Image Courtesy of NDTV
ନୂଆଦିଲ୍ଲୀ: ମାନହାନି ମାମଲାରେ ଦୁଇବର୍ଷ ଜେଲ୍ ଦଣ୍ଡାଦେଶ ପାଇଥିବା ରାହୁଲ୍ ଗାନ୍ଧୀ ଆଜି ପୂର୍ବାହ୍ନରେ ସ୍ବଳ୍ପ ସମୟ ପାଇଁ ପାର୍ଲାମେଣ୍ଟ୍କୁ ଆସିଥିଲେ। ପ୍ରତିବାଦ ପ୍ରଦର୍ଶନ ଯୋଗୁଁ ମଧ୍ୟାହ୍ନ ପର୍ଯ୍ୟନ୍ତ ଲୋକସଭା ମୁଲତବୀ ହେବାରୁ ସେ ପାର୍ଲାମେଣ୍ଟ୍ରୁ ଚାଲିଯାଇଛନ୍ତି।
ପାର୍ଲାମେଣ୍ଟ୍କୁ ଆସି ସେଠାରେ ଥିବା ‘କଂଗ୍ରେସ ସଂସଦୀୟ କାର୍ଯ୍ୟାଳୟ’ ବୈଠକରେ ମଧ୍ୟ ରାହୁଲ୍ ଗାନ୍ଧୀ ଯୋଗ ଦେଇଥିଲେ।
ଆଜି ସନ୍ଧ୍ୟାରେ ମଧ୍ୟ କଂଗ୍ରେସ ପାର୍ଟି ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ତା’ର ‘ଷ୍ଟିଅରିଙ୍ଗ୍ କମିଟି ସଦସ୍ୟ, ‘ପିସିସି’ ସଭାପତି, ‘ସିଏଲ୍ପି’ ନେତା ଏବଂ ଅନ୍ୟାନ୍ୟ ସଙ୍ଗଠନର ମୁଖ୍ୟମାନଙ୍କର ଜରୁରୀ ବୈଠକ ଡକାଇଛି। ଦଳର ଅଧ୍ୟକ୍ଷ ଖଡ଼ଗେ ଏହି ବୈଠକରେ ଅଧ୍ୟକ୍ଷତା କରିବେ।
Image Courtesy of NDTV‘ମୋଦୀ’ ସାଙ୍ଗିଆ ମାନହାନି ମାମଲାରେ ରାହୁଲ୍ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୨ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯିବାକୁ ବିରୋଧ କରି କଂଗ୍ରେସ ବାଟଘାଟରେ ପ୍ରତିବାଦ ପ୍ରଦର୍ଶନ କରିବ ବୋଲି ନିଷ୍ପତ୍ତି ଗ୍ରହଣ କରିଛି। ଏହାଛଡ଼ା, ଅନ୍ୟାନ୍ୟ ରାଜନୈତିକ ଦଳମାନଙ୍କ ସହିତ ମିଶି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବ ବୋଲି ବି କଂଗ୍ରେସ କହିଛି।
ବ୍ୟାପକ ପ୍ରଦିବାଦ ପ୍ରଦର୍ଶନ କରିବା ଲାଗି କଂଗ୍ରେସ କର୍ମୀମାନେ ଘୋଷଣା କରିଥିବାରୁ ଆଜି ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଜୟ ଚୌକରେ ପଦଯାତ୍ରା ଆୟୋଜନ କରାଯିବାକୁ କଂଗ୍ରେସ ପାର୍ଟି ନିଷ୍ପତ୍ତି ନେଇଥିବାରୁ ସେଠାରେ ମଧ୍ୟ ବହୁସଂଖ୍ୟକ ନିରାପତ୍ତା କର୍ମୀଙ୍କୁ ମୁତୟନ କରାଯାଇଛି।
ସେହିପରି, ବିରୋଧି ଦଳର ନେତାମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ନିର୍ବିଚାର ଭାବେ ବ୍ୟବହାର କରାଯାଉଥିବା ଅଭିଯୋଗ କରିବା ଲାଗି କଂଗ୍ରେସ ନେତୃତ୍ବରେ ଆଜି ୧୪ଟି ରାଜନୈତିକ ଦଳ ସୁପ୍ରିମ୍ କୋର୍ଟ ଯାଇଥିଲେ। ଏପ୍ରିଲ୍ ୫ ତାରିଖ ଦିନ ସେମାନଙ୍କ ଆବେଦନ ଉପରେ ବିଚାର କରାଯିବ ବୋଲି ସୁପ୍ରିମ୍ କୋର୍ଟ ରାଜି ହୋଇଛନ୍ତି।
Follow Us