଁ। ଫେସ୍ବୁକରେ ନିଜ ତଥ୍ୟ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଥିବା ସତ୍ତ୍ୱେ ଅନେକ ବ୍ୟବହାରକାରୀ ସବୁବେଳେ ନିଜ ତଥ୍ୟକୁ ସେୟାର କରିବା ପୂର୍ବରୁ ନିର୍ଦ୍ଧାରିତ ସୁରକ୍ଷା ନିୟମ ଓ ବ୍ୟବସ୍ଥା ଗୁଡ଼ିକ ପ୍ରତି ଧ୍ୟାନ ଦେଇ ନଥାନ୍ତି। ସ୍ୱତନ୍ତ୍ର ଆପ୍ ବିକାଶ କରି ତଥ୍ୟ ଟାଣିନେବା ସଂକ୍ରାନ୍ତ ଯେଉଁ ମାମଲା ସାମ୍ନାକୁ ଆସିଛି,ସେ ସମ୍ପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ଏବଂ ବିବାଦୀୟ ଆପ୍ ଗୁଡ଼ିକୁ ଫେସ୍ବୁକ୍ ନିଷିଦ୍ଧ କରିଛି ବୋଲି ଜୁକରବର୍ଗ ଆମେରିକା ସଂସଦରେ କହିଛନ୍ତି। ପୂର୍ବରୁ ବ୍ରିଟିସ୍ ସଂସଦରେ ଫେସ୍ବୁକରୁ ଲୋକଙ୍କ ତଥ୍ୟ ନେଇ ବେଆଇନ୍ ଭାବେ ବ୍ୟବହାର କରିଥିବା କମ୍ପାନି କେମ୍ବ୍ରିଜ ଆନାଲିଟିକାର ପୂର୍ବତନ କର୍ମଚାରୀ ତଥ୍ୟଚୋରି ସମ୍ପର୍କରେ ବିସ୍ତତ ବିବରଣୀ ଦେଇଥିଲେ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏହି ତଥ୍ୟର ଦୁରୂପଯୋଗକୁ ସେ ସ୍ୱୀକାର କରିଥିବାରୁ ଜୁକରବର୍ଗଙ୍କୁ ଆମେରିକା ସଂସଦରେ ଜେରା କରାଯାଇଛି।
ଫେସ୍ବୁକ ସିଇଓ ମାନିଲେ: ତଥ୍ୟ ଲିକ୍ ହୋଇଛି
Advertisment
Follow Us