ୱାସିଂଟନ: ଜଳବାୟୁ ପରିବର୍ତ୍ତନଜନିତ ସଂକଟର ମୁକାବିଲା ଭାରତ ନେଇଥିବା ନିଷ୍ପତ୍ତିର ସଫଳ ପାଳନ ଉପରେ ନିର୍ଭର କରୁଛି ବୋଲି ଆମେରିକାର ଉପବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ କହିଛନ୍ତି। ଏହାଛଡ଼ା ନୂଆଦିଲ୍ଲୀର ଉଚ୍ଚାଭିଳାଷୀ ଲକ୍ଷ୍ୟ ପୂରଣ ଦିଗରେ ଆର୍ଥିକ ଓ ବୈଷୟିକ ସହାୟତା ମାଧ୍ୟମରେ ଆମେରିକା ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ସେ କହିଛନ୍ତି।
Hindustan Timesଦକ୍ଷିଣ ଓ କେନ୍ଦ୍ର ଏସିଆ ଦାୟିତ୍ବରେ ଥିବା ଆମେରିକା ବୈଦେଶିକ ସଚିବ ଲୁଙ୍କ କହିବା ଅନୁସାରେ ଜଳବାୟୁ ସଂକଟଠାରୁ ଅନ୍ୟ କିଛି ବଡ଼ ପ୍ରସଙ୍ଗ ଅଛି ବୋଲି ସେ ଭାବୁନାହାନ୍ତି। ଭାରତ ନେଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ଉପରେ ଏହି ସମସ୍ୟାର ସମାଧାନ ନିହିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅଣ-ଜୀବାଶ୍ମ ଇନ୍ଧନ ସୃଷ୍ଟି ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ ସେ ସମ୍ମାନ ଦେଉଛନ୍ତି। ଆମେରିକା ଏ ଦିଗରେ ଭାରତ ସହ ମିଶି କାମ କରୁଛି। ତେବେ କେବଳ ଭାରତ ଓ ଆମେରିକା ମିଳିତ ଭାବେ କାମ କଲେ ହେବ ନାହିଁ, ଭାରତ ସହ ଅନ୍ୟ ଦେଶଗୁଡ଼ିକ ମଧ୍ୟ ମିଳିତ ଭାବେ ଏହି ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ ଦିଗରେ କାମ କରିବା ଉଚିତ ବୋଲି ସେ କହିଛନ୍ତି।
ଲୁ କହିଛନ୍ତି ଯେ, ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ବକୁ ଭାରତର ନେତୃତ୍ବ ଦେବାର କ୍ଷମତା ଉପରେ ପୃଥିବୀ ଗ୍ରହର ଭବିଷ୍ୟତ ନିର୍ଭର କରୁଛି। ଆଜି ଭାରତର ବୃହତ୍ ଶିଳ୍ପଗୁଡ଼ିକ ଦାବି କରୁଛନ୍ତି ଯେ, ସେମାନେ କେବଳ ଭାରତ ପାଇଁ ସବୁଜ ଶକ୍ତି ଉତ୍ପାଦନ କରିବେ ନାହିଁ, ବରଂ ବିଶ୍ବ ସମୁଦାୟକୁ ରପ୍ତାନି କରିବେ। ଭାରତ ବିଶ୍ବର ସବୁଠୁ ବଡ଼ ସବୁଜ ଶକ୍ତି ରପ୍ତାନିକାରୀ ଦେଶରେ ପରିଣତ ହେବ। ଜଳବାୟୁ ପରିବର୍ତ୍ତନଜନିତ ସଂକଟ ଟାଳିବା ପାଇଁ ଏହି କାର୍ଯ୍ୟରେ ଭାରତକୁ ସହାୟତା କରିବା ଲାଗି ଆମେରିକା ସଦା ପ୍ରସ୍ତୁତ ବୋଲି ଲୁ କହିଛନ୍ତି।
Follow Us