ବେରୁତ: ଇସ୍ରାଏଲ ବିରୋଧରେ ଲଢୁଥିବା ଆତଙ୍କବାଦୀ ସଂଗଠନ ହେଜବୁଲ୍ଲା ଆଜି ନିଜର ନୂଆ ନେତା ଚୟନ କରିଛି। ଗତ ମାସରେ ଇସ୍ରାଏଲର ବୋମାମାଡ଼ରେ ହେଜବୁଲ୍ଲା ମୁଖ୍ୟ ନସରଲ୍ଲା ନିପାତ ହୋଇଥିଲା ଏବଂ ଏବେ ତା’ର ସ୍ଥାନରେ କମାଣ୍ଡର ନଇମ୍ କାସିମକୁ ଦାୟିତ୍ୱ ଦିଆଯାଇଛି। ନଇମ୍ କାସିମ ହିଁ ହେଜବୁଲ୍ଲାର ମୁଖ୍ୟ ସଂଚାଳକ ହେବାକୁ ଯାଉଛି ବୋଲି ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଥିଲା, ଯାହା ଏବେ ବାସ୍ତବ ରୂପ ନେଇଛି। କାସିମ ଏବେ ଇରାନରେ ଲୁଚି ରହିଥିବା ଜଣାପଡ଼ିଛି। ଇସ୍ରାଏଲ ଆକ୍ରମଣ ଭୟରେ ସେ ତେହରାନରେ କେଉଁଠି ରହୁଛି ଏବଂ ସେଠାରୁ ହିଜବୁଲ୍ଲାକୁ ସଂଚାଳନ କରୁଥିବା ଜଣାପଡ଼ିଛି। ସୂଚନାଯୋଗଳ, ସେପ୍ଟେମ୍ବର ୨୭ରେ ବେରୁତରେ ଇସ୍ରାଏଲର ଏକ ବଡ଼ ଧରଣର ଆକ୍ରମଣରେ ନସରଲ୍ଲାର ମୃତ୍ୟୁ ହୋଇଥିଲା ଏବଂ ଏହାପରେ ଅନେକ ଶୀର୍ଷ ନେତା ମଧ୍ୟ ନିହତ ହୋଇଥିଲେ।
ହେଜବୁଲ୍ଲା ଏକ ବିବୃତି ଜାରି କରି କହିଛି ଯେ ନଇମ୍ କାସିମ ଶୁରା ପରିଷଦର ମୁଖ୍ୟ ଭାବେ ନିର୍ବାଚିତ ହୋଇଛି। ସେ ୧୯୯୧ ମସିହାରୁ ହେଜବୁଲ୍ଲାର ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା ସେ ଦୀର୍ଘ ଦିନ ଧରି ହେଜବୁଲ୍ଲାର ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରିଥିବା ଜଣାପଡ଼ିଛି। କାସିମ ଅନେକ ଥର ବିଦେଶୀ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛି ଏବଂ ଇସ୍ରାଏଲ ବିରୋଧରେ ହେଜବୁଲ୍ଲାର ଚେହେରା ଭାବେ ସାମନନାକୁ ଆସିଛି। ଏବେ କାସିମ ଦ୍ବାରା ହେଜବୁଲ୍ଲା ସଂପୂର୍ଣ୍ଣ ନିୟନ୍ତ୍ରଣ ହେବାକୁ ଥିବା ବେଳେ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମଧ୍ୟ ଏହା ଉପରେ ଅହରହ ନଜର ରଖିଛି।
ହେଜବୁଲ୍ଲା କମାଣ୍ଡର ନସରଲ୍ଲା ନିହତ ହେବାର କିଛିଦିନ ପରେ ଏହାର ଆଉ ଜଣେ କମାଣ୍ଡର ହାସେମ ସଫିଦ୍ଦିନକୁ ମଧ୍ୟ ଇସ୍ରାଏଲ ନିପାତ କରିବାକୁ ସକ୍ଷମ ହୋଇଥିଲା। ସଫିଦ୍ଦିନ ନସରଲ୍ଲାର ଉତ୍ତରାଧିକାରୀ ହେବ ବୋଲି ଚର୍ଚ୍ଚା ଚାଲିଥିବା ସମୟରେ ହିଁ ଇସ୍ରାଏଲ ତାକୁ ନିପାତ କରିଥିଲା। ନସରଲ୍ଲାକୁ ହତ୍ୟା କରାଯିବା ପରେ ନଇମ୍ କାସିମ ମ ୩ ଥର ଗଣମାଧ୍ୟମକୁ ସମ୍ବୋଧିତ କରିଛି। ଅକ୍ଟୋବର ୮ ରେ ଏକ ଭାଷଣରେ ସେ କହିଥିଲା ଯେ ସେ ଅସ୍ତ୍ରବିରତିକୁ ମଧ୍ୟ ସମର୍ଥନ କରୁଛି ଯାହା ଦ୍ୱାରା ଲେବାନନ୍ର ଲୋକମାନଙ୍କୁ ସୁରକ୍ଷିତ ରଖାଯାଇପାରିବ । ଉଲ୍ଲେଖଯୋଗ୍ୟ, ଇସ୍ରାଏଲ ଗାଜା କିମ୍ବା ଲେବାନନ୍ରେ ଅସ୍ତ୍ରବିରତି ପାଇଁ ଏପର୍ଯ୍ୟନ୍ତ ରାଜି ହୋଇନାହିଁ ଏବଂ କ୍ରମାଗତ ଭାବେ ଉଭୟ ଦେଶ ଉପରେ ଆକ୍ରମଣ ଜାରି ରଖିଛି।
Follow Us